କନକ ବ୍ୟୁରୋ: କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା-ତାମିଲନାଡ଼ୁ ରଣଜୀ ଟ୍ରଫି ମୁକାବିଲା ରବିବାର ଶେଷ ହୋଇଛି । ଅପ୍ରତ୍ୟାଶିତ ନହେଲେ ବି ଓଡ଼ିଶା ୨୦୭ ରନ୍ର ବଡ଼ ବ୍ୟବଧାନରେ ହାରିଯାଇଛି । ଫଳରେ ଷଷ୍ଠ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି ଓଡ଼ିଶା । ଅନ୍ୟପକ୍ଷରେ ସମାନ ଷଷ୍ଠ ମ୍ୟାଚ୍ରୁ ପ୍ରଥମ ବିଜୟ ପାଇଛି ତାମିଲନାଡୁ ।
ଶୁଭ୍ରାଂଶୁ ସେନାପତିଙ୍କ ଘରୋଇ ଦଳ ସମ୍ମୁଖରେ ଶନିବାର ୪୫୫ ରନ୍ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ତାମିଲନାଡୁ । ଏହାକୁ ପିଛା କରି ଓଡ଼ିଶା ଚତୁର୍ଥ ଦିନ ସକାଳେ ୪୭/୨ରୁ ଖେଳିଥିଲା । ଶୁଭ୍ରାଂଶୁ ଅର୍ଦ୍ଧଶତକ (୬୮ ବଲ୍ରୁ ୫୫ ରନ୍) ହାସଲ ପରେ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଯାଇଥିଲେ । ଏହି ସମୟରେ ଗୋବିନ୍ଦ ପୋଦ୍ଦାର (୨୭)ଙ୍କୁ ସାଥି କରି ଅନିଲ ପରିଡ଼ା ୫୮ ରନ୍ ଭାଗୀଦାର କରିଥିଲେ ମଧ୍ୟ ଘରୋଇ ଦଳ ପାଳି ପୁଣି ତାସ ଘର ଭଳି ଭୁଶୁଡ଼ି ପଡ଼ିଥିଲା । ଗୋବିନ୍ଦ ପୋଦ୍ଦାରଙ୍କ ପରେ ବିପ୍ଳବ ସାମନ୍ତରାୟ, ସମ୍ବିତ ବରାଳ, ରାଜେଶ ଧୂପର, ଦେବବ୍ରତ ପ୍ରଧାନ ପ୍ରମୁଖ ଶସ୍ତାରେ ଆଉଟ୍ ହୋଇଯାଇଥିଲେ । ଏହି ସମୟରେ ଅନିଲ ଓ ରାଜେଶ ମହାନ୍ତି (୩୮ ବଲ୍ରୁ ୩୦ ରନ୍, ୫ ଚୌକା, ୧ ଛକା) ନବମ ୱିକେଟ୍ ପାଇଁ ୪୯ ରନ୍ ଯୋଡ଼ିଥିଲେ । ଅନିଲ ମାତ୍ର ୨ ରନ୍ ପାଇଁ ଏଠାରେ କ୍ରମାଗତ ରଣଜୀ ମ୍ୟାଚ୍ରେ ଶତକ ଅର୍ଜନ କରିବା ଦିଗରେ ବିଫଳ ହୋଇଥିଲେ । ଅନିଲ ୨୨୦ ବଲ୍ ସମ୍ମୁଖୀନ ହୋଇ ୧୪ ଚୌକା ସହାୟତାରେ ୯୮ ରନ୍ କରିଥିଲେ । ଏଥି ସହିତ ଅନିଲ ପଦାର୍ପଣ ପରଠାରୁ ୫ ପାଳିରେ ୪ ଥର ୫୦+ ସହିତ ୧୨୬.୩୩ ହାରରେ ୩୭୯ ରନ୍ ସଂଗ୍ରହ କରି ଚମତ୍କାର ଫର୍ମରେ ରହିଛନ୍ତି । ଏହି ୫ ପାଳି ହେଉଛି ୮, ୯୯*, ୧୧୮*, ୫୬, ୯୮ । ରବିବାର ଶେଷ ଦୁଇ ୱିକେଟ୍ ଭାବେ ଅନିଲ ଓ ରାଜେଶ ଆଉଟ୍ ହୋଇଯାଇଥିଲେ । ଓଡ଼ିଶା ଦ୍ବିତୀୟ ପାଳି ୮୩.୫ ଓଭର ଓ ୨୪୭ ରନ୍ରେ ଶେଷ ହୋଇଯାଇଥିଲା । ସୋନୁ ଯାଦବ (୫/୩୦, ୭୪ ରନ୍, ୨/୨୯) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଓଡ଼ିଶା ନିଜ ଶେଷ ଲିଗ ମ୍ୟାଚ୍ ଛତିଶଗଡ଼ ବିପକ୍ଷରେ ଜାମସେଦପୁରଠାରେ ଜାନୁଆରି ୨୯ ତାରିଖରୁ ଖେଳାଯିବ ।
ଏହା ବି ପଢ଼ନ୍ତୁ: ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ପାକିସ୍ତାନ ଦଳ ଘୋଷିତ: ବାବର ସାମିଲ; ବାଦ୍ ପଡ଼ିଲେ ରୌଫ୍, ରିଜୱାନ
ସଂକ୍ଷିପ୍ତ ସ୍କୋର: ତାମିଲନାଡୁ ପ୍ରଥମ ପାଳି: ୨୮୬ (ପ୍ରଦୋଷ ରଂଜନ ପଲ୍-୭୮, ଦେବବ୍ରତ ପ୍ରଧାନ-୩/୩୭, ରାଜେଶ ମହାନ୍ତି-୩/୫୧) । ଓଡ଼ିଶା ପ୍ରଥମ ପାଳି: ୧୪୮ (ଅନିଲ ପରିଡ଼ା-୫୬, ସୋନୁ ଯାଦବ-୫/୩୦) । ତାମିଲନାଡ଼ୁ ଦ୍ବିତୀୟ ପାଳି: ୩୧୬ (ଅତୀଶ ଏସ୍ଆର୍-୮୮, ବାଦଲ ବିଶ୍ବାଳ-୩/୫୬, ବିପ୍ଳବ ସାମନ୍ତରାୟ-୨/୨୨, ସମ୍ବିତ ବରାଳ-୨/୬୧) । ଓଡ଼ିଶା ଦ୍ବିତୀୟ ପାଳି: ୮୩.୫ ଓଭରରେ ୨୪୭ (ଅନିଲ ପରିଡ଼ା-୯୮, ଶୁଭ୍ରାଂଶୁ ସେନାପତି-୫୫, ରାଜେଶ ମହାନ୍ତି-୩୦, ନିଧିଶ ରାଜାଗୋପାଳ-୨/୯, ସୋନୁ ଯାଦବ-୩/୩୯, ସାଇ କିଶୋର-୨/୪୩, ପି ବିଦ୍ୟୁତ-୨/୪୬) ।
Follow Us