କନକ ବ୍ୟୁରୋ : ସ୍ମାର୍ଟ ମିଟର ଲଗାଇବାକୁ ନେଇ ଉପଭୋକ୍ତା ଦ୍ୱନ୍ଦ୍ୱରେ ଥିବାବେଳେ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ୨୦୨୫ ମାର୍ଚ୍ଚ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କ ମିଟର ଭଡ଼ା ଛାଡ଼ ହୋଇଛି । ଏ ବାବଦରେ ୩୦୭ କୋଟି ଟଙ୍କା ବହନ କରିବେ ସରକାର । ଗତ କ୍ୟାବିନେଟରେ ଏହି ନିଷ୍ପତ୍ତି ହେବା ପରେ ଗାଇଡଲାଇନ୍ ଆଣିଛି ଶକ୍ତି ବିଭାଗ । ସେପଟେ ସ୍ମାର୍ଟ ମିଟରର ସ୍ୱଚ୍ଛତା ଏବଂ ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଛନ୍ତି ଶକ୍ତି ସମୀକ୍ଷକ ।

Advertisment

ନୂଆ ସ୍ମାର୍ଟ ମିଟର ସ୍ଥାପନ ଏବଂ ପୂର୍ବରୁ ଥିବା ମିଟରକୁ ସ୍ମାର୍ଟ ମିଟରରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୭୩୫ କୋଟି ଟଙ୍କା । ୨ କିଲୋୱାଟ୍ ପର୍ଯ୍ୟନ୍ତ ଥିବା ୮ ଲକ୍ଷ ୭୫ ହଜାର ମିଟରକୁ ବଦଳାଇ ସ୍ମାର୍ଟ ମିଟର ଲଗାଯିବ । ଯାହା ବାବଦକୁ ୩୪୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ନୂଆ ସ୍ମାର୍ଟ ମିଟର ଇନଷ୍ଟଲେସନ୍ ପାଇଁ ୮୮ କୋଟି ଏବଂ ମାର୍ଚ୍ଚ ୨୦୨୫ ପୂର୍ବରୁ ଯେଉଁମାନେ ସ୍ମାର୍ଟ ମିଟର ଲଗାଇ ସାରିଛନ୍ତି, ସେମାନଙ୍କ ମିଟର ଭଡ଼ା ବାବଦକୁ ୩୦୭ କୋଟି ଟଙ୍କା ବହନ କରିବେ ସରକାର । ଏହି ସ୍ମାର୍ଟ ମିଟର ଗୁଡିକ ଶକ୍ତି ବିଭାଗ ଅଧୀନରେ ରହିବ। ସମ୍ପୃକ୍ତ ଡିସ୍‌କମ୍ ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ।

ଅଧିକ ପଢ଼ନ୍ତୁ : ସ୍ମାର୍ଟ ମିଟର ଦ୍ୱନ୍ଦ୍ୱ ବଢ଼ୁଛି; ସ୍ୱଚ୍ଛତା ଆଣିବାରେ କର୍ତ୍ତୃପକ୍ଷ ବିଫଳ, ଉପଭୋକ୍ତାଙ୍କ ଅଧିକାର ଗଲା ଚୁଲିକୁ

ଗୋଟେ ପଟେ ସରକାର ସ୍ମାର୍ଟ ମିଟର ସ୍ଥାପନ ପାଇଁ ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପଟେ ଏବେ ସ୍ମାର୍ଟ ମିଟର ଲଗାଇବାର କ’ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଶକ୍ତି ସମୀକ୍ଷକ । ଏଥିସହ ସ୍ମାର୍ଟ ମିଟରର ସ୍ୱଚ୍ଛତା ଉପରେ ବି ପ୍ରଶ୍ନ ଉଠିଛି । ଅନ୍ୟ ରାଜ୍ୟରେ ସ୍ମାର୍ଟ ମିଟରର ଦକ୍ଷତା ଯାଞ୍ଚ କରିବାର ବ୍ୟବସ୍ଥା ରହିଛି । ସିଏଜି ମଧ୍ୟ ଅଡିଟ୍ କରନ୍ତି । କିନ୍ତୁ ଆମ ରାଜ୍ୟରେ ଯେହେତୁ ଏକ ଘରୋଇ କମ୍ପାନୀ ବିଦ୍ୟୁତ୍ ବିତରଣ କରୁଛି, ତେଣୁ ଏଠି କିଭଳି ଯାଞ୍ଚ କରାଯିବ, ତାକୁ ନେଇ ଆପତ୍ତି ଉଠିଛି ।

ବିଦ୍ୟୁତ୍ ବିତରଣ କମ୍ପାନୀର ମନମାନିକୁ ନେଇ ରାଜ୍ୟରେ ବିଭିନ୍ନ ସମୟରେ ଆନ୍ଦୋଳନ ହେଉଛି । ଆଉ ଏବେ ସ୍ମାର୍ଟ ମିଟର ସ୍ଥାପନକୁ ବି ଲୋକେ ବିରୋଧ କରୁଛନ୍ତି । ତେବେ ସ୍ମାର୍ଟ ମିଟରରକୁ ନେଇ ଲାଗି ରହିଥିବା ବିବାଦ କେବେ ଥମିବ ତାହା ଦେଖିବାର କଥା ।