କନକ ବ୍ୟୁରୋ : ରୁପା ସହରଠୁ ଅନତି ଦୂରରେ ବିକାଶର ବିକଳ ରୂପ, ଦୀପ ତଳ ଅନ୍ଧାର ଭଳି, ଦ୍ୱୈତ ନଗରୀ ନାକ ତଳେ ଝୁଣି ଖାଉଛି ଦାରିଦ୍ର୍ୟ । କଟକ ସହର ଉପକଣ୍ଠ ଚୌଦ୍ୱାରର ଚିତ୍ର । ଭୋକ ବିକଳରେ ଗାଡ଼ିଆରୁ ଗେଣ୍ଡା ସିପ ସାଉଁଟି ଖାଉଛି ମଣିଷ । ଗଣ୍ଡାଏ ପଖାଳ, ନହେଲେ ପତ୍ର ଠୋଲାରେ ଚାଉଳ ଭଜା। କହ୍ନେଇପୁର ପଞ୍ଚାୟତର ଆଦିବାସୀ ଗାଁ କନମୀରା । ଦାଉ ଦାଉ ଗରିବୀ । ଜଳ ଜଳ ଯନ୍ତ୍ରଣା। ସରକାରୀ ଯୋଜନାରୁ ବଞ୍ଚିତ ଏଠାକାର ୪୦ରୁ ଅଧିକ ପରିବାର । ଏ ଗାଁର ଅଧିକାଂଶ ପିଲା ଅଙ୍ଗନବାଡ଼ି କି ସ୍କୁଲ ଯାଉନାହାନ୍ତି । ଦେଢ଼ କିଲୋମିଟର ଦୂର ଅଙ୍ଗନବାଡ଼ି କେନ୍ଦ୍ରକୁ ରାସ୍ତା ପାରି ହୋଇ ଯିବାକୁ ପଡ଼ୁଥିବାରୁ, ପିଲାଙ୍କୁ ବିପଦ ମୁହଁକୁ ଠେଲିବା ଅପେକ୍ଷା ନିରକ୍ଷର ରଖିବାକୁ ଉଚିତ ମଣିଛନ୍ତି ଲୋକେ । ତେବେ ମଂଗଳବାର ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଗାଁକୁ ଯାଇ ଅଧିକାରୀଙ୍କୁ ତାଗିଦ କରିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ।
ଅଧିକ ପଢ଼ନ୍ତୁ : ବୌଦ୍ଧକୁ ପୂରିଲା ୩୨ ; କେତେ ବଦଳିଛି ଜିଲ୍ଲା ?
ଖାଲି ଚୌଦ୍ୱାର କାହିଁକି, ବୌଦ୍ଧର ତୁଲୁକୁଣ୍ଡାରୁ ସୁନ୍ଦରଗଡ଼ର କୋଇଡ଼ା । ଆଜି ବି ଭୋକରେ ଛଟପଟ ଅଗଣିତ ନଗଡ଼ା । କେଉଁଠି କଂସାରେ ବାସି ଭାତ ଓ ଭୂଇଁରୁ ଲଙ୍କାଗୁଣ୍ଡ ଚାଟୁଛି ମଣିଷ, ଆଉ କେଉଁଠି ପୁଷ୍ଟିହୀନତା ବଖାଣୁଛି କଙ୍କାଳସାର ଶରୀର । ଏପଟେ ସରକାର ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖାଉଥିବା ବେଳେ, ସେପଟେ ଦାରିଦ୍ର୍ୟ, ଅପପୁଷ୍ଟି ଓ ନିରକ୍ଷରତାର ଚକ୍ରବ୍ୟୁହରେ, ଯନ୍ତ୍ରଣା ଜର୍ଜରିତ ଅନେକ ହତଭାଗା ଅଭିମନ୍ୟୁ । ଗତକାଲିର ବୌଦ୍ଧ କୋହ୍ଲସାହି ଭଳି, ଖବର ବାଜିବା ପରେ ସେଠାରେ ପହଞ୍ଚୁଛି ପ୍ରଶାସନ । ଦୁଃଖ ଶୁଣୁଛନ୍ତି, ଦୁଃଖ ଦୂରାଇବାକୁ ଭରସା ଦେଉଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଏତେ ଦିନ ଯାଏଁ କେଉଁଠି ଶୋଇଥିଲା ତମାମ୍ ବ୍ୟବସ୍ଥା? ଆଉ କିଛି ଦିନ ପରେ ଆସିବ ରାଜ୍ୟ ବଜେଟ୍ । ପୁଣି ସରକାର ଆଙ୍କିବେ ବିକାଶର ଗୋଲାପୀ ଛବି । ହେଲେ ସେଇ ଛବିର ଛିଟାଏ ରଙ୍ଗ, ଏମାନଙ୍କ ଭାଗ୍ୟରେ ରଙ୍ଗ ଭରିପାରିବ ତ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/odisha-2026-01-22-20-40-13.jpg)