ଜୁଆ ଖେଳିଲେ ଜେଲ୍ ନାହିଁ, କେବଳ ଜରିମାନା

ରାଜ୍ୟରେ ‌ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍‌ ଯିବାକୁ ପଡ଼ିବନି । କେବଳ ଜରିମାନା ଦେଇଦେ‌ଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ । ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୫ ଆଣିଛନ୍ତି । ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ଆଇନ‌ର ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ,୧୯୫୫ରେ ବ୍ୟାପକ ସଂଶୋଧନ କରି ସମସ୍ତ ଜେଲ୍‌ ଦଣ୍ଡକୁ ଉଠାଇ ଜରିମାନାରେ ପରିଣତ କରାଯାଇଛି ।

odisha-legislative

odisha-legislative Photograph: (KANAK NEWS)

କନକ ବ୍ୟୁରୋ: ରାଜ୍ୟରେ ‌ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍‌ ଯିବାକୁ ପଡ଼ିବନି । କେବଳ ଜରିମାନା ଦେଇଦେ‌ଲେ ସରକାର ଜୁଆ ଖେଳିବାଜନିତ ଅପରାଧକୁ ମାଫ୍ କରିଦେବେ । ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୫ ଆଣିଛନ୍ତି । ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ଆଇନ‌ର ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ,୧୯୫୫ରେ ବ୍ୟାପକ ସଂଶୋଧନ କରି ସମସ୍ତ ଜେଲ୍‌ ଦଣ୍ଡକୁ ଉଠାଇ ଜରିମାନାରେ ପରିଣତ କରାଯାଇଛି । ଏଥିରେ ମୁଖ୍ୟତଃ ୫ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଲେ ଜୁଆ ଖେଳାଳି, ସଂସ୍ଥାଙ୍କ ଅପରାଧ ମାଫ୍ କରିବାର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ।

ବିଧାନସଭାରେ ଓଡ଼ିଶା ଜନବିଶ୍ବାସ ବିଲ୍‌, ୨୦୨୫‌କୁ ପାରିତ କରିବା ପାଇଁ ଦୀର୍ଘ ୪ଘଣ୍ଟା କାଳ ଆଲୋଚନା ହୋଇଥିବାବେଳେ ବିରୋଧୀ ବିଜେଡି ଓ କଂଗ୍ରେସ କଡ଼ା ବିରୋଧ କରିଥିଲେ । ରାତାରାତି ଏହି ବିଲ୍‌କୁ ପ୍ରସ୍ତୁତ କରାଯାଇଛି ଏବଂ ତରବରିଆ ଭାବେ ପାରିତ ନକରି ବିଲ୍‌ଟିକୁ ଯାଞ୍ଚ କମିଟିକୁ ପଠାଇବାକୁ ଦାବି କରିଥିଲେ । କିନ୍ତୁ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଥିଲେ, ଏହି ବିଲ୍‌ ପାସ୍‌ ହେଲେ ରାଜ୍ୟରେ ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍ ଏବଂ ଇଜ୍ ଅଫ୍ ଲିଭିଂ ଆହୁରି ସହଜ ହେବ । ଓଡ଼ିଶାରେ ନିବେଶ ବଢ଼ିବ, ପୁଞ୍ଜିନିବେଶକାରୀଙ୍କର ସରକାରଙ୍କ ପ୍ରତି ବିଶ୍ବାସ ବଢ଼ିବ । ଏହି ବିଲ୍ ରାତାରାତି ନୁହେଁ, ଦୀର୍ଘ ୬ ମାସ ଧରି ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା କରି ଅଣାଯାଇଛି । ତେଣୁ ଯାଞ୍ଚ କମିଟିକୁ ଯିବାର କୌଣସି ଆବଶ୍ୟକତା ନାହିଁ । ସାରା ଦେଶରେ ୯ଟି ରାଜ୍ୟ ଏହାକୁ ଲାଗୁ କରିସାରିଲେଣି । ଆମେ ଯେଉଁ ୧୬ଟି ଆଇନରେ ସଂଶୋଧନ କରିଛୁ, ତାହା ଲୋକଙ୍କ ହିତକୁ ଦେଖି ଆଣିଛୁ । ତେଣୁ ଏହାକୁ ତୁରନ୍ତ ପାସ୍‌ କରି ଲାଗୁ କରାଯାଉ । ଦୀର୍ଘ ୪ ଘଣ୍ଟାର ଆଲୋଚନା ପରେ ଗୃହରେ ଅଧ୍ୟକ୍ଷତା କରୁଥିବା ସନାତନ ବିଜୁଳି ବିଲ୍‌ଟିକୁ ପାରିତ କରିଥିଲେ ।

