କନକ ବ୍ୟୁରୋ : କପା...ଏକ ଅତି ଅର୍ଥକରୀ ଫସଲ, ସେଥିପାଇଁ ଏହାକୁ ଧଳା ସୁନା ବି କୁହାଯାଏ । କପା ଚାଷରେ ପ୍ରବଳ ଲାଭ ମିଳୁଥିବାରୁ ପ୍ରାୟ ପାହାଡ଼ିଆ ଅଞ୍ଚଳବାସୀ କପା ଚାଷ କରିଥାନ୍ତି । କିନ୍ତୁ ଏବେ ସଙ୍କଟରେ କପା ଚାଷୀ । ମଣ୍ଡି ନଥିବାରୁ କପା ଚାଷୀ ହନ୍ତସନ୍ତ ହେଉଛନ୍ତି । ଦକ୍ଷିଣ ଓଡ଼ିଶାରୁ ସାମନାକୁ ଆସିଛି କପା ଚାଷୀଙ୍କ ଦୁର୍ଦ୍ଦଶାର ଖବର, ଗଜପତି ଓ ଗଞ୍ଜାମରେ ସ୍ଥିତି ସମାନ । ଗଜପତିରେ ନାହିଁ କପା ମଣ୍ଡି , ହନ୍ତସନ୍ତ ହେଉଛନ୍ତି ଚାଷୀ । ଧାର୍ଯ୍ୟ ଦରଠାରୁ କମ୍‌ରେ କିଣି ଆନ୍ଧ୍ର ଦଲାଲ ମାଲାମାଲ । ଜିଲ୍ଲାରେ ଅମଳ ହେଉଥିବା ଅର୍ଥକରୀ ଫସଲ ମଧ୍ୟରୁ କପା ଅନ୍ୟତମ । କାଜୁ ପରେ ଅଧିକ ଫସଲ ଅମଳ ହେଉଥିବା ଚାଷ ହେଉଛି କପା । ବର୍ଷ ବର୍ଷ ଧରି ଏହି ଚାଷ କରି ଆସୁଥିଲେ ମଧ୍ୟ ଅମଳ ଫସଲକୁ ସଠିକ୍ ଦରରେ ବିକ୍ରି ନକରିପାରି କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । ଜିଲ୍ଲାରେ ଅମଳ କପା ସାଇତି ରଖିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ । ଅମଳ କପାକୁ ଯେନତେଣ ଦଲାଲ ଜରିଆରେ ବାହାର ରାଜ୍ୟର ବେପାରୀଙ୍କୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ଚାଷୀ । ସେହିପରି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ବି କପାଚାଷୀ ଅସହାୟ । ଏଠାକାର ଚାଷୀ କପା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଗତ କିଛିବର୍ଷ ଭିତରେ ଚିତ୍ର ପୂରାପୂରି ବଦଳିଯାଇଛି ।

Advertisment

ଅଦିନିଆ ବର୍ଷା ସାଙ୍ଗକୁ ସରକାରୀ ସହାୟତା ନଥିବାରୁ କପା ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ । ଅନୁକୂଳ ଜଳବାୟୁ ଯୋଗୁଁ ଗଞ୍ଜାମ ଜିଲ୍ଲାର ସେରଗଡ଼ ବ୍ଲକରେ ପୂର୍ବରୁ ୮୦୦ ହେକ୍ଟର ପର୍ଯ୍ୟନ୍ତ ଜମିରେ କପାଚାଷ ହେଉଥିଲା । କିନ୍ତୁ ବର୍ତ୍ତମାନ ଅରଣାପଦା, ଗର୍ବଗଣ୍ଡା, ବାଦଗଡ଼, ଖିରିଡ଼ା, ହାଡିଚିରା, ପଦ୍ମପୁର, ଚିକିଲି,ଡିଙ୍କିଶାଳ, ସୁନାନ୍ତର ଏବଂ ନରେନ୍ଦ୍ରପୁର ଆଦି ଅଞ୍ଚଳରେ ମାତ୍ର ୪୦୦ ହେକ୍ଟର ଜମିରେ କପାଚାଷ ହେଉଛି । ଏହି ଚାଷ କମିବାର ପ୍ରମୁଖ କାରଣ ସରକାରୀ ସହାୟତା ନ ମିଳିବା ଓ ଅମଳ ସମୟରେ ଅଦିନିଆବର୍ଷା ଏବଂ ମଣ୍ଡି ସମସ୍ୟା ।

