କନକ ବ୍ୟୁରୋ : ରାତି ୯ଟା ପରେ ବାଣ ଫୁଟାଇଲେ ବନ୍ଧା ହେବେ । ଦୀପାବଳି ନେଇ ରାଜଧାନୀବାସିଙ୍କ ପାଇଁ କମିସନରେଟ ପୁଲିସର ସଚେତନ ବାର୍ତ୍ତା । ଭୁବନେଶ୍ବରରେ ଏଥର ବାଣ ଫୁଟାଇବା ସମୟ ସୀମା ରାତି ୧୦ଟା ନୁହେଁ ରାତି ୯ଟା ଧାର୍ଯ୍ୟ କରାଯାଇଛି । ରାତି ୯ଟା ପରେ ବାଣ ଫୁଟାଇଲେ ବାନ୍ଧିବ ପୁଲିସ । ଗ୍ରୀନ୍ କ୍ରାକର ବ୍ୟତୀତ ଉଚ୍ଚ ଶବ୍ଦକାରୀ ବାଣ ଫୁଟାଇଲେ ବନ୍ଧା ହେବେ । ଦୀପାବଳି ବାହାନାରେ ମଦ୍ୟପାନ କରି ରାସ୍ତାରେ ବୁଲିଲେ ଗାଡ଼ି ଜବତ କରାଯିବା ସହ ଚାଳକଙ୍କୁ ଗିରଫ କରାଯିବ । ସମସ୍ତ ଥାନା ଅଞ୍ଚଳରେ ପାଟ୍ରୋଲିଂ ଟିମ୍ ପ୍ରସ୍ତୁତ ରହିବା ପାଇଁ ଭୁବନେଶ୍ବର ଡିସିପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିସାରିଛି । ଆଲୋକର ପର୍ବକୁ ଦୀପ ଜଳାଇ ପାଳନ କରିବା ସହ ବାଣ ଫୁଟାଇବାର ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବର୍ଜନ କରାଯାଇଛି । ଲୋକେ ଯେଉଁ ବାଣ ଫୁଟାଇବେ ତା’ର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ । ଶାନ୍ତି କ୍ଷେତ୍ର ଯେମିତିକି ବଗିଚା,ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବର୍ଜିତ କରାଯାଇଛି । ଖୋଲା ଜାଗାରେ ଯଦି କେହି ବାଣ ଫୁଟାଇବାକୁ ଚାହିବେ ତାହା ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ଦେଇନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ କଟନ୍ କପଡ଼ା ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି ।