କନକ ବ୍ୟୁରୋ: ଝାରସୁଗୁଡ଼ା ବୁଢ଼ୀପଦରସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନାରେ ପାଉଁଶ ପାହାଡ଼ ଭୁଶୁଡ଼ିବା ଘଟଣାରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଛି । ଏନ୍ଜିଟିଙ୍କ ନିର୍ଦ୍ଦେଶ ଅନୁସାରେ, ଘଟଣାସ୍ଥଳରେ ପହଞ୍ଚି ସରଜମିନ୍ ତଦନ୍ତ କରିଛନ୍ତି ଯୁଗ୍ମ କମିଟି । କେଉଁ ପରିସ୍ଥିତିରେ କାରଖାନାରୁ ପାଉଁଶ ପାହାଡ଼ ଭୁଶୁଡ଼ିଲା ? ପାଉଁଶ ପାହାଡ଼ ପାଇଁ ଅନୁମତି ଥିଲା ନା ନାହିଁ ? ପ୍ରତିକାର କ’ଣ କରାଯିବ ? ସେଇ ତମାମ୍ ଦିଗ ଉପରେ ଛାନବିନ ହୋଇଛି। ଆସନ୍ତା ସପ୍ତାହରେ ଏହି ଟିମ୍ ଏନଜିଟିକୁ ତଦନ୍ତ ରିପୋର୍ଟ ଦାଖଲ କରିବ ।
ଅଧିକ ପଢନ୍ତୁ : ସେଲ୍ ରାଉରକେଲା ଇସ୍ପାତ କାରଖାନାକୁ ସଫଳତା
କାହିଁକି, କେଉଁ ପରିସ୍ଥିତିରେ ଚାଷକ୍ଷେତକୁ ମାଡ଼ିଥିଲା ବୁଢ଼ୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନାର ପାଉଁଶ । ରଙ୍ଗମିଶା ପାଣିରେ ପ୍ରଦୂଷିତ ହୋଇଥିଲା ପ୍ରାକୃତିକ ଜଳସ୍ରୋତ କହ୍ନେଇ ନାଳ । ଗତ ଜୁଲାଇ ୧୪ର ଘଟଣାକୁ ନେଇ ଅଭିଯୋଗ କରିଥିଲେ ଜମେରା ଓ ମରାକୁଟା ଗ୍ରାମବାସୀ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦିଆଯାଇଥିଲା । ସେଥିରେ ଅସନ୍ତୁଷ୍ଟ ପ୍ରକାଶ କରି ଜିଲ୍ଲାପାଳ ଓ ଏନ୍ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ । କମ୍ପାନି ସବୁ ନିୟମକୁ ଜଳାଞ୍ଜଳି ଦେଇ ପାଉଁଶ ପାହାଡ଼ କରିଥିଲା ! କ୍ଷତିଗ୍ରସ୍ତ ଚାଷୀଙ୍କୁ ଭଣ୍ଡେଇଥିବା ଅଭିଯୋଗ କରି କମ୍ପାନି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକ ।
ସେହି ଅଭିଯୋଗ ଆଧାରରେ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଛି । ଏନ୍ଜିଟିଙ୍କ ନିର୍ଦ୍ଦେଶ ପରେ ସରଜମିନ ତଦନ୍ତ କରିଛନ୍ତି ଯୁଗ୍ମ କମିଟି । ଗତ ୫ ତାରିଖରେ ଏନ୍ଜିଟି ଟିମ୍ ପାଉଁଶ ପାହାଡ଼ ଭୁଶୁଡିବା ସ୍ଥାନ ଏବଂ କମ୍ପାନି ଭିତରେ କିପରି ପାଉଁଶ ପରିଚାଳନା କରାଯାଉଛି ତାର ଅନୁଧ୍ୟାନ କରିଛନ୍ତି । ସପ୍ତାହେ ଭିତରେ ରିପୋର୍ଟ ପ୍ରସ୍ତୁତ କରି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଝାରସୁଗୁଡ଼ା ପରିବେଶ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/07/company-2025-12-07-18-14-53.jpg)