କନକ ବ୍ୟୁରୋ;  ମହାନଦୀ ଜଳ ବିବାଦକୁ ନେଇ ବର୍ଷ ବର୍ଷ  ହୋଇଛି ଆଲୋଚନା ହେଲେ ଏଯାଏଁ ସମାଧାନର ବାଟ ବାହାରିନି । ଆଇନଗତ ଲଢେଇ ଭିତରେ ଏବେ ଆପୋଷ ଆଲୋଚନାକୁ ଅସ୍ତ୍ର କରିଛି ଓଡ଼ିଶା । ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଛତିଶଗଡ ସହ ଓଡ଼ିଶାର ଆଲୋଚନା ପାଇଁ ଧାର୍ଯ୍ୟ ହୋଇଛି ତାରିଖ । ହେଲେ ଏଯାଏଁ ସୁଧୁରୁନି ଛତିଶଗଡ । କଲମା ବ୍ୟାରେଜ ତଳେ ବାଲି ବନ୍ଧ ବାନ୍ଧି ଓଡ଼ିଶାକୁ ଆସୁଥିବା ପାଣିକୁ ଶୋଷି ନେଉଛି । ଏସବୁ ଭିତରେ ଛତିଶଗଡ ସହ ଆଲୋଚନା କେତେ ଫଳପ୍ରଦ ହେବ ତାକୁ ଅପେକ୍ଷା । 
    
ଛତିଶଗଡର ମନମାନି ଭିତରେ ଓଡ଼ିଶାର ଜୀବନରେଖା ମହାନଦୀ ମୃତ୍ୟୁ ସହ ସଂଗ୍ରାମ କରୁଛି । ଏ ହେଉଛି ତାର ଆଖିଦେଖା ପ୍ରମାଣ ।  ଉପରମୁଣ୍ଡରେ ବ୍ୟାରେଜ କରି ମହାନଦୀର ତଣ୍ଟି ଚିପି ଦେଇଛି ଛତିଶଗଡ। ବାରମ୍ବାର କନକ ନ୍ୟୁଜରେ ଏନେଇ ଖବର ପ୍ରସାରଣ ହୋଇଛି ।   ଏସବୁ ଭିତରେ ପୂର୍ବ ସରକାରଙ୍କ ଭଳି ଟ୍ରିବ୍ୟୁନାଲ ଉପରେ ସବୁ ଛାଡି ନଦେଇ ବିଳମ୍ବରେ ହେଉ ପଛେ ମହାନଦୀକୁ ବଞ୍ଚାଇବାକୁ ତତ୍ପରତା ଦେଖାଇଛନ୍ତି ସରକାର ।  ୩ ଦଳର ନେତାଙ୍କୁ ନେଇ ବସିଥିବା ମହାନଦୀ ଉଚ୍ଚସ୍ତରୀୟ କମିଟିର ଦ୍ବିତୀୟ ବୈଠକରେ ବଡ ନିଷ୍ପତି ନିଆଯାଇଛି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଜାନୁଆରି ୩୧ ଓ ଫେବ୍ରୁଆରି ୧ରେ ଛତିଶଗଡ଼ ଯିବ ଓଡ଼ିଶା ଟିମ୍। ଆଲୋଚନା ଟେବୁଲକୁ ଆସିବେ ଉଭୟ ରାଜ୍ୟ। ଯାହାକୁ ନେଇ ଓଡ଼ିଶା ବେଶ ଆଶାବାଦୀ ରହିଛି । ଅଧିକ ପଢନ୍ତୁ:   Mahanadi River : ବିବାଦ ଭିତରେ ମହାନଦୀ ଗେଟ୍‌ ଖୋଲିଲା ଛତିଶଗଡ଼

Advertisment

ଛତିଶଗଡ ସହ ଆଲୋଚନା ଟେବୁଲକୁ ଯିବା ପୂର୍ବରୁ ୨୩ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର। ମତାମତ, ପରାମର୍ଶ ଓ ଆଇନଦିଗ ଦିଗ ଉପରେ ତର୍ଜମା ହେବ। ବୈଠକର ନିଷ୍କର୍ଷ ଆଧାରରେ ଛତିଶଗଡରେ ପକ୍ଷ ରଖିବେ ସରକାର । ୨୦୧୮ ମାର୍ଚ୍ଚରେ ଗଠିତ ଟ୍ରିବ୍ୟୁନାଲର ଅବଧି ୧୩ ମାର୍ଚ୍ଚରେ ସରିବ। ଏହାର ଅବଧି ବୃଦ୍ଧି ପାଇଁ କେନ୍ଦ୍ରକୁ ଅନୁରୋଧ କରିବାକୁ ନିଷ୍ପତି ହୋଇଛି । ଅଥାର୍ତ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଲୋଚନା ସହ ଆଇନଗତ ଲଢ଼େଇ ଜାରି ରଖିବ ଓଡ଼ିଶା ।  ଓଡ଼ିଶା, ଛତିଶଗଡ ଓ କେନ୍ଦ୍ରରେ ଏବେ ବିଜେପି ସରକାର। ତେଣୁ ଆପୋସ ଆଲୋଚନାରେ ମହାନଦୀକୁ ନ୍ୟାୟ ମିଳୁଛି କି ନାହିଁ?ତାହା ଉପରେ ନଜର ।