କନକ ବ୍ୟୁରୋ: ବିଧାନସଭାରେ ବିଧାୟକଙ୍କ ଦରମା ଓ ଭତ୍ତାକୁ ନେଇ ବିଲ୍ ପାସ୍ ହେବା ପରେ, ଏବେ ଚର୍ଚ୍ଚାରେ ଓଡ଼ିଶା ବିଧାୟକଙ୍କ ବର୍ଦ୍ଧିତ ଦରମା । ସାରା ଦେଶରେ ଏବେ ଓଡ଼ିଶାର ବିଧାୟକ ସବୁଠୁ ଅଧିକ ଟଙ୍କା ଦରମା ପାଇବାକୁ ଯାଉଥିବାବେଳେ, ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏମିତି କି ଦେଶର ବଡ଼ ରାଜ୍ୟ କୁହାଯାଉଥିବା ୟୁପି ଆଉ ମହାରାଷ୍ଟ୍ରରେ ବିଧାୟକଙ୍କ ଦରମାକୁ ଓଡ଼ିଶା ପଛରେ ପକାଇଦେଇଛି ।
ନୂଆ ବିଲ୍ ଓଡ଼ିଶା ବିଧାନସଭାରେ ପାସ୍ ହେବା ପରେ ଏବେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ଓଡ଼ିଶାର ବିଧାୟକମାନେ ପାଇବେ ମୋଟ ୩ ଲକ୍ଷ ୪୫ ହଜାର ଟଙ୍କା । ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଦରମା ଓ ଅନ୍ୟ ଭତ୍ତା ମିଶାଇ ମିଳିବ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା । ତା ସହିତ କ୍ୟାବନେଟ୍ ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କୁ ମୂଳ ଦରମା ସହିତ ଭତ୍ତାକୁ ମିଶାଇ ୩ ଲକ୍ଷ ୬୦ ହଜାର ଟଙ୍କା ମିଳିବ । ଯାହାକି ଦେଶର ଅନ୍ୟ ବିଧାୟକଙ୍କ ତୁଳନାରେ ସବୁଠୁ ଅଧିକ ।
ଆହୁରି ପଢ଼ନ୍ତୁ : ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି; ଜାଣନ୍ତୁ, କମିଟିରେ ରହିଲେ କିଏ କିଏ?
ବର୍ତ୍ତମାନ ସମୟରେ ଦେଶର ଅନ୍ୟ ରାଜ୍ୟକୁ ଦେଖିଲେ ଓଡ଼ିଶା ପଛକୁ ଝାଡ଼ଖଣ୍ଡର ବିଧାୟକମାନେ ସବୁଠୁ ଅଧିକ ଦରମା ପାଉଛନ୍ତି । ଝାଡ଼ଖଣ୍ଡରେ ପ୍ରତି ବିଧାୟକଙ୍କୁ ପାଖାପାଖି ୨ ଲକ୍ଷ ୯୦ ହଜାର ଟଙ୍କା ମିଳୁଛି । ସେହିପରି ମହାରାଷ୍ଟ୍ରର ବିଧାୟକଙ୍କ ଅଢ଼େଇ ଲକ୍ଷ । ତେଲେଙ୍ଗାନାର ବିଧାୟକଙ୍କୁ ଅଢ଼େଇ ଲକ୍ଷ ଆଉ ୟୁପିର ବିଧାୟକଙ୍କୁ ୧ ଲକ୍ଷ ୮୭ ହଜାର ଟଙ୍କା ଦରମା ଆଉ ଭତ୍ତା ମିଳୁଛି । ତେଣୁ ଦେଖିବାକୁ ଗଲେ ଓଡ଼ିଶାର ବିଧାୟକମାନେ ଏବେ ସମସ୍ତଙ୍କଠୁ ଅଧିକ ୩ ଲକ୍ଷ ୪୫ ହଜାର ଟଙ୍କା ଦରମା ଓ ଭତ୍ତା ବାବଦରେ ପାଇବେ ।
କେରଳର ବିଧାୟକମାନେ ଦେଶର ସବୁଠୁ କମ ଦରମା ପାଉଛନ୍ତି । ମିଳିଥିବା ସୂଚନା ଅନୁସାରେ, କେରଳର ପ୍ରତି ବିଧାୟକ ପାଖାପାଖି ୭୦ ହଜାର ଟଙ୍କା ଦରମା ପାଉଛନ୍ତି । ଆଉ ଦିଲ୍ଲୀର ବିଧାୟକମାନେ ଦ୍ୱିତୀୟ ସର୍ବନିମ୍ନ ୯୦ ହଜାର ଟଙ୍କା ଦରମା ପାଉଛନ୍ତି ।
ତେବେ ଦୀର୍ଘ ଦିନ ଧରି ଓଡ଼ିଶା ବିଧାନସଭାରେ ବିଧାୟକମାନେ ନିଜର ଦରମା ବଢ଼ାଇବାକୁ ଦାବି କରି ଆସୁଥିଲେ । ଯାହାକୁ କି ସରକାର ଏବେ ମୋହର ମାରିଛନ୍ତି । ମଙ୍ଗଳବାର ଶୀତ ଅଧିବେଶନ ସରିବା ପୂର୍ବରୁ ବିଧାନସଭା ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍ ୨୦୨୫ ପାରିତ ହୋଇଛି। ଯାହାପରେ ଆନୁସଙ୍ଗିକ ସୁବିଧାକୁ ମିଶାଇ ବିଧାୟକଙ୍କ ଦରମା ଏକାଥରକେ ପ୍ରାୟ ୩ ଲକ୍ଷ ଟପିଛି । ନଜର ପକାନ୍ତୁ କେଉଁ ସୁବିଧା ବାବଦକୁ କେତେ ଟଙ୍କା ପାଇବେ ବିଧାୟକ?
- ବିଧାୟକଙ୍କ ମୂଳ ଦରମା ୩୫ ହଜାରରୁ ବଢି ୯୦ ହଜାର ହୋଇଛି
- ବ୍ୟୟ ଭତ୍ତା ବାବଦ ୪୦ ହଜାରରୁ ୯୬ ହଜାରକୁ ବୃଦ୍ଧି ପାଇଛି
- ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ବିଧାୟକଙ୍କୁ ମିଳିବ ୭୫ ହଜାର ଟଙ୍କା
- ସେହିପରି କମିଟି ବୈଠକ ବାବଦକୁ ୩୦୦୦, ରାଜ୍ୟ ବାହାରେ ବୈଠକ ପାଇଁ ୧୦ ହଜାର ଟଙ୍କା ମିଳିବ
- ତା ସହିତ ମାସିକ ଯାନ ବାହନ ଭତ୍ତା ବାବଦକୁ ୫୦ ହଜାର ଟଙ୍କା ଦିଆଯିବ
- ଏହାସହିତ ବିଧାୟକଙ୍କୁ ବିଦ୍ୟୁତ ଦେୟ ୨୦ ହଜାର, ଚିକିତ୍ସା ଖର୍ଚ୍ଚ ୩୫ ହଜାର ଟଙ୍କା ମିଳିବ
- ଯଦି ବିଧାୟକଙ୍କୁ ବାସଭବନ ମିଳିନଥିବ, ତେବେ ରହଣି ପାଇଁ ଦୈନିକ ୨ ହଜାର ଟଙ୍କା ମିଳିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)