ଓଡ଼ିଶା ଜନବିଶ୍ବାସ ବିଲ୍‌ ଉପରେ ଆଲୋଚନା ଆରମ୍ଭ କରି ବିଜେଡି ବିଧା‌ୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଦିଲ୍ଲୀରେ କିଛି ଲୋକ ଆଦାନୀ, ଅମ୍ବାନୀ ପାଖରେ ଦେଶକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଜଳ, ଜଙ୍ଗଲ, ଜମିକୁ ଶାଗମାଛ ଦରରେ ବିକିବାକୁ ଫନ୍ଦିଫିକର କରିଛନ୍ତି । ଏହି ବିଲ୍‌ଟି କେବଳ ବହୁରାଷ୍ଟ୍ରୀୟ କମ୍ପାନି, ବଡ଼ ପ୍ରତିଷ୍ଠାନ ପାଇଁ ଜନବିଶ୍ବାସ, ଓଡ଼ିଶାବାସୀଙ୍କ ପାଇଁ ଜନଅବିଶ୍ବାସ ବିଲ୍ । ଏହି ବିଲ୍‌ରେ ବ୍ୟାପକ ତ୍ରୁଟି ରହିଛି । ଲୋକଙ୍କ ତ୍ରୁଟି ସଂଶୋଧନ ପାଇଁ କୌଣସି ସୁଯୋଗ ନଦେଇ ସିଧା ଜରିମାନା ଆଦାୟ କରାଯିବ । ପୂର୍ବରୁ ଯେଉଁ ଜରିମାନା ଥିଲା ତାକୁ ୧୦ ଗୁଣା ବଢ଼ାଇ ଦେଇଛ । ଏହା କେବଳ ତାନାସାହି ମାନସିକତା । ଜୁଆ ଖେଳ ଦ୍ବାରା କିପରି ଇଜ୍‌ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍ ହେବ?

ଧ୍ରୁବଚରଣ ସାହୁ କହିଥିଲେ, ଯଦି ବିଲ୍ ଲୋକଙ୍କ ସ୍ବାର୍ଥ ପାଇଁ ଆଣୁଛ ବୋଲି କହୁଛ ତେବେ ଏହା ଉପରେ ଜନମତ ସଂଗ୍ରହ କରାଯାଉ । ପୂର୍ବରୁ ଜୁଆ ଖେଳିଲେ ଅତି କମ୍‌ରେ ୧ମାସ ଜେଲ୍ ସହ ଜରିମାନା ଥିଲା । ହେଲେ ତୁମେ ୫ ହଜାର ଟଙ୍କା ଜରିମାନା କରି ଛାଡ଼ିଦେବ । ଗୌତମବୁଦ୍ଧ ଦାସ କହିଥିଲେ, ଏହି ବିଲ୍‌ ମାଧ୍ୟମରେ ବିଶ୍ବାସଘାତକତା କରିବା ପାଇଁ କେନ୍ଦ୍ର ସରକାର ୨୦୨୩ରୁ ନୀଳନକ୍ସା ପ୍ରସ୍ତୁତ କରିଛନ୍ତି । ଏହା କେବଳ କର୍ପୋରେଟ୍‌ ସଂସ୍ଥାଙ୍କୁ ସୁହାଇଲା ଭଳି ବିଲ୍ । ଗଣେଶ୍ବର ବେହେରା କହିଥିଲେ, ରାଜ୍ୟ ସରକାର ନଭେମ୍ବର ୩ରେ ଓଡ଼ିଶା ଜନବିଶ୍ବାସ ଅଧ୍ୟାଦେଶ ଆଣିଲେ । ନଭେମ୍ବର ୨୭ରେ ବିଧାନସଭା ଆରମ୍ଭ ହେବାର ଥିଲା । ସରକାରଙ୍କର ଏମିତି କ’ଣ ଜରୁରୀକାଳୀନ ଆବଶ୍ୟକ ପଡ଼ିଲା ଯେ ତରବରିଆ ଭାବେ ଆଧ୍ୟାଦେଶ ଆଣିଲେ ଏବଂ ଏହାକୁ ରାଜ୍ୟପାଳ ଅନୁମୋଦନ କଲେ?

ଆହୁରି ପଢ଼ନ୍ତୁ : ଆସନ୍ତାକାଲି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ମୋଦୀଙ୍କ ନିମନ୍ତ୍ରଣ ଅନୁଯାୟୀ ଦୁଇ ଦିନିଆ ଗସ୍ତରେ ଆସିବେ ପୁଟିନ

କଂଗ୍ରେସ ବିଧାୟକ ସିଏସ୍‌ ରାଜନ ଏକ୍କା କହିଥିଲେ, ଜୁଆ ପାଇଁ ଜରିମାନା ଆଦାୟ କରି ସରକାର ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ଜୁଆ ପାଇଁ ଗାଁ ଗାଁରେ ଗଣ୍ଡଗୋଳ ହେଉଛି । ସରକାର ଜାଣିପାରୁନାହାନ୍ତି ଯେ ଏହାକୁ ପ୍ରଚାର ପ୍ରସାର କରିବାକୁ ଯାଉଛନ୍ତି । ସୋଫିଆ ଫିର୍‌ଦୋସ୍ କହିଥିଲେ, ସରକାର କୌଣସି ବିଲ୍ ପାସ୍ କରିବାବେଳେ ଆମ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି, କିନ୍ତୁ ବାରମ୍ବାର ସଂଶୋଧନ ଆଣୁଛନ୍ତି । ନିର୍ବାଚନ ଜିତିଛ ମାନେ ଲୋକଙ୍କ ଆସ୍ଥା ଜିତିଛ, ହେଲେ ଏହି ବିଲ୍ ଆଣି ଲୋକଙ୍କ ସହ ବିଶ୍ବାସଘାତ କରନି । 

