କନକ ବ୍ୟୁରୋ: ଚଳିତ କଳାହାଣ୍ଡି କପ୍ରେ ଗୁରୁବାର ଅନୁଗୁଳ, ପୁରୀ, ବରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କଟକ-ଏ’, ଗଞ୍ଜାମ, ଗଜପତି ବିଜୟୀ ହୋଇଛନ୍ତି । ଗଜପତିର ଶୁଭମ୍ ରାଉତ ଓ ଗଞ୍ଜାମର ରୋହିତ ସାଗରଙ୍କୁ ୫ ୱିକେଟ୍ ସଫଳତା ମିଳିଥିଲା । ଅଡ଼ଶପୁର ପଡ଼ିଆରେ ଗଜପତି ୯ ୱିକେଟ୍ରେ ରାୟଗଡ଼ାକୁ ପରାସ୍ତ କରିଛି । ଶୁଭମ ରାଉତ (୫/୧୯)ଙ୍କ ବୋଲିଂ ସଫଳତା ଯୋଗୁଁ ରାୟଗଡ଼ା ୪୦.୩ ଓଭରରେ ୧୩୧/୧୦ କରିଥିଲା । ଜବାବରେ ଗଜପତି ଜ୍ଞାନରଞ୍ଜନ (୬୪*)ଙ୍କ ଅର୍ଦ୍ଧଶତକ ବଳରେ ୩୩.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ରେଭେନ୍ସା ଗ୍ରାଉଣ୍ଡ-୨ରେ ଗଞ୍ଜାମ ୪୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୦ ରନ୍ କରିଥିଲା । ଜବାବରେ କିଟ୍ ୩୨.୨ ଓଭରରେ ୧୧୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ୫/୧୧ ବୋଲିଂ ସଫଳତା ପାଇଥିବା ଗଞ୍ଜାମର ରୋହିତ ସାଗର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।
ଏହା ବି ପଢ଼ନ୍ତୁ: ଖରା ଆରମ୍ଭରୁ ଉପାନ୍ତରେ ବଢ଼ିଲାଣି ଜଳ ଯନ୍ତ୍ରଣା, ଉପାନ୍ତ ଗାଁର ଶୋଷ ମେଣ୍ଟାଉଛି ପାହାଡ଼ି ଝରଣା
ଜଟଣୀ ରେଳବାଇ ପଡ଼ିଆରେ ଅନୁଗୁଳ ୯ ୱିକେଟରେ ଭଦ୍ରକକୁ ପରାସ୍ତ କରିଛି । ଭଦ୍ରକ ୪୯.୨ ଓଭରରେ ୧୩୧ କରିଥିଲା ବେଳେ ଅନୁଗୁଳ ୩୭.୧ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା । ପାନକଳା ଶଶାଙ୍କ (୬୧* ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଖୋର୍ଦ୍ଧାସ୍ଥିତ ବିଜେବି ସ୍କୁଲ୍ ପଡ଼ିଆରେ ପୁରୀ ୭ ୱିକେଟ୍ରେ ଭୁବନେଶ୍ବର-ବିକୁ ପରାସ୍ତ କରିଛି । ଭୁବନେଶ୍ବର-ବି ଆୟୁଷ ସୂତାର (୯୫) ଓ ବିଶାଲ ପ୍ରିୟଦର୍ଶୀ (୫୦)ଙ୍କ ଅର୍ଦ୍ଧଶତକ ବଳରେ ୪୭ ଓଭରରେ ୭ ଓ୍ବିକେଟ ହରାଇ ୨୪୧ ରନ୍ କରିଥିଲା । ଜବାବରେ ବିନୟ ପାଇକରାୟ (୭୩) ଓ ମୟଙ୍କ ପଟ୍ଟନାୟକ (୫୬)ଙ୍କ ଅର୍ଦ୍ଧଶତକ ବଳରେ ପୁରୀ ୪୩.୩ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଡ୍ରିମ୍ସ ପଡ଼ିଆରେ ବରଗଡ଼ ୬ ଓ୍ବିକେଟ୍ରେ ମୟୂରଭଞ୍ଜକୁ ପରାସ୍ତ କରିଛି । ମୟୂରଭଞ୍ଜ ୩୭.୫ଓଭରରେ ୧୪୪ ରନ୍ କରିଥିଲା । ଜବାବରେ ରୋହନ କୁମାରଙ୍କ ୬୪ ରନ୍ ସହାୟତାରେ ବରଗଡ଼ ୩୦.୪ ଓଭରରେ ୪ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା । ସନ୍ସାଇନ ପଡ଼ିଆରେ କେନ୍ଦୁଝର ୬ଓ୍ବିକେଟ୍ରେ ବାଲେଶ୍ବରକୁ ପରାସ୍ତ କରିଛି । ନୈତ୍ତମ ଭଞ୍ଜଙ୍କ ୭୬ ରନ ସହାୟତାରେ ବାଲେଶ୍ବର ୪୦.୨ ଓଭରରେ ୨୪୫ ରନ୍ କରିଥିଲା । ଜବାବରେ କେନ୍ଦୁଝର ୪୫.୧ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । କେନ୍ଦୁଝର ପକ୍ଷରୁ ଋତୁରାଜ ମହାନ୍ତି ୯୧ ଓ ଶୁଭ୍ରାଂଶୁ ସେନାପତି ୬୨ ରନ୍ କରିଥିଲେ ।
ଏମ୍ଜିଏମ୍ ପଡ଼ିଆରେ କଳାହାଣ୍ଡି ୬୨ ରନ୍ରେ ଜଗତସିଂହପୁରକୁ ହରାଇଛି । ଶୁଭମ ଦାଶଙ୍କ ୬୭ ରନ୍ ବଳରେ କଳାହାଣ୍ଡି ୨୫୨/୯ କରିଥିଲା । ଜବାବରେ ଜଗତସିଂହପୁର ୪୧.୫ ଓଭରରେ ୧୯୦ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ପଡ଼ିଆରେ କନ୍ଧମାଳ ୪ ୱିକେଟରେ ନୂଆପଡ଼ାକୁ ପରାସ୍ତ କରିଛି । ନୂଆପଡ଼ା ୪୬.୦ ଓଭରରେ ୧୬୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଜବାବରେ କନ୍ଧମାଳ ୪୧.୩ ଓଭରରେ ୬ ଓ୍ବିକେଟ ହରାଇ ମ୍ୟାଚ୍ ଜିତିଥିଲା । ସେହିପରି ରେଭେନସା ପଡ଼ିଆ-୧ରେ କଟକ-ଏ’ ୧୫୨ ରନ୍ରେ ଝାରସୁଗୁଡ଼ାକୁ ପରାସ୍ତ କରିଛି । ଅନିଲ ପରିଡ଼ା (୭୨), ରାଜେଶ ଧୂପର (୬୩), ବିପ୍ଲବ ସାମନ୍ତରାୟ (୫୮) ଓ ସାଇଦୀପ ମହାପାତ୍ର (୫୪)ଙ୍କ ଅର୍ଦ୍ଧଶତକ ସହାୟତାରେ କଟକ-ଏ’ ୫୦ ଓଭରରେ ୭ ୱିକେଟ ହରାଇ ୩୦୯ ରନ୍ କରିଥିଲା । ଜବାବରେ ଝାରସୁଗୁଡ଼ା ୪୧.୨ ଓଭରରେ ୧୫୭ ରନ୍ରେ ଅଟକିଯାଇଥିଲା ।
Follow Us