Ambulance Crisis Photograph: (Kanak News)
କନକ ବ୍ୟୁରୋ : ପୂର୍ବରୁ ଅନେକବାର ଆମ୍ବୁଲାନ୍ସ ସେବା ନ ମିଳିବାରୁ ରୋଗୀଙ୍କ ମୃତ୍ୟୁ, ଶବକୁ କାନ୍ଧରେ ବୋହିବା ଭଳି ଘଟଣାର ସାକ୍ଷୀ ରହିଛି ଓଡ଼ିଶା । ରାଜ୍ୟରେ ଆମ୍ବୁଲାନ୍ସ ସେବା ସବୁଠୁ ବଡ ସମସ୍ୟା ପାଲଟିଛି । ଯାହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ନୂଆବର୍ଷ ପୂର୍ବରୁ ରାଜ୍ୟବାସୀଙ୍କୁ ଦେଇଛନ୍ତି ନୂଆ ଆମ୍ବୁଲାନ୍ସ ଭେଟି ।
ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇଁ ଆଉ ବେଶି ଅପେକ୍ଷା କରିବାକୁ ପଡିବନି । ଆମ୍ବୁଲାନ୍ସ ଅଭାବ ଦୂର ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଟ ୪୨୮ଟି ନୂଆ ଆମ୍ବୁଲାନ୍ସ ପାଇଁ ୧୧୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଅବଶିଷ୍ଟ ଆମ୍ବୁଲାନ୍ସକୁ ଖୁବଶୀଘ୍ର ନିୟୋଜିତ କରାଯିବ । ଏହାଦ୍ୱାରା ସ୍ୱାସ୍ଥ୍ୟ ସେବା ଆହୁରି ତ୍ୱରିତ୍ୱ ହେବ । ରାଜ୍ୟରେ ଏବେ ଦୈନିକ ୫ ହଜାର ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଉଛି । ନୂଆ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟ କ୍ଷେତ୍ରକୁ ବଳ ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ : ସହରରେ ଗଡ଼ିବ ୧୦୦ "ଆମ ବସ୍', ୮ଟି ରୁଟରେ ଚାଲିବ, ମୁଖ୍ୟାଳୟକୁ ଯୋଡ଼ିବ
ଓଡ଼ିଶାରେ ଆମ୍ବୁଲାନ୍ସ ସେବାର ବିକଟ ଚିତ୍ରର ଖବର ପୂର୍ବରୁ ଅନେକବାର ଆମେ କନକ ନ୍ୟୁଜରେ ପ୍ରସାରଣ କରିଛୁ । ରକ୍ଷାଣବେକ୍ଷଣ ଅଭାବରୁ ଅଧିକାଂଶ ଆମ୍ବୁଲାନ୍ସ ଏବେ ଅନ୍ତିମ ପ୍ରଶ୍ୱାସ ନେଉଛନ୍ତି । ଅନେକ ଆମ୍ବୁଲାନ୍ସ ଭିତରେ ନାହିଁ ଆବଶ୍ୟକୀୟ ଉପକରଣ । କେବଳ ନାଁକୁ ଗଡୁଛି ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ ବସିବା ପରେ ହସ୍ପିଟାଲରେ ପହଞ୍ଚିବ କି ନାହିଁ ତାହା ବି ଆଶଙ୍କାରେ । କେବଳ ଏତିକି ନୁହେଁ, ଓଡ଼ିଶାର ହସ୍ପିଟାଲଗୁଡ଼ିକରେ ୮୬୦ଟି ୧୦୮ ଆମ୍ବୁଲାନ୍ସ ରହିଛି । ଆବଶ୍ୟକ ତୁଳନାରେ ଏହା ଯଥେଷ୍ଟ କମ ବୋଲି କହିଛି ଆମ୍ବୁଲାନ୍ସ କର୍ମଚାରୀ ସଂଘ ।
ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ । ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କରି ଏ ଦିଗରେ ଆଉ ପାଦେ ଆଗକୁ ବଢିଛନ୍ତି ସରକାର ।
Follow Us