କନକ ବ୍ୟୁରୋ : ଦିନେ ଆଗକୁ ବଢ଼ିବାକୁ ଆଖିରେ ଥିଲା ଅନେକ ସ୍ବପ୍ନ ଆଉ ଆଶା , ଲକ୍ଷ୍ୟ ବି ନିର୍ଦ୍ଧାରଣ କରିଥିଲେ । ହେଲେ ଦଇବ ଯେମିତି ଦାଉ ସାଧିଲା । ଏମିତି ସମୟ ଆସିଲା ଯେ ବାଧ୍ୟ ହୋଇ ଅଧାରୁ ପାଠରେ ଡୋରି ବନ୍ଧା ହେଲା । ଦୀର୍ଘ ୧୧ ବର୍ଷ ହେବ ପାଠ ଛାଡ଼ି ଭିନ୍ନକ୍ଷମ ହୋଇ ଘରେ ପଡ଼ିଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ କାଳିଆପଟା ଗାଁର ରାମଚନ୍ଦ୍ର ଦଳାଇ । ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଧୀରେ ଧୀରେ ତାଙ୍କର ହାତ ଗୋଡ଼ ଥରିବାରେ ଲାଗିଲା । ଅଙ୍ଗପ୍ରତ୍ୟଙ୍ଗ ଶିଥିଳ ହେବାରେ ଲାଗିଲା , ହାତଗୋଡ଼ କାମ କରିବା ବି ଧୀରେ ଧୀରେ ବନ୍ଦ କରିଦେଲା । ଦେହ ଖରାପ ସତ୍ତ୍ବେ ନିଜ ଚେଷ୍ଟା ବଳରେ କଷ୍ଟେ ମଷ୍ଟେ ଦଶମ ପରୀକ୍ଷା ଦେଇଥିଲେ ରାମଚନ୍ଦ୍ର । ସେଥିରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ହେଲେ ତା’ ପରେ ପାଠ ପଢ଼ିବାକୁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଶରୀର କିନ୍ତୁ ସାଥ୍‌ ଦେଲାନି ରାମଚନ୍ଦ୍ରଙ୍କର । 

Advertisment

ଦେହ ବହୁତ ଜୋରରେ ଥରିବା ସହ ଚାଲିବା କଷ୍ଟକର ହୋଇପଡ଼ିଲା । ଶେଷରେ ବାଧ୍ୟ ହୋଇ ଯୁକ୍ତ ଦୁଇ ଆଉ ପଢ଼ି ପାରିଲେନି । ପରିବାର ଗରିବ ହୋଇଥିବାରୁ ପୁଅର ଚିକିତ୍ସା କରାଇବା ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡ଼ିଲା । ତଥାପି ବାପା ପ୍ରଥମେ ମୋହନା, ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ କଟକ ନେଇ ପୁଅର ଚିକିତ୍ସା କରାଇଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିଲାନି । ସେମିତି ପୂର୍ବ ଭଳି ଅବସ୍ଥା । ବାଧ୍ୟ ହୋଇ ପରିବାର ଲୋକେ ରାମଚନ୍ଦ୍ରଙ୍କୁ ଘରକୁ ନେଇ ଆସିଲେ । ସେବେଠୁ ଘରେ ପଡ଼ିଛନ୍ତି ରାମଚନ୍ଦ୍ର । ଦୀର୍ଘ ୧୧ ବର୍ଷ ହେବ ଏମିତି ଦୟନୀୟ ଅବସ୍ଥାରେ ଘରେ ପଡ଼ି ରହିଛନ୍ତି ସେ । ବାପା ମୂଲ ଲାଗି ଯାହା ଦୁଇ ପଇସା ରୋଜଗାର କରି ଘରକୁ ଆଣନ୍ତି ସେଥିରେ ପରିବାର ନିର୍ଭରଶୀଳ । ଘରର ଆର୍ଥିକ ଅନଟନ ଦେଖି ଭଉଣୀ ବି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଛନ୍ତି । ସେ ଦୁଇ ପଇସା ପଠାଇଲେ ଭାଇ ପାଇଁ ଖର୍ଚ୍ଚ ହେଉଛି । ଏହି ପରିବାରକୁ ସରକାରଙ୍କ ସହାୟତା କହିଲେ ରାସନ୍ କାର୍ଡରେ ମିଳୁଥିଲା ଚାଉଳ ଆଉ ଭତ୍ତା । ଏବେ ପରିବାରକୁ ରାସନ୍‌ରେ ପାଞ୍ଚ କିଲୋ ଚାଉଳ ମିଳୁଥିବା ବେଳେ ଭତ୍ତା ଟଙ୍କା କିନ୍ତୁ ଦୁଇ ମାସ ହେଲା ବନ୍ଦ କରି ଦିଆଯାଇଛି । 

ଅଧିକ ପଢ଼ନ୍ତୁ--ଇଏ କି ଅଜବ ନିୟମ; ଭତ୍ତା ପାଇଁ ଅନ୍ୟର ମୃତ୍ୟୁକୁ ଅପେକ୍ଷା

ରାମଚନ୍ଦ୍ର ୮୦% ଭିନ୍ନକ୍ଷମ ହୋଇଥିବାରୁ ବ୍ଲକ ସାମାଜିକ ସୁରକ୍ଷା ପକ୍ଷରୁ ତାଙ୍କୁ ମାସିକ ୩୫୦୦ ଟଙ୍କା ମିଳୁଥିଲା । ହେଲେ କୌଣସି କାରଣ ନ କହି ଦୁଇ ମାସ ହେବ ସେ ଭତ୍ତା ବି ବନ୍ଦ କରିଦେଇଛନ୍ତି କର୍ତ୍ତୃପକ୍ଷ । ଯାହା ପରେ ସମ୍ପୂର୍ଣ୍ଣ ଅସହାୟ ହୋଇଯାଇଛି ଏହି ପରିବାର । ଯଦି ସରକାରଙ୍କ ଶୁଭ ଦୃଷ୍ଟି ରାମଚନ୍ଦ୍ରଙ୍କ ଉପରେ ପଡ଼ନ୍ତା, ସେ ପୁଣି ନୂଆ ଦୁନିଆ ଦେଖିବାରେ ସକ୍ଷମ ହୁଅନ୍ତେ ଆଉ ଏ ପରିବାର ବି ଭଲରେ ଚଳିପାରନ୍ତା ବୋଲି ପରିବାର ସଦସ୍ୟ କହିଛନ୍ତି ।