କନକ ବ୍ୟୁରୋ : ଶୀତଦିନିଆ ପରିବା କଥା ଆସିଲେ ପ୍ରଥମେ ମନକୁ ଆସେ ଫୁଲକୋବି । ଥଣ୍ଡା ପଡ଼ିବାମାତ୍ରେ ଘରେ ଘରେ ଫୁଲକୋବିର ନାନା ରକମର ଖାଦ୍ୟ ରନ୍ଧାଯାଏ । ସୁସ୍ବାଦୁ ଖାଇବା ଆମ ଓଠରେ ହସ ଫୁଟାଏ । କିନ୍ତୁ ଏବେ ଏହି ଫୁଲ କୋବି ଚାଷ କରୁବା ଚାଷୀ ଆଖିରେ ଲୁହ । ସଠିକ୍ ମୂଲ୍ୟ ପାଇପାରୁନଥିାବରୁ ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଫୁଲକୋବି ଚାଷୀ । ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ଝାରେଡ଼ିଗୋବିନ୍ଦପୁର, ସାନରାମଚନ୍ଦ୍ରପୁର ଓ ସୁବଳୟା ଆଦି ତିନୋଟି ପଞ୍ଚାୟତର ପ୍ରାୟ ୧୦ରୁ ଅଧିକ ଗାଁର ଫୁଲକୋବି ଚାଷୀ ଏବେ ଚିନ୍ତାରେ । ଚଳିତ ବର୍ଷ ଫୁଲକୋବି ଚାଷ ଭଲ ହୋଇଥିବା ବେଳେ ଭଲ ଦରରେ ବିକ୍ରି ମଧ୍ୟ ହୋଇଥିଲା । କିନ୍ତୁ ହଠାତ ସପ୍ତାହ ମଧ୍ୟରେ ଫୁଲକୋବି କିଲୋ ପିଛା ୫୮ ଟଙ୍କାରୁ ଖସି ଆସି ୩୫ ଟଙ୍କାରେ ପହଞ୍ଚିଛି । ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି ।
ଏକର ଏକର ଜମିରେ ହୋଇଥିବା ଫୁଲକୋବିକୁ ତରବରିଆ ଭାବେ କାଟିବାରେ ଲାଗିଛନ୍ତି ଚାଷୀ । କାରଣ ଦର ଦିନକୁ ଦିନ କମି କମି ଆସୁଛି । ଏ ଖବର ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ସିପକୁଦା ଗାଁର । କେବଳ ଏହି ଗାଁ ନୁହେଁ, ରାଧାଗୋବିନ୍ଦପୁର, ଶ୍ରୀରାମଚନ୍ଦ୍ରପୁର ଓ ସୁବଳୟା ଭଳି ତିନୋଟି ପଞ୍ଚାୟତର ପ୍ରାୟ ୧୦ରୁ ଅଧିକ ଗାଁରେ ଚଳିତ ବର୍ଷ ଫୁଲକୋବି ଚାଷ କରିଥିଲେ ଚାଷୀ ମାନେ । ପାଣିପାଗ ଭଲ ରହିଥିବା ଯୋଗୁଁ ଭଲ ଚାଷ ହେବା ସହିତ ଅମଳ ମଧ୍ୟ ଭଲ ହୋଇଥିଲା । ଗତ ଏକ ସପ୍ତାହ ପୂର୍ବରୁ ଫୁଲକୋବି କିଲୋ ପିଛା ଚାଷୀଙ୍କ ଠାରୁ ବ୍ୟବସାୟୀ ମାନେ ୫୫ ଟଙ୍କାରୁ ୬୦ ଟଙ୍କାରେ କିଣି ନେଉଥିଲେ। କିନ୍ତୁ ବର୍ତ୍ତମାନ ୨୦ ଟଙ୍କା ଖସି ଫୁଲକୋବି କିଲୋ ପିଛା ଦର ୩୫ ଟଙ୍କାରେ ପହଞ୍ଚିଛି। ଫଳରେ ଅନ୍ୟ ଉପାୟ ନ ପାଇ ବ୍ୟବସାୟୀଙ୍କୁ ଶାଗମାଛ ଦରରେ ଫୁଲକୋବି ବିକ୍ରି କରୁଛନ୍ତି ଚାଷୀ । ଦିନକୁ ଦିନ ଆହୁରି ଦର କମିବା ଭୟରେ ଚାଷୀ ମାନେ ତରବରିଆ ଭାବେ ଫୁଲକୋବି କାଟିବାରେ ଲାଗିଛନ୍ତି । କାରଣ ଦର ଯଦି ଆହୁରି କମିଯିବ ତେବେ ଲାଭ ତ ଦୂରର କଥା ମୂଳ ପରିଶ୍ରମ ହିଁ ପାଇପାରିବେ ନାହିଁ ଚାଷୀ ମାନେ ।
