କନକ ବ୍ୟୁରୋ: ଓଡ଼ିଶା ରଗ୍ବିରେ ନୂଆ ଇତିହାସ ସୃଷ୍ଟି ହୋଇଛି । ୨୦୨୬ ଫେବୁଆରି ୧ ତାରିଖ ଗୋଟିଏ ଦିନରେ ଓଡ଼ିଶାର ଭିନ୍ନ ଭିନ୍ନ ୫ ରଗ୍ବି ଦଳ ଜାତୀୟ ସ୍ତରରେ ବିଜେତା ହୋଇଛନ୍ତି । ୪ ବାଳିକା ଓ ୧ ବାଳକ ଦଳ ଏହି ୫ ସ୍ବର୍ଣ୍ଣ ପଦକ ଜିତି ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଅସ୍ମିତା ମହିଳା ରଗ୍ବି ଲିଗ୍ର ପ୍ରଥମ ସଂସ୍କରଣରେ ଓଡ଼ିଶା ଝିଅମାନେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ତ୍ରିମୁକୁଟ ଅର୍ଜନ କରିଛନ୍ତି । ପ୍ରତିଯୋଗିତାରେ ତିନିଟି ଯାକ ବର୍ଗ ବରିଷ୍ଠ, କନିଷ୍ଠ (୧୮ ବର୍ଷରୁ କମ୍) ଓ ଉପକନିଷ୍ଠ (୧୫ ବର୍ଷରୁ କମ୍)ରେ ଟ୍ରଫି କରାୟତ କରିଛନ୍ତି ।
୧୫ ବର୍ଷରୁ କମ୍ ବାଳିକା ଫାଇନାଲ୍ରେ ଓଡ଼ିଶା ୨୬-୫ରେ ବିହାରକୁ ପରାସ୍ତ କରିବା ପୂର୍ବରୁ ୧୮ ବର୍ଷରୁ କମ୍ ବାଳିକା ଫାଇନାଲ୍ରେ ଓଡ଼ିଶା ୨୯-୦ରେ ମହାରାଷ୍ଟ୍ରକୁ ମାତ୍ ଦେଇଥିଲା । ଶେଷରେ ଅନୁଷ୍ଠିତ ବରିଷ୍ଠ ମହିଳା ଫାଇନାଲ୍ରେ ଓଡ଼ିଶା ଏକତରଫା ଭାବେ ୪୧-୫ରେ ବିହାରକୁ ପରାସ୍ତ କରିଥିଲା । ଏଠାରେ ଦୁଇ ସପ୍ତାହ ତଳେ ବିହାର ଉପକନିଷ୍ଠ ବାଳିକାରେ ବିଜେତା ହୋଇଥିବାରୁ ଓଡ଼ିଶା ଏହାର ମଧୁର ପ୍ରତିଶୋଧ ମଧ୍ୟ ନେଇଯାଇଛି । ବରିଷ୍ଠ ବର୍ଗରେ କିନ୍ତୁ ଓଡ଼ିଶା ଗତ ଜାତୀୟ ରଗ୍ବି ପ୍ରତିଯୋଗିତା ଫାଇନାଲ୍ର ପୁନରାବୃତ୍ତି କରି ବିଜେତା ହୋଇଛି । ପ୍ରତିବର୍ଗର ବିଜେତାକୁ ୧.୪୪ ଲକ୍ଷ ଏବଂ ଉପ ବିଜେତାକୁ ୧.୨୦ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ଅନ୍ୟ ଦୁଇ ସେମିଫାଇନାଲିଷ୍ଟ୍କୁ ୯୬,୦୦୦ ଟଙ୍କା ଲେଖାଏଁ ମିଳିଛି । ୧୫ ବର୍ଷରୁ କମ୍ ବର୍ଗରେ ଓଡ଼ିଶାର ସୁମି ଗଗରାଇ ୭୧ ପଏଣ୍ଟ୍ ସହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
ଏହା ବି ପଢ଼ନ୍ତୁ; କାନ୍ସାସ୍ରେ ତେଜସ୍ବିନଙ୍କୁ ହାଇଜମ୍ପ୍ ମୁକୁଟ; ଅଲିମ୍ପିକ୍ ପଦକ ବିଜେତାଙ୍କୁ ପଛରେ ପକାଇଲେ
ଦୁଇ ଦିନିଆ ଏହି ପ୍ରତିଯୋଗିତାରେଏହି ତିନିଟି ବର୍ଗରେ ଓଡ଼ିଶା ସମେତ ମୋଟ ୨୪ଟି ଦଳ ଓ ୩୩୬ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଅସ୍ମିତା ପଦକ୍ଷେପ ମାଧ୍ୟମରେ ଏହାକୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ରଗବି ଫୁଟ୍ବଲ୍ ସଂଘ ସହଯୋଗରେ ଭାରତୀୟ ରଗବି ଫୁଟ୍ବଲ୍ ୟୁନିୟନ ପକ୍ଷରୁ ଆୟୋଜନ କରାଯାଉଛି । ଉଦ୍ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ଓଡ଼ିଶା ଉଠା ଜଳସେଚିନ ନିଗମ ପରିଚାଳନା ନିର୍ଦ୍ଦେଶିକା ମାନସୀ ନିମ୍ବଲ, ରଗ୍ବି ଇଣ୍ଡିଆ ଉପ ସଭାନେତ୍ରୀ ସନାୟା ମେହେଟ୍ଟା, କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀ ସୋନାଲି ଚାନ୍ଦ, ସୋନାଲି ଶୁଭଦର୍ଶିନୀ, ଧୀରଜ କୁମାର ପଟ୍ଟନାୟକ, ଓଡ଼ିଶା ରଗ୍ବି ଫୁଟ୍ବଲ୍ ସଂଘ ସଭାପତି ପ୍ରିୟଦର୍ଶି ମିଶ୍ର, ଉପସଭାପତି ଉପେନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୬୯ତମ ଜାତୀୟ ସ୍କୁଲ୍ କ୍ରୀଡ଼ାର ରଗ୍ବି (୧୯ ବର୍ଷରୁ କମ୍) ପ୍ରତିଯୋଗିତାରେ ଓଡ଼ିଶା ରବିବାର ଦ୍ବିମୁକୁଟ ଅର୍ଜନ କରିଛି । ତ୍ୟାଗରାଜ ଷ୍ଟାଡିୟମ୍ରେ ଖେଳାଯାଇଥିବା ଫାଇନାଲ୍ରେ ଓଡ଼ିଶା ବାଳିକା ୨୦-୦ରେ ବିହାରକୁ ଏବଂ ବାଳକ ୧୨-୫ରେ ମହାରାଷ୍ଟ୍ରକୁ ପରାସ୍ତ କରି ଏହି ଗୌରବ ଆଣିଛନ୍ତି । ପୂର୍ବରୁ ସେମିଫାଇନାଲ୍ରେ ଓଡ଼ିଶା ବାଳକ ୧୭-୭ରେ ଦିଲ୍ଲୀକୁ ଏବଂ ବାଳିକା ୧୯-୧୦ରେ ମହାରାଷ୍ଟ୍ରକୁ ମାତ୍ ଦେଇଥିଲେ । ଏହି ଐତିହାସିକ ଗୌରବ ପାଇଁ ଖେଳାଳିଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓର୍ଫା ଉପ ସଭାପତି ଉପେନ୍ଦ୍ର କୁମାର ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି ।
Follow Us