କନକବ୍ୟୁରୋ : ଆମକୁ ରାସନ କାର୍ଡ ମିଳିବ ତ । ଏ ବର୍ଷ ଚାଉଳ ପାଇବୁ ତ! ଏମିତି ଆଶା ନେଇ କିଏ ମାସେ ତ କିଏ ୩ ମାସ । କିଏ ପୁଣି ୬ ମାସ ଉପରେ। ରାସନ୍ ପାଇଁ ଆବେଦନ କରିଛନ୍ତି , କିନ୍ତୁ ମିଳୁନି । ତାଲିକାରେ ନାଁ ଗଡ଼ୁଛି, କେବେ ମିଳିବ କେହି ଜାଣନାହାନ୍ତି । ରାସନ୍ ପାଇଁ ଚାହିଁ ଚାହିଁ ଦିନ ଯାଉଛି ସିନା ପେଟ ପୂରୁନି । ହଜାର ହଜାର ଲୋକଙ୍କ ମୁହଁରେ ଦୁଇ ଓଳା ଦୁଇ ମୁଠା ପେଟପୂରା ଖାଇବାକୁ ମିଳୁନି । ରାଜ୍ୟ ସରକାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦେଇଥିବା ତଥ୍ୟ ଏଭଳି କିଛି ସତକୁ ସାମ୍ନାକୁ ଆଣିଛି । ଦାଦନ ପ୍ରବଣ ଜିଲ୍ଲା ଭାବେ ଗଞ୍ଜାମ କଳଙ୍କିତ ।
ଏବେ ବି ଶହଶହ ସଂଖ୍ୟାରେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏହାବାଦ୍ ଗଞ୍ଜାମ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା । ଏହି ଜିଲ୍ଲାରୁ ନବୀନ ଜିତି ବିରୋଧୀ ଦଳ ନେତା ହୋଇଛନ୍ତି । ତା ସତ୍ତ୍ବେ ହଜାର ହଜାର ଲୋକଙ୍କୁ ରାସନ୍ ମିଳିପାରୁନି । ୨୦୧୧ ଜନଗଣନା ଅନୁସାରେ ୨୨ଟି ବ୍ଲକ୍ରେ ଲୋକସଂଖ୍ୟା ଥିଲା ୩୫ଲକ୍ଷରୁ ଅଧିକ ।
୭୮% ଅର୍ଥାତ ୨୭ଲକ୍ଷରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି । ସର୍ବାଧିକ ଲୋକ ମୂଲ ମଜୁରି କିମ୍ବା ଦାଦନ ଖଟନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଠାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରହିଛି । ତଥାପି ଗଞ୍ଜାମ ଜିଲ୍ଲାର ଅଧଲକ୍ଷରୁ ଊର୍ଦ୍ଧ୍ବ ଲୋକେ ଏବେ ବି ଖାଇବାକୁ ଠିକ୍ରେ ପାଉନାହାନ୍ତି । ସୂଚନାଯୋଗ୍ୟ, ଅନ୍ଲାଇନ୍ରେ ଆବେଦନ ପରେ ଫିଲ୍ଡ ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ହୁଏ । ଜିଲ୍ଲା ୱାରୀ କୋଟା ନେଇ ସରକାର ନିଷ୍ପତ୍ତି ନିଅନ୍ତି । କିଏ ମଲେ କିମ୍ବା କଟିଲେ ଫାଙ୍କା ସ୍ଥାନରେ ନୂଆ ହିତାଧିକାରୀ ସାମିଲ ହେବେ। ବର୍ଷ ବର୍ଷ ଧରି ଏପରି ବ୍ୟବସ୍ଥା ରହି ଆସିଛି। ଯେଉଁଥିରେ ସୁଧାର ଆସିବା ନେଇ ଦାବି ହେଉଛି ।