Ration Card Photograph: (KanakNews)
କନକ ବ୍ୟୁରୋ : ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ନୂଆବର୍ଷରୁ ଆଉ ୧୫ ଲକ୍ଷ ରାସନ କାର୍ଡ ବଣ୍ଟା ଯିବ । କେହି ବି ଗରିବ ବିନା ରାସନ କାର୍ଡରେ ରହିବେ ନାହିଁ । ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ପାଖରେ ରାସନ କାର୍ଡର ଅଭାବ ନାହିଁ । ଏଯାଏଁ ସାରା ରାଜ୍ୟରେ ୬ ଲକ୍ଷ ୩୯ ହଜାର କାର୍ଡ ବଣ୍ଟା ସରିଛି । ଆହୁରି ୧୫ ଲକ୍ଷ କାର୍ଡ ଆମ ପାଖରେ ଅଛି । ପ୍ରାୟ ୧୫ ଲକ୍ଷ ୩୩ ହଜାର ଆବେଦବ ଆସିଛି । ସେଥିରୁ ଅଯୋଗ୍ୟଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟଙ୍କୁ ରାସନ କାର୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।
ଏହାପୂର୍ବରୁ ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନେ ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାରଯୁକ୍ତ ଇ-କେୱାଇସି କରାଇ ପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ହିତାଧିକାରୀଙ୍କ ଆଧାରଭିତ୍ତିକ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି । ଏହା ସମସ୍ତ ୧୧,୮୨୭ ଗୋଟି ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ ଗୋଟି ବ୍ଲକ ଓ ୬୪ ଗୋଟି ପୌରାଞ୍ଚଳ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାରାସନ କାର୍ଡ଼ ପରିଚାଳନା କେନ୍ଦ୍ର ଗୁଡ଼ିକରେ ଜାରି ରହିଛି I ଏହା ବ୍ୟତୀତ ଅଦ୍ୟାବଧି ଇ-କେୱାଇସି କରାଇ ନ ପାରିଥିବା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ପି.ଡ଼ି.ଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି I କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇନଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ I ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ I
ଅଧିକ ପଢ଼ନ୍ତୁ : ଆବେଦନ କଲା ପରେ ବି ମିଳୁନି ରାସନ କାର୍ଡ : ଗଞ୍ଜାମରେ ଚାଉଳ ପାଉନାହାନ୍ତି ହିତାଧିକାରୀ
ପୂର୍ବରୁ ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ମାସରେ କହିଥିଲେ ଯେ ଯେଉଁମାନେ ନିଜର ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ଆସନ୍ତା ମାସରୁ ଆଉ ଚାଉଳ ମିଳିବନି । କେନ୍ଦ୍ର ସରକାର ଇ-କେୱାଇସିକୁ ବନ୍ଦ କରିଛନ୍ତି । ଯେଉଁମାନେ ଇ-କେୱାଇସି ନ କରି ମଧ୍ୟ ଚାଉଳ ପାଉଛନ୍ତି ଆସନ୍ତାମାସରୁ ଏହାକୁ ବନ୍ଦ କରିଦିଆଯିବ । ଗତ ୭ , ୮ ମାସ ଧରି ଇ-କେୱାଇସି ପ୍ରକ୍ରିୟା ଚାଲିଥିଲା । ତେଣୁ ଆଉ ବଢ଼ିବାର ନାହିଁ । କେନ୍ଦ୍ର ସରକାର ଯଦି ଇ-କେୱାଇସି ଅବଧି ବଢ଼ାଇବେ ତା’ହେଲେ ରାଜ୍ୟ ସରକାର ମଧ୍ୟ ଏହି ଅବଧିକୁ ବୃଦ୍ଧି କରିବେ । ଏହା ସହ ଯେଉଁମାନେ ରାସନ କାର୍ଡରୁ ବାଦ୍ ପଡ଼ିଥିବେ ସେମାନେ ଲିଖିତ ଭାବେ ଜଣାଇଲେ ସେମାନଙ୍କ କଥା ବିଚାର କରାଯିବ । ରାଜ୍ୟରେ ଏବେ ବି ୧୫ ଲକ୍ଷ ୬୭ ହଜାରରୁ ଅଧିକ ରାସନକାର୍ଡଧାରୀ ଇ-କେୱାଇସି କରି ନଥିବା ସୂଚନା ରହିଛି ।
ଉଲ୍ଲେଖଯୋଗ୍ୟ ଯେ ଗତ ସେପ୍ଟେମ୍ବର ୩୦ ତାରିଖ ଇ-କେୱାଇସି କରିବାର ଶେଷ ତାରିଖ ଥିଲା । କେନ୍ଦ୍ର ସରକାର ଏହି ପ୍ରକ୍ରିୟାକୁ ବନ୍ଦ କରିଦେଇଛନ୍ତି । ପୂର୍ବ ସରକାର ସମୟରେ ଅନେକ ଭୂତ ହିତାଧିକାରୀ ଚାଉଳ ଉଠାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବା ପାଇଁ ଧରପଗଡ଼ ଆରମ୍ଭ ହୋଇଥିଲା । ରାଜ୍ୟର ଲକ୍ଷାଧିକ ଲୋକ ଇ-କେୱାଇସି ନ କରିବା ପଛରେ ଅନେକ କାରଣ ରହିଛି । ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ବହୁ ହିତାଧିକାରୀ ଅପ୍ଡେଟ୍ କରିପାରିନାହାନ୍ତି । ଏହା ସହ ଦାଦନ ଖଟିବାକୁ ଯାଇ ବାହାରେ ରହୁଥିବା ଶ୍ରମିକମାନେ ମଧ୍ୟ ଇ-କେୱାଇସି କରିନାହାନ୍ତି ।
ତାରିଖ ପରେ ତାରିଖ ଗଡୁଛି ହେଲେ ଶେଷ ହୋଇପାରୁନି ଇ-କେୱାଇସି ପ୍ରକ୍ରିୟା । ଯାହା ରାସନ କାର୍ଡ ହିତାଧିକାରୀଙ୍କ ଚିନ୍ତା ବଢ଼ାଇଛି । ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୫୧ ହଜାର ୧୭୬ ଗାଁରୁ ୨୬୦୩ ଗାଁରେ ନାହିଁ ମୋବାଇଲ ନେଟୱର୍କ । ଏମିତିକି ଆଦିବାସୀ ପ୍ରବଣ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୩୭୫ ଗାଁରେ ନେଟୱର୍କ ନାହିଁ । ରାୟଗଡ଼ା, କୋରାପୁଟ, ମାଲକାନଗିରି ଭଳି ଜିଲ୍ଲାର ବହୁ ଗାଁରେ ଆଜି ବି ପାଇପାରୁନି ନେଟୱର୍କ । ଯାହା ରାସନକାର୍ଡ ଇ-କେୱାସିରେ ବଡ଼ ସମସ୍ୟା ସୃଷ୍ଟି କରିଛି । ଖାଲି ନେଟୱର୍କ ସମସ୍ୟା ନୁହେଁ ହିତାଧିକାରୀଙ୍କ ଟିପ ଚିହ୍ନ ଓ ଆଧାର ଲିଙ୍କ୍ ବି ଇ-କେୱାସିରେ ସାଜିଛି ବାଧକ ।
Follow Us