Odisha Rivers Polluted Photograph: (Kanak News)
କନକ ବ୍ୟୁରୋ : ପ୍ରଦୂଷିତ ହେଉଛି ରାଜ୍ୟରେ ନଦୀ । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତି ସାଂଘାତିକ । ଗଣେଶରାମ ଖୁଣ୍ଟିଆଙ୍କ କହିବା ଅନୁସାରେ, କଟକର କାଠଯୋଡ଼ି, ଭୁବନେଶ୍ୱରର ଦୟାନଦୀ, ଗଙ୍ଗୁଆ ନାଳ, ଗୋପ ଭିଙ୍ଗାରପୁରର କୁଶଭଦ୍ରା, ରାଉରକେଲାର ବ୍ରାହ୍ମଣୀ ଓ ଗୁରାଡ଼ି ନାଳ ପ୍ରଦୂଷିତ ହୋଇଛି । କଟକ, ଭୁବନେଶ୍ୱରର ବର୍ଜ୍ୟଜଳ, କାରଖାନାର ଦୂଷିତ ପଦାର୍ଥ ଓ ନଦୀ ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ କାଠଯୋଡି, ଦୟାନଦୀ ଓ ଗଙ୍ଗୁଆ ନାଳରେ ପ୍ରଦୂଷଣ ବଢୁଛି । କୁଶଭଦ୍ରା, ବ୍ରାହ୍ମଣୀ ଓ ଗୁରାଡି ନାଳରେ ମଧ୍ୟରେ ସେହି ଏକା ଅବସ୍ଥା । ନଦୀ ପ୍ରଦୂଷିତ ହେବା ଫଳରେ ପରିବେଶ ପ୍ରଦୂଷିତ ହେଉଛି । ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଜଳଜୀବ ବି ବିପଦର ଶୀକାର ହେଉଛନ୍ତି ।
ନଦୀ ମଣିଷ କଥା ଚିନ୍ତା କରୁଛି । କିନ୍ତୁ ମଣିଷ ନଦୀ ଜଳର ଅପବ୍ୟବହାର କରୁଛି । କଳକାରଖାନା ଯେତିକି ପ୍ରଦୂଷିତ କରୁଛନ୍ତି ତାଠାରୁ ଅଧିକ ପାଣିକୁ ପ୍ରଦୂଷିତ କରୁଛନ୍ତି ମଣିଷ । ଅନେକ ପଦକ୍ଷେପ ସତ୍ତ୍ୱେ ଏହାକୁ ରୋକା ଯାଇପାରୁନାହିଁ । ପରିବେଶ ମନ୍ତ୍ରୀ କହିଛନ୍ତି, ସହରାଞ୍ଚଳ ଅଧିକାରୀଙ୍କୁ ପ୍ରଦୂଷଣ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ବିଭାଗକୁ ପଦକ୍ଷେପ ନେବାକୁ କୁହାଯାଇଛି । ଶୌଚାଳୟ ନିର୍ମାଣ ଓ ବାହ୍ୟ ମଳମୂତ୍ର ରୋକିବାକୁ ପଦକ୍ଷେପ ନିଆଯାଉଛି ।
ଅଧିକ ପଢ଼ନ୍ତୁ : ଯନ୍ତ୍ରଣା ଭୋଗୁଛି ବରଗଡ଼ ଧନୁଯାତ୍ରାର ଯମୁନା, ଜରାଜୀର୍ଣ୍ଣ ଐତିହାସିକ ଜୀରା ନଦୀ
ସରକାର ତଥ୍ୟ ଦେଉଛନ୍ତି ୧୬ଟି ସ୍ଥାନରେ ନଦୀ ଦଳ ପ୍ରଦୂଷିତ ହେଉଛି । କିନ୍ତୁ ନିୟନ୍ତ୍ରଣ ନରହିବାରୁ ଅନ୍ୟ ସ୍ଥାନରେ ବି ନଦୀଜଳ ବ୍ୟବହାର ଅନୁପଯୋଗୀ ହେଲାଣି । ଏହାକୁ ରୋକିବାକୁ ସରକାରୀ କାର୍ଯ୍ୟକ୍ରମ ଯେତିକି ଜରୁରୀ ତାରୁ ଅଧିକ ଆବଶ୍ୟକ ବ୍ୟକ୍ତିଗତ ସ୍ତରରେ ସଚେତନତା ।
Follow Us