କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳରେ ଚାଷର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ଯୋଡ଼ା ପୌରପାଳିକା ୬ନଂ ୱାର୍ଡର ଗଙ୍ଗାଧର ମୁଣ୍ଡା। କାନପୁର ଜଳସେଚନ ପ୍ରକଳ୍ପ ଅଞ୍ଚଳରୁ ବିସ୍ଥାପିତ ହେବାପରେ ଗଙ୍ଗାଧର କିଛି ଦିନ ପାଇଁ ଖଣିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ ଖଣି କର୍ତ୍ତୃପକ୍ଷ କିଛି ଦିନ ପରେ ତାଙ୍କୁ କାର୍ଯ୍ୟରୁ ବାହାର କରିଦେବା ପରେ ସେ ହାର୍ ମାନିନଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଜମିକୁ ଲିଜ୍ ଆକରରେ ନେଇ ୫ବର୍ଷ ହେବ ସେଥିରେ ବିଭିନ୍ନ ପ୍ରକାର ପନିପରିବା ଫଳାଇ ଆସୁଥିଲେ। କିଛି ଦିନ ହେବ ପରୀକ୍ଷାମୂଳକ ଭାବେ ଷ୍ଟ୍ରବେରି ଚାରା ଆଣି ଚାଷ କରି ସଫଳ ହୋଇଥିବା ସେ କହିଛନ୍ତି।
ଅଧିକ ପଢ଼ନ୍ତୁ :ୟୁଟ୍ୟୁବ୍ ଶିଖାଇଲା ଚାଷ, ଷ୍ଟ୍ରବେରି ଚାଷ ଦେଲା ପରିଚୟ
ବାହାରର ଚାରା ଏବଂ ଖଣି ଅଞ୍ଚଳର ପାଣିପାଗ ଓ ଜଳବାୟୁରେ ଷ୍ଟ୍ରବେରି ଚାଷ କେତେଦୂର ସଫଳ ହେବ ଆଶଙ୍କା ଥିଲେ ମଧ୍ୟ ଭଲ ଆମଦାନୀ ହେବା ନେଇ ଆଶାବାଦୀ ଅଛନ୍ତି ଗଙ୍ଗାଧର। ନିକଟରେ ନିଜ ଜମିରୁ ସେ ପ୍ରାୟ ୧୦କେଜି ଷ୍ଟ୍ରବେରି ଅମଳ କରି ସ୍ଥାନୀୟ ବଜାରରେ ବିକ୍ରି କରିଛନ୍ତି। ଚାଷ କରି ସେ ନିଜେ କେବଳ ସ୍ବାବଲମ୍ବୀ ହୋଇଛନ୍ତି ତାହାନୁହେଁ ସ୍ଥାନୀୟ ଅଞ୍ଚଳର ୫ରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ମଧ୍ୟ ସେ ରୋଜଗାର ଦେଇ ଆତ୍ମନିର୍ଭରଶୀଳତାର ଦିଶା ଦେଖାଇଛନ୍ତି । ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ପରିସ୍ଥିତି। ଚାକିରୀରୁ ଛଟେଇ ହେବା ପରେ ମଧ୍ୟ ହାରି ନଯାଇ ଚାଷଦ୍ବାରା ସ୍ବାଭିମାନର ସହ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଗଙ୍ଗାଧର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/08/soumya-2026-2026-02-08-22-23-04.jpg)