ଶାସକ ଦଳ ପକ୍ଷରୁ ଇରାଶିଷ ଆଚାର୍ଯ୍ୟ କହିଥିଲେ, ପୂର୍ବରୁ ଜୁଆ ଖେଳିଲେ ମାସେରୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଥିଲା । ଏଥିରେ ଜେଲ୍ ଯିବା ଦୂର କଥା, ଥାନାକୁ ବି ଯିବାକୁ ପଡ଼ୁନଥିଲା । ସେହିପରି ବହୁ ଆଇନରେ ୧୦ଟଙ୍କା, ୫୦ଟଙ୍କା ଜରିମାନା ଥିଲା । ତାହାକୁ ଏବେ ବଢ଼ାଯାଇଛି । ବାବୁ ସିଂହ କହିଥିଲେ, ବିରୋଧୀ ଏବେ ‘ଅ’ ପାର୍ଟି ଭଳି କାମ କରୁଛନ୍ତି । ଯାହା ସରକାର କରୁଛନ୍ତି ତା’ପୂବରୁ ଖାଲି ‘ଅ’ ଲଗାଇ ଏହାକୁ ବିରୋଧ କରୁଛନ୍ତି । ଯେମିତି ଜନବିଶ୍ବାସକୁ ଜନଅବିଶ୍ବାସ କହୁଛନ୍ତି । ବିଧାୟକ ସନ୍ତୋଷ ଖଟୁଆ, ଦୁଷ୍ମନ୍ତ କୁମାର ସ୍ବାଇଁ, ପ୍ରତାପଚନ୍ଦ୍ର ନାୟକ, ଫକୀରମୋହନ ନାଏକ, ଦୁର୍ଗାପ୍ରସନ୍ନ ନାୟକ ଏହି ବିଲ୍ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ।

ଆହୁରି ପଢ଼ନ୍ତୁ : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ସୂଚୀ,  ଫେବୃଆରୀରୁ ଆରମ୍ଭ ହୋଇପାରେ ପରୀକ୍ଷା

ଜନବିଶ୍ବାସ, ଜନ ଅଧିକାର ଓ ଜନହିତରେ ଏହି ବିଲ୍ ଅଣାଯାଇଛି: ଶିଳ୍ପ ମନ୍ତ୍ରୀ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଆଲୋଚନାର ଉତ୍ତର ରଖି କହିଥିଲେ, ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ମାତ୍ରାଧିକ ନିୟନ୍ତ୍ରଣ ଓ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନକୁ ହଟାଇବା ପାଇଁ ଏହି ସଂସ୍କାର କରାଯାଇଛି । କେନ୍ଦ୍ର ସରକାରଙ୍କ ଆଇନ ସହ ସମନ୍ୱୟ ରକ୍ଷା କରି ଓଡ଼ିଶା ଜନବିଶ୍ୱାସ ବିଲ୍‌ ପ୍ରସ୍ତୁତ କରାଯାଇଛି । ଏହାଦ୍ବାରା ଅନାବଶ୍ୟକ ଅନୁପାଳନ ବୋଝ ହଟିବ । ଏହି ବିଲ୍ ଜନବିଶ୍ବାସ, ଜନ ଅଧିକାର ଓ ଜନହିତରେ ଅଣାଯାଇଛି । ଏହା ଜନ ଅବିଶ୍ବାସ ନୁହେଁ । ଏଥିରେ ଉଦ୍ଦେଶ୍ୟମୂଳକ ଠକେଇ, ସ୍ବାସ୍ଥ୍ୟ, ପରିବେଶ ଓ ସମାଜ ଉପରେ କୁପ୍ରଭାବ ପକାଉଥିବା କାର୍ଯ୍ୟ ଉପରେ ଦଣ୍ଡବିଧାନ ବ୍ୟବସ୍ଥା ଅଛି । ଏଥିରେ ଛୋଟ ଅପରାଧର ଦଣ୍ଡ କୋହଳ କରାଯାଇଛି । ଜୁଆ ଖେଳିଲେ ପୂର୍ବରୁ ଯେଉଁ ଜରିମାନା ୧୦୦ ଟଙ୍କା ଥିଲା ତାକୁ ୫ ହଜାର ଟଙ୍କା କରାଯାଇଛି, କାରାଦଣ୍ଡ କ୍ଷେତ୍ରରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ରଖାଯାଇଛି । ଏହି ଆଇନକୁ ଭାରତୀୟ ନ୍ୟାୟ ସଂହିତା ସହ ଯୋଡ଼ୁଛୁ । ଯେଉଁଠି ଆବଶ୍ୟକ ପଡ଼ିବ ସେଠାରେ ଆଇନ ଅନୁଯାୟୀ ଦଣ୍ଡବିଧାନ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe