କନକ ବ୍ୟୁରୋ : କେବିସିରେ ଭାଗନେଲେ ଓଡ଼ିଆ ପୁଅ, ବିଗ୍ ବିଙ୍କ ସହ ନାଟକ 'ଆହେ ନୀଳ ଶଇଳ' ନେଇ କଲେ ଚର୍ଚ୍ଚା । ଶ୍ରୀମନ୍ଦିରକୁ ଭବ୍ୟ ମନ୍ଦିର କହିବା ସହ ପୁରୀର ପ୍ରସିଦ୍ଧ ଖଜାର ସ୍ବାଦକୁ ପ୍ରଶଂସା କଲେ ଅମିତାଭ୍ ବଚ୍ଚନ । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରଦର୍ଶିତ କୌନ ବନେଗା କରୋଡ଼ପତିର ହଟ୍‌ସିଟ୍‌ରେ ବସି ଏବେ ଚର୍ଚ୍ଚାରେ ପୁରୀ କୁଣ୍ଢେଇବେଣ୍ଟ ସାହିର ଅଭିଳାଷ ହୋତା । ଆହେ ନୀଳ ଶଇଳ ନାଟକରେ ଲକ୍ଷ୍ମୀ ପରମଗୁରୁଙ୍କ ଭୂମିକା ନିଭାଇଥିବା ବାପା ଶମ୍ଭୁନାଥ ହୋତା ମଧ୍ୟ ପୁଅ ସହିତ ମଞ୍ଚରେ ସହଯୋଗୀ ଭାବେ ସାମିଲ ହୋଇଥିଲେ । ନାଟକ ଆହେ ନୀଳ ଶଇଳ ସମ୍ପର୍କରେ କେବିସିର ଉପସ୍ଥାପକ ତଥା ବିଗ୍ ବି ଅମିତାଭ୍ ବଚ୍ଚନଙ୍କୁ କହିବା ସହ ଏଥିରେ ସେ ନିଜେ ଅଭିନୟ କରିଥିବା ଅବଗତ କରାଇଥିଲେ ଅଭିଳାଷଙ୍କ ବାପା ଶମ୍ଭୁନାଥ ହୋତା । 

Advertisment

ଉଭୟ ବାପା ଓ ପୁଅଙ୍କ ଠାରୁ ନାଟକ ସମ୍ପର୍କରେ ଶୁଣି ପୁରୀ ଶ୍ରୀମନ୍ଦିରକୁ ଭବ୍ୟ କହିବା ସହ ଖଜାର ପ୍ରଶଂସା କରିଛନ୍ତି ବିଗ୍ ବି । ଜୟା ବଚ୍ଚନଙ୍କ ସହ ମିଶି ସେ ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିଥିବା ସେ କହିଥିଲେ । ସେପଟେ କେବିସି ମାତ୍ର ୧ଲକ୍ଷ ଟଙ୍କା ଜିତିବାକୁ ସକ୍ଷମ ହୋଇଥିଲେ ଅଭିଳାଷ । କିନ୍ତୁ ବିଗ୍‌-ବିଙ୍କ ନିକଟରେ ବସିବାର ସୁଯୋଗ ତାଙ୍କ ପାଇଁ ସବୁଠୁ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି । ଚକଲେଟ ପ୍ରଡ଼କ୍ସନ ପକ୍ଷରୁ ଆୟୋଜିତ ଐତିହାସିକ ନାଟକ "ଆହେ ନୀଳ ଶଇଳ" ସାରା ରାଜ୍ୟରେ ଚହଳ ପକାଇଛି । ଆସନ୍ତା ୧୫ ଜାନୁଆରୀରୁ ୧୮ଜାନୁଆରୀ ଯାଏ ରବିନ୍ଦ୍ର ମଣ୍ଡପରେ ନାଟକ ପ୍ରଦର୍ଶିତ ହେବାକୁ ଯାଉଛି । ପ୍ରତିଦିନ ସଂଧ୍ୟା ୬ଟାରୁ ଆରମ୍ଭ ହେବ ଶୋ, ଏଥିପାଇଁ ବୁକ୍ ମାଇଁ ଶୋ ଜରିଆରେ ଟିକେଟ୍ ପାଇପାରିବେ ଦର୍ଶକ ।