Air Polution Photograph: (kanak news)
କନକ ବ୍ୟୁରୋ : ଓଡ଼ିଶାର ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ପ୍ରଦୂଷଣ ମାମଲାରେ ଓଡ଼ିଶାର କିଛି ସହର ଏବେ ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ୩୩୬ AQI ସହ ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି । ସେହିପରି ୩୦୪ AQI ସହ ବାରିପଦା ସହର ଦେଶର ପଞ୍ଚମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି । ଏହି ତିନୋଟି ଯାକ ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଛି, ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ ।
ଅନ୍ୟପକ୍ଷରେ, ଯେଉଁ ଦିଲ୍ଲୀ ପ୍ରଦୂଷଣ ପାଇଁ ସବୁବେଳେ ସାରା ଦେଶରେ ଚର୍ଚ୍ଚାରେ ଥାଏ, ସେଠାରେ ଆଜି AQI ମାତ୍ର ୨୧୮ ରେକର୍ଡ କରାଯାଇଛି । ଅର୍ଥାତ ଦିଲ୍ଲୀ ତୁଳନାରେ ଓଡ଼ିଶାର ଏହି ସହରଗୁଡ଼ିକର ବାୟୁ ଅଧିକ ବିଷାକ୍ତ ହୋଇପଡ଼ିଛି । ଦେଶର ଅନ୍ୟ ଦୁଇ ପ୍ରଦୂଷିତ ସହର ମଧ୍ୟରେ ପଶ୍ଚିମବଙ୍ଗର ହଳଦିଆ (୩୧୯ AQI) ଏବଂ ପଞ୍ଜାବର ରୂପନଗର (୩୧୧ AQI) ରହିଛନ୍ତି । ଏହା କୌଣସି ଗୋଟିଏ ଦିନର ଘଟଣା ନୁହେଁ । ଗତକାଲି ମଧ୍ୟ ଦେଶର ୫ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ଅନୁଗୁଳ ଓ ତାଳଚେର ରହିଥିଲା । ଗତକାଲି ତାଳଚେରର AQI ୩୩୬ ଥିବା ବେଳେ ଅନୁଗୁଳର ୩୦୩ ଥିଲା । କ୍ରମାଗତ ଭାବେ ବଢୁଥିବା ଏହି ପ୍ରଦୂଷଣ ଏବେ ପରିବେଶବିତ ଏବଂ ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ଯଦି ସମୟ ଥାଉଥାଉ ଏଥିପ୍ରତି ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ସ୍ଥିତି ଅଧିକ ଭୟଙ୍କର ହୋଇପାରେ ।
ଅଧିକ ପଢ଼ନ୍ତୁ---ଭୂପିନ୍ଦରଙ୍କ ବିସ୍ଫୋରକ ବୟାନ ; ନବୀନଙ୍କୁ ଛାଡ଼ିଲେ ଦଳ ରହିବନି
Follow Us