ଗଜପତିରେ ପ୍ରଥମେ ଅଦିନିଆ ବର୍ଷା ଆଉ ତାପରେ ବାତ୍ୟା ମୋନ୍ଥା ପ୍ରଭାବରେ ବର୍ଷା, କପା ଚାଷୀଙ୍କ ୫୦ ପ୍ରତିଶତ କପା ନଷ୍ଟ କରିଥିଲା । ଯାହା ବଳିଥିଲା ତାକୁ ଆନ୍ଧ୍ର ବେପାରୀଙ୍କୁ ଶାଗମାଛ ଦରରେ ବିକି ଚାଲିଛନ୍ତି ଚାଷୀ । ବିଶେଷ କରି କାଶୀନଗର ଅଞ୍ଚଳରୁ ଅଧିକାଂଶ ଅମଳ କପା ଆନ୍ଧ୍ର ବେପାରୀ ହାତରେ ଟେକି ଦେଉଛନ୍ତି । ସରକାରୀ ଭାବରେ ଜିଲ୍ଲାରେ ମୋଟ ୨୬୪୬ ହେକ୍ଟର ଜମିରେ କପାଚାଷ କରାଯାଉଥିବା ବେଳେ ପାଖାପାଖି ୫୨୯୨୦ କୁଇଣ୍ଟାଲ କପା ଅମଳ ଲକ୍ଷ୍ୟ ରଖିଛି ବିଭାଗ । କିନ୍ତୁ ଜିଲ୍ଲାରେ ୭୩୩ ଜଣ ଚାଷୀ କପା ବିକ୍ରି ପାଇଁ ମୋବାଇଲ ଆପ ମାଧ୍ୟମରେ ଆବେଦନ କରିଥିଲେ ମଧ୍ୟ ସେଥିରୁ ମାତ୍ର ୩୩ ଜଣ ଚାଷୀ ପଞ୍ଜୀକୃତ ହୋଇପାରିଛନ୍ତି । ଜମି ପଟ୍ଟା, ରାଜସ୍ୱ ଅଧକାରୀଙ୍କ ରିପୋର୍ଟ, ନେଟୱର୍କ ସମସ୍ୟା ଭଳି ଅନେକ କାରଣରୁ ଚାଷୀ ଆପ୍‌ରେ ପଞ୍ଜୀକୃତ ହେବାରୁ ବଞ୍ଚିତ ଅଛନ୍ତି ।

ସେପଟେ ଜିଲ୍ଲାରେ ମଣ୍ଡି ବ୍ୟବସ୍ଥା ନଥିବାରୁ ପଞ୍ଜୀକୃତ ଚାଷୀ ମଧ୍ୟ ରାୟଗଡ଼ା ଜିଲ୍ଲାରେ ଯାଇ ମଣ୍ଡିରେ ବିକ୍ରି କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାର ଫାଇଦା ନେଉଛନ୍ତି ଦଲାଲ । ଗଞ୍ଜାମରେ ବି ସ୍ଥିତି ସମାନ , ଆଗରୁ ଘର ପାଖ ଆସିକା ସୂତାକଳରେ କପା ବିକ୍ରି କରୁଥିଲେ ସ୍ଥାନୀୟ ଚାଷୀ କିନ୍ତୁ ଏବେ ଦିଗପହଣ୍ଡି ନେବାକୁ ପଡ଼ୁଛି । ଗମନାଗମନ ଖର୍ଚ୍ଚ ବି ଚାଷୀ ଉପରେ ବୋଝ ସଦୃଶ ହେଉଛି । ଏଣୁ ଧୀରେ ଧୀରେ କପା ଚାଷରୁ ମୁହଁ ଫେରାଇବାରେ ଲାଗିଲେଣି ଚାଷୀ ।