କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରତିଟି ମ୍ୟାଚ୍‌ ଅପୂର୍ବ ରୋମାଞ୍ଚ ଓ ଅନନ୍ୟ ଉତ୍କଣ୍ଠା ଭରା ରହୁଛି । ପ୍ରଥମ ଦିନରେ ପାକିସ୍ତାନ-ନେଦରଲାଣ୍ଡ୍‌ସ ଏବଂ ଭାରତ-ଆମେରିକା ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା । ସେହି ଧାରାକୁ ଆଗକୁ ନେଇ ରବିବାର ଦ୍ବିତୀୟ ଦିନର ଦ୍ବିତୀୟ ମ୍ୟାଚ୍‌ ଶେଷ ଓଭରକୁ ଯିବା ବିଶ୍ବକପ୍‌ର ଉତ୍ସାହକୁ ବହୁଗୁଣ ବଢ଼ାଇ ଦେଇଛି । ଇଂଲଣ୍ଡ ଓ ନେପାଳ ଭିତରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ନେପାଳ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାରୁ ଅଳ୍ପକେ ବଞ୍ଚିତ ହୋଇଛି । ପୂର୍ବ ବିଜେତା ଇଂଲଣ୍ଡ ବଡ଼ ପରାଜୟରୁ ଅଳ୍ପକେ ବର୍ତ୍ତିଯାଇଛି ।

Advertisment

ଏହା ବି ପଢ଼ନ୍ତୁ: ନଗେଶ ଟ୍ରଫି ଲାଗି ଓଡ଼ିଶା ଦଳ ଘୋଷଣା : କାଲି ଉତ୍ତରାଖଣ୍ଡକୁ ଭେଟିବ

ରବିବାର ଇଂଲଣ୍ଡ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ନିଜ ଅନଭିଜ୍ଞ ହେଲେ ଉତ୍ସାହୀ ଦଳର ସାହସିକ ବ୍ୟାଟିଂ ପାଇଁ ନେପାଳ ୪ ୱିକେଟ୍‌ ବିନିମୟରେ ୧୮୦ ରନ୍‌ କରି ମାତ୍ର ୪ ରନ୍‌ରେ ମ୍ୟାଚ୍‌କୁ ହାରିଥିଲା । ଶେଷ ଓଭର ପର୍ଯ୍ୟନ୍ତ ଲଢ଼ୁଆ ଖେଳ ଖେଳି କିନ୍ତୁ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲା । ଏପରିକି ଶେଷ ୬ ବଲ୍‌ ପର୍ଯ୍ୟନ୍ତ ଇଂଲଣ୍ଡ ହାତରୁ ମ୍ୟାଚ୍‌ ଖସିଯିବାର ଆଶଙ୍କା ଥିଲା । ଏହି ନାଟକୀୟ ମୁକାବିଲାର ଅନ୍ତିମ ଓଭରରୁ ଐତିହାସିକ ବିଜୟ ଲାଗି ନେପାଳକୁ ୧୦ ରନ୍‌ର ଦରକାର ଥିଲା । ତେବେ ସାମ୍‌ କରନ୍‌ କେତୋଟି ୟର୍କର ତଥା ଅଫ୍‌ଷ୍ଟମ୍ପ୍‌ ଲାଇନ୍‌ ବଲ୍‌ରେ ନେପାଳ ବ୍ୟାଟର୍‌ଙ୍କୁ ଚତୁରତାର ସହ ବାନ୍ଧି ରଖିବା ପରେ ସେମାନେ ହାତଖୋଲା ସଟ୍‌ ଖେଳି ପାରି ନଥିଲେ । ଫଳରେ ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ଏହା ପୂର୍ବରୁ ୨୦୨୪ ବିଶ୍ବକପ୍‌ରେ ନେପାଳ ମାତ୍ର ୧ ରନ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା । ରବିବାର ସେହି ପରାଜୟର ଦୁଃଖକୁ ଦୂର କରିବାର ପାଖରେ ପହଞ୍ଚି ପୁଣି ଥରେ ସ୍ମରଣୀୟ ବିଜୟ ହାତଛଡ଼ା କରିଥିଲା ।

 ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ହଜାର ହଜାର ନେପାଳୀ ସମର୍ଥକଙ୍କ ଗହଣରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୫ ରନ୍‌ରେ ପ୍ରଥମ ଏବଂ ୫୭ ରନ୍‌ରେ ୩ ୱିକେଟ୍‌ ହରାଇ ସଂଘର୍ଷ କରିଥିଲା । ତେବେ ଜ୍ୟାକବ୍ ବେଥେଲ ଓ ଅଧିନାୟକ ହ୍ୟାରି ବ୍ରୁକ୍‌ଙ୍କ ଅର୍ଦ୍ଧଶତକ ସହ ୱିଲ୍‌ ଜ୍ୟାକ୍‌ଙ୍କ ବିସ୍ଫୋରକ ୩୯ ରନ୍‌ ବଳରେ ଇଂଲଣ୍ଡ ୭ ୱିକେଟ୍‌ ବିନିମୟରେ ୧୮୪ ରନ୍‌ କରିଥିଲା । ଜବାବରେ ନେପାଳ ପାଳିରେ ଗୋଟିଏ ବି ଅର୍ଦ୍ଧଶତକ ନଥିଲେ ବି ଏହି ଦଳ ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା । ଅଧିନାୟକ ରୋହିତ ପୌଡେଲ, ମଧ୍ୟକ୍ରମ ବ୍ୟାଟର୍‌ ଦୀପେନ୍ଦ୍ର ସିଂହ ଆଇରୀ ଓ ଲୋକେଶ ରାମ ଲଢ଼ୁଆ ବ୍ୟାଟିଂ କରିବା ପରେ ପୂର୍ବ ବିଜେତା ଇଂଲଣ୍ଡ ଶିବିରରେ ଛନକା ପଶି ଯାଇଥିଲା । ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଲାଗି ଜ୍ୟାକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । 

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ୨୦ ଓଭରରେ-୧୮୪/୭ (ଜ୍ୟାକବ୍‌ ବେଥେଲ ୫୫, ହ୍ୟାରି ବ୍ରୁକ୍‌ ୫୩, ୱିଲ୍‌ ଜ୍ୟାକ୍ସ ୩୯*, ଦୀପେନ୍ଦ୍ର ସିଂହ ଆଇରୀ ୨/୨୩, ନନ୍ଦନ ଯାଦବ ୨/୨୫) । ନେପାଳ ୨୦ ଓଭରରେ-୧୮୦/୬ (ଦୀପେନ୍ଦର ସିଂହ ଆଇରୀ ୪୪, ରୋହିତ ପୈଡେଲ ୩୯, ଲୋକେଶ ରାମ ୩୯*, ଲିୟାମ ଡ’ସନ୍‌ ୨/୨୧, ସାମ୍‌ କରନ ୧/୨୭) ।