କନକ ବ୍ୟୁରୋ: ଜାନୁଆରୀରୁ ୮୦ ପ୍ରତିଶତ ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଟଙ୍କା ପ୍ରଦାନ ଲାଗି ଘୋଷଣା କଲେ ସରକାର । ହେଲେ ମାଲକାନଗିରି ଜିଲ୍ଲାର ଶତ ପ୍ରତିଶତ ଦିବ୍ୟାଙ୍ଗ ଦମ୍ପତ୍ତି ଅଶିମ ଓ ରାଧାରାଣୀଙ୍କ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ । ବାରମ୍ବାର ସରକାରୀ ଅଫିସ ଦୌଡିବା ପରେ ସରକାରୀ ନିୟମର ଆଳ ଫେରାଇ ଦେଇଛନ୍ତି ବାବୁ । 

Advertisment

ଭତ୍ତା ମିଳିଲେ ଘର ଚଳିବ । ପେଟକୁ ଦି ମୁଠା ଦାନା ଯିବ । ହେଲେ ସରକାରଙ୍କ ବିଚିତ୍ର ଭତ୍ତା ବ୍ୟବସ୍ଥା ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବର୍ଦ୍ଧିତ ଭତ୍ତା ଏବେ ସାତସପନ । ମାଲକାନଗିରି ଏମଭି ୮୪ ଗାଁର ଅଶିମ ମଣ୍ଡଳ ଓ ରାଧାରାଣୀ ମଣ୍ଡଳ । ଉଭୟ ଶତ ପ୍ରତିଶତ ଦିବ୍ୟାଙ୍ଗ । ମଧୁବାବୁ ପେନସନ ଯୋଜନାରେ ଉଭୟଙ୍କୁ ମିଳୁଥିବା ଭତ୍ତା ୨୪୦୦ ଟଙ୍କାରେ ଚାରି ପ୍ରାଣୀ କୁଟୁମ୍ବ ଚଳାଇବା କଷ୍ଟକର ହୋଇପଡିଛି । ସରକାରଙ୍କ ପକ୍ଷରୁ ୮୦%ରୁ ଅଧିକ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ମିଳିବା କଥା । ହେଲେ ସରକାରୀ ବ୍ୟବସ୍ଥା ଏଥିରେ ସାଜିଛି ବଡ଼ ବାଧକ।  ଅଶିମ ଓ ରାଧାରାଣୀ ବର୍ଦ୍ଧିତ ଭତ୍ତା ପାଇଁ ବ୍ଲକ ଓ ଉପ-ଜିଲ୍ଲାପାଳଙ୍କ ଅଫିସ୍ ଦୌଡି ଦୌଡି ନୟାନ୍ତ । କିନ୍ତୁ ଦିବ୍ୟାଙ୍ଗ ଦମ୍ପତିଙ୍କ ଦୁଃଖ ବୁଝିବାକୁ ଯେପରି କେହି ନାହିଁ ।

ସରକାରୀ ନିୟମ ଅନୁଯାୟୀ, ଧାର୍ଯ୍ୟ ସଂଖ୍ୟକ ହିତାଧିକାରୀଙ୍କ ପରେ ବଳକା ଯୋଗ୍ୟ ହିତାଧିକାରୀଙ୍କୁ ୱେଟିଂ ଲିଷ୍ଟରେ ରଖାଯାଏ । ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁ ପରେ ତାଲିକାରେ ପରବର୍ତ୍ତୀ ଅପେକ୍ଷାରତ ହିତାଧିକାରୀଙ୍କୁ ସୁଯୋଗ ମିଳେ । ଏବେ ମାଲକାନଗିରିରେ 
୪୯ ହଜାର ୧୫୬ ହିତାଧିକାରୀ ଭତ୍ତା ପାଉଥିବା ବେଳେ ୪ ହଜାର ୬୨୧ ଜଣ ଯୋଗ୍ୟ ହିତାଧିକାରୀ ଅପେକ୍ଷାରେ ଅଛନ୍ତି ।
୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କ ପାଇଁ ୫୮୨ ହିତାଧିକାରୀ ସ୍ଲଟ୍ ରହିଛି
ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପରେ ୧୪୩ ଯୋଗ୍ୟ ଦିବ୍ୟାଙ୍ଗ ହିତାଧିକାରୀ ୱେଟିଂ ଲିଷ୍ଟରେ ଅଛନ୍ତି 

ଯେଉଁମାନେ ବର୍ଦ୍ଧିତ ଭତ୍ତା ପାଇବା ପାଇଁ ଭତ୍ତା ପାଉଥିବା ହିତାଧିକାରୀଙ୍କ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ଯାହା ଭତ୍ତା ବ୍ୟବସ୍ଥାର ବାସ୍ତବତାକୁ ପଦାରେ ପକାଇଛି । ସରକାର ଭତ୍ତା ଦେଉଛନ୍ତି ସତ । କିନ୍ତୁ ଯେଉଁ ସର୍ତ୍ତ ରଖିଛନ୍ତି ତାହା ଅଶିମ ଓ ରାଧାରାଣୀଙ୍କ ଭଳି ଲକ୍ଷାଧିକ ହିତାଧିକାରୀଙ୍କ ଦୁଃଖକୁ ବଢାଇ ଦେଇଛି ।