କନକ ବ୍ୟୁରୋ: ଚଳିତ ଆଇଏସ୍ଏଲ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଏଫ୍ସି ନିଜ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍ରେ ରବିବାର ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ଏଥର ସମ୍ମୁଖରେ ଅଛି ଚେନ୍ନାୟିନ୍ ଏଫ୍ସି । ଏହି ମ୍ୟାଚ୍ ଅପରାହ୍ଣ ୫ଟାରେ ଖେଳାଯିବ ।
ଏହା ବି ପଢ଼ନ୍ତୁ: କଳାହାଣ୍ଡି କପ୍: ଗଞ୍ଜାମକୁ ହରାଇଲା ଝାରସୁଗୁଡ଼ା
ପ୍ରଥମ ମ୍ୟାଚ୍ରେ ଇଣ୍ଟରକାଶୀ ସହ ଅମୀମାଂସିତ ରଖି ଗୋଟିଏ ପଏଣ୍ଟ ପାଇଥିବା ଓଡ଼ିଶା ଘରୋଇ ଦର୍ଶକ ସମ୍ମୁଖରେ ରବିବାର ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଇଣ୍ଟରକାଶୀ ବିପକ୍ଷ ମ୍ୟାଚ୍ କଡ଼ା ସଂଘର୍ଷପୂର୍ଣ୍ଣ ହେବା ସହ ଗୋଲ୍ଶୂନ୍ୟରେ ସରିଥିଲା । ଗତ ମ୍ୟାଚ୍ରେ ଆମ ଖେଳାଳିମାନେ ଚମତ୍କାର ଖେଳିଥିଲେ । ବିଜୟ ପାଇ ନଥିଲେ ମଧ୍ୟ ମ୍ୟାଚ୍ରୁ ଗୋଟିଏ ପଏଣ୍ଟ ଆମେ ପାଇଥିଲୁ । ଏବେ ଆମ ପିଲା ବିଜୟ ଲାଗି ଭୋକିଲା ଅଛନ୍ତି ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓଡ଼ିଶା ଏଫ୍ସିର ମୁଖ୍ୟ ପ୍ରଶିକ୍ଷକ ଟିଜି ପୁରୁଷୋତ୍ତମ । ଅଧିନାୟକ ତଥା ଗୋଲି ଅମ୍ରିନ୍ଦର ସିଂହ କହିଛନ୍ତି ଯେ ‘‘ଆମେ ମାତ୍ର ୩ ଦିନ ଏକାଠି ଅଭ୍ୟାସ କରି ମ୍ୟାଚ୍କୁ ଓହ୍ଲାଇଥିଲୁ । ପ୍ରଥମ ମ୍ୟାଚ୍ରେ ଟିକେ ଚାପରେ ଥିଲୁ । ଏହି ମ୍ୟାଚ୍ରୁ ଗୋଟିଏ ପଏଣ୍ଟ ପାଇବା ଆଗାମୀ ମ୍ୟାଚ୍ ଲାଗି ଆମ ଆତ୍ମବିଶ୍ବାସ ବଢ଼ାଇଛି । ଚେନ୍ନାୟିନ୍ ବିପକ୍ଷରେ ଆହୁରି ଭଲ ପ୍ରଦର୍ଶନ କରିବାର ଆଶା ରଖିଛୁ ।’’ ଅନ୍ୟପକ୍ଷରେ ଚେନ୍ନାୟିନ୍ ଏଫ୍ସି ଏପର୍ଯ୍ୟନ୍ତ ପଏଣ୍ଟ ଖାତା ଖୋଲିନି । ଲଗାତାର ଦୁଇଟି ମ୍ୟାଚ୍ରେ ପରାଜୟର ମୁହଁ ଦେଖିଛି । ଗତ ମ୍ୟାଚ୍ରେ ମୋହନ ବାଗାନ ସୁପର ଜାଏଣ୍ଟ୍ସଠୁ ୦-୨ରେ ହାରି ଓଡ଼ିଶା ଆସିଛି । ଏହି ମ୍ୟାଚ୍ ଜିତି କିମ୍ବା ଅମୀମାଂସିତ ରଖି ପଏଣ୍ଟ ଖାତା ଖୋଲିବା ଆଶାରେ ଅଛି ଏହି ଦଳ ।
Follow Us