କନକ ବ୍ୟୁରୋ : ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଛି ‘ଚକ୍ଲେଟ୍ ପ୍ରଡକ୍ସନ’ର ବହୁଚର୍ଚ୍ଚିତ ଓଡ଼ିଆ ନାଟକ ‘ଆହେ ନୀଳ ଶଇଳ’ । ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ବି ହାଉସଫୁଲ ଥିଲା ରବୀନ୍ଦ୍ର ମଣ୍ଡପ । କୋଟି ଓଡ଼ିଆଙ୍କ ରକ୍ଷାକର୍ତ୍ତା ବଡ଼ଠାକୁର ଶ୍ରୀ ଜଗନ୍ନାଥ ଓ ତତ୍କାଳୀନ ଗଜପତି ରାଜା ରାମଚନ୍ଦ୍ର ଦେବଙ୍କ କାହାଣୀ ଉପରେ ଆଧାରିତ ଏହି ନାଟକ ଦର୍ଶକଙ୍କୁ ଭକ୍ତିରସରେ ଭିଜାଇ ଦେଇଥିଲା । ନାଟକର ଐତିହାସିକ ବିଷୟବସ୍ତୁ, ଉଚ୍ଚକୋଟିର ନିର୍ଦ୍ଦେଶନା ଓ ନିଖୁଣ ଅଭିନୟ ଦେଖି ଦର୍ଶକଙ୍କ ଆଖିରୁ ଝରିଥିଲା ଲୁହ ।
ଓଡ଼ିଶା ତଥା ଓଡ଼ିଶା ବାହାରେ ଏକାଧିକ ମଞ୍ଚରେ ପରିବେଷିତ ହୋଇ ଅଜସ୍ର ପ୍ରଶଂସା ସାଉଁଟିଥିବା ‘ଚକ୍ଲେଟ୍ ପ୍ରଡକ୍ସନ’ର ବହୁଚର୍ଚ୍ଚିତ ଓଡ଼ିଆ ନାଟକ ‘ଆହେ ନୀଳ ଶଇଳ’ ପୁନର୍ବାର ମଞ୍ଚସ୍ଥ ହେଉଛି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ । ନାଟକ ଦେଖିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଆସିଥିଲେ ନାଟକ ପ୍ରେମୀ । ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆସନ୍ତା ୧୨ ତାରିଖ ଯାଏ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ‘ଆହେ ନୀଳ ଶଇଳ’ ।