କନକ ବ୍ୟୁରୋ : ଦୀପାବଳିକୁ ନେଇ ତାରିଖ ଦ୍ଵନ୍ଦ୍ଵ ଭିତରେ ଅତିରିକ୍ତ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଦୀପାବଳି ପାଇଁ ସରକାର ଅକ୍ଟୋବର ୨୦ ତାରିଖ ସୋମବାରକୁ ଅତିରିକ୍ତ ଛୁଟି ଘୋଷଣା କରିଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ରାଜସ୍ଵ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଫଳରେ ସରକାରୀ କର୍ମଚାରୀ ଦୁଇ ଦିନ ଛୁଟି ପାଇବେ । ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କ୍ୟାଲେଣ୍ଡର ଅନୁସାରେ, ୨୧ ତାରିଖରେ ଦୀପାବଳି ଛୁଟି ସହ ୨୦ ତାରିଖକୁ ଅତିରିକ୍ତ ଛୁଟି ଘୋଷଣା କରାଯାଇଛି । ତେଣୁ ଏଥର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଛୁଟି ଦୁଇଦିନ ମିଳିବ । ୨୦ ତାରିଖ ଅତିରିକ୍ତ ଛୁଟି ନୂଆପଡ଼ା ଜିଲ୍ଲାକୁ ବାଦ୍ ଦେଇ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମ୍ୟାଜେଷ୍ଟେରିଆଲ୍ କୋର୍ଟ ବନ୍ଦ ରହିବ । 

Advertisment

ଅନ୍ୟପଟେ ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିସାରିଛି । ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ସହ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା  ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ କଟନ୍ କପଡ଼ା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।