ଅଧିକ ପଢ଼ନ୍ତୁ--କୁହୁଡ଼ି ଖାଇଗଲା ସୁନା ଫସଲ; ନଷ୍ଟ ହେଲାଣି କାକୁଡ଼ି, ବିନ୍ସ, ଫୁଲକୋବି ଭଳି ପରିବା
ଏହି ଅଞ୍ଚଳରେ ଫୁଲକୋବି ଚାଷ ଭଲ ହେଉଥିବା ଯୋଗୁଁ ଦୀର୍ଘ ବର୍ଷ ହେଲା ଚାଷୀ ମାନେ ଫୁଲକୋବି ଚାଷ କରି ଆସୁଛନ୍ତି । ଦୀର୍ଘ ଦିନ ଧରି ସପରିବାର ପରିଶ୍ରମ, ବିହନ କିଣା, ମୁଲିଆଙ୍କୁ ମଜୁରୀ ପ୍ରଦାନ ଏଭଳି ସବୁ କ୍ଷେତ୍ରରେ ଟଙ୍କା ଗଣିବା ପରେ ମଧ୍ୟ ମୂଳ ଟଙ୍କା ଚାଷୀ ମାନେ ପାଇପାରୁନାହାନ୍ତି । ଏଣୁ ପର ପିଢ଼ି ଆଉ ଚାଷ ନ କରି ଦାଦନ ଖଟିବା ପାଇଁ ଯାଉଥିବା କହିଛନ୍ତି ଚାଷୀଙ୍କ ପରିବାର ଲୋକେ । ଗୋଟିଏ ଭରଣ ଫୁଲକୋବି ଚାଷ ନିମନ୍ତେ ପ୍ରାୟ ବିହନ, ମେଡିସିନ୍ ସହ ଅନ୍ୟ ସାମଗ୍ରୀକୁ ମିଶାଇ ମୋଟ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯଦି ଦର ୩୫ ରୁ ୪୦ ଟଙ୍କା ରହେ ତେବେ ୫୦ ହଜାରରୁ ୬୦ ହଜାର ଟଙ୍କା ମିଳିଥାଏ ।
ସେପଟେ ଚାଷୀଙ୍କ ଠାରୁ ବ୍ୟବସାୟୀ ମାନେ ୩୫ ଟଙ୍କାରେ ଫୁଲକୋବି କିଣିବା ପରେ ତାହାକୁ ୬୦ ଟଙ୍କାରେ ବଜାରରେ ବିକ୍ରି କରୁଛନ୍ତି । ଖାଉଟି ମାନେ ୬୦ ଟଙ୍କାର ଫୁଲକୋବି କିଣୁଥିବା ବେଳେ ବ୍ୟବସାୟୀ ମାନେ ସିଧାସଳଖ ୨୫ ଟଙ୍କା ଲାଭ ପାଉଛନ୍ତି । କିନ୍ତୁ ଚାଷୀ ମାନେ କ୍ଷତି ସହୁଛନ୍ତି । ତେଣୁ ଧାନମଣ୍ଡି ଭଳି ପନିପରିବା ମଣ୍ଡି କରି ସରକାର ପନିପରିବାକୁ କିଣି ତାହାକୁ ଖାଉଟିଙ୍କୁ ପ୍ରଦାନ କଲେ, ଚାଷୀ ନିଜର ସଠିକ୍ ପାରିଶ୍ରମିକ ପାଇପାରିବା ସହ ଖାଉଟି ମାନେ ମଧ୍ୟ ଭଲ ଦରରେ ଫୁଲକୋବି କିଣିଥାନ୍ତେ ବୋଲି କହିଛନ୍ତି ଚାଷୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/16/cauliflower-2025-12-16-17-16-19.jpg)