କନକ ବ୍ୟୁରୋ : ଜାନକୀଙ୍କୁ ଝୁରୁଛି ଓଡ଼ିଶା । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହ । ଏଥିରେ ଦଳମତ ନିର୍ବିଶେଷରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଜେବିଙ୍କୁ ଜାଣିଥିବା, ମିଶିଥିବା ଓ ତାଙ୍କ ସହ କାର୍ଯ୍ୟ କରିଥିବା ରାଜ୍ୟ ତଥା ଦେଶର ପ୍ରମୁଖ ରାଜନେତା ଓ ବ୍ୟକ୍ତିବିଶେଷ ।

Advertisment

ସେ ଥିଲେ ଅନନ୍ୟ ଜନନାୟକ, ଆଧୁନିକ ଓଡ଼ିଶାର ନିର୍ମାତା । ଯୁବାବସ୍ଥାରୁ ରାଜନେତା ଯାଏଁ ଯାତ୍ରାରେ, ତାଙ୍କ ମୂଳମନ୍ତ୍ର ଥିଲା 'ଓଡ଼ିଆ ଅସ୍ମିତା' । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ରାଜନୀତିଜ୍ଞ, ପ୍ରଖ୍ୟାତ ସାମ୍ୱାଦିକ, ସାହିତ୍ୟିକ- ଜାନକୀ ବଲ୍ଲଭ ପଟ୍ଟନାୟକ । ୩ ଜାନୁଆରି ୧୯୨୭ରେ ଜନ୍ମ, ୨୧ ଏପ୍ରିଲ ୨୦୧୫ରେ ତିରୋଧାନ । ଦେହାନ୍ତର ଦଶନ୍ଧି ପରେ ବି, ଅମର ତାଙ୍କ ଆଦର୍ଶ ଓ ଅବଦାନ ।

ଅଧିକ ପଢ଼ନ୍ତୁ : ଆଜି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ, ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆରେ ବଡ଼ ସମାରୋହ

ଯାହାର ଝଲକ ଆଜି ଦେଖିବାକୁ ମିଳିଛି, ଏହି ପ୍ରଜ୍ଞା ପୁରୁଷଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ । ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଓ ରାଜନେତା । ଦଳ ମତ ନିର୍ବିଶେଷରେ ଏକ ସ୍ୱରରେ ସ୍ମୃତିଚାରଣ କରିଥିଲେ ଓଡ଼ିଶା ପ୍ରଗତିରେ ଜାନକୀଙ୍କ ଯୋଗଦାନ କଥା । ଭୁବନେଶ୍ୱରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଜାନକୀଙ୍କ ଜନ୍ମ ଶତବାର୍ଷିକୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜାନକୀଙ୍କ ପ୍ରଶଂସାରେ ଶତମୁଖ ହେବା ସହ ତାଙ୍କ ସହିତ କାମ କରିବାର ସୌଭାଗ୍ୟ ମୋ ପାଇଁ ବଡ଼ ଅନୁଭୂତି ବୋଲି କହିଥିଲେ ।

୮୦ ଦଶକର ଓଡ଼ିଶା ବିକାଶରେ ଜୀବନ ଭରିଥିଲା ଜାନକୀଙ୍କ ଅପୂର୍ବ ଦକ୍ଷତା । ତାଙ୍କ ରାଜନୈତିକ ଯାତ୍ରା, ରାଜ୍ୟକୁ ଦେଇଥିଲା ନିର୍ଣ୍ଣାୟକ ଦିଶା । ଓଡ଼ିଶାବାସୀଙ୍କ ଉନ୍ନତିରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି କହିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ହଜାରେ ଦିନ ଓ ହଜାରେ ଶିଳ୍ପର ଆହ୍ୱାନ ହେଉ ଅବା କୃଷିକୁ ଶିଳ୍ପର ମାନ୍ୟତା । ଏଥିସହ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ । ଏଭଳି ଅନେକ ବୈପ୍ଳବିକ ଅଧ୍ୟାୟର ଜନକ, ଜାନକୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଆଜି ବି କିଭଳି ପ୍ରାସଙ୍ଗିକ, ତା ଉପରେ ଆଲୋକପାତ କରିଥିଲେ ସମସ୍ତେ । ଜାନକୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜିଠୁ ଆସନ୍ତାବର୍ଷ ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ବିଭିନ୍ନ କାର୍ଯ୍ୟକ୍ରମ ।