କନକ ବ୍ୟୁରୋ: ଗୋଟିଏ ସପ୍ତାହରେ ଦୁଇଟି ବଡ଼ ବିସ୍ଫୋରଣ , ଦିଲ୍ଲୀ ପରେ ଶ୍ରୀନଗର । ନୌଗାମ୍ ଥାନାରେ ଫାଟିଲା ଆତଙ୍କବାଦୀଙ୍କଠାରୁ ଜବତ ହୋଇଥିବା ବିସ୍ଫୋରକ । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପ୍ରଥମେ ଏହା କୌଣସି ଆତଙ୍କବାଦୀ ହମଲା କି ବୋଲି ସନ୍ଦେହ କରାଯାଉଥିଲା । କାରଣ ଜୈଶ-ଇ-ମହମ୍ମଦର ଗୋଟିଏ ସଂଗଠନ ପିଏଏଫ୍‌ଏଫ୍‌ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା । କିନ୍ତୁ ଜମ୍ମୁ-କଶ୍ମୀର ଡିଜିପି ନଳୀନ ପ୍ରଭାତ ଏହାକୁ ଖଣ୍ଡନ କରିଛନ୍ତି । ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ, ବରଂ ପରିଚାଳନାଗତ ତ୍ରୁଟି ବୋଲି ସେ ସ୍ପଷ୍ଟ କରିଛନ୍ତି ।

Advertisment

ଶ୍ରୀନଗର ନୌଗାମ୍ ପୁଲିସ ଷ୍ଟେସନରେ ଫରିଦାବାଦ୍‌ରୁ ଜବତ ପ୍ରାୟ ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍‌ର ନମୂନା ସଂଗ୍ରହ କରାଯାଉଥିଲା । ଏହି ସମୟରେ ହୋଇଥିଲା ବିରାଟ ବିସ୍ଫୋରଣ । ଚାଲିଗଲା ୯ ଜଣଙ୍କ ଜୀବନ, ଗୁରୁତର ଆହତ ହେଲେ ୩୦ରୁ ଅଧିକ । ଛିନ୍‌ଛତ୍ର ହୋଇଗଲା ନୌଗାମ୍ ଥାନା ଓ ଆଖପାଖ ଅଞ୍ଚଳ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମଣିଷର ଅଙ୍ଗ ଅନେକ ଦୂର ଯାଏଁ ଛିଟିକି ପଡ଼ିଥିଲା । ପୁଲିସ ଡିଜି କହିଛନ୍ତି, ବିସ୍ଫୋରଣ କେବଳ ଏକ ଦୁର୍ଘଟଣା, ଏଥିରେ କାହାର ଦୋଷ ରହିଛି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି । 

ଅଧିକ ପଢ଼ନ୍ତୁ--ବଦଳିବ କଶାଫଳ ବେଳାଭୂମିର ରୂପରେଖ;ମିଳିଲା ପର୍ଯ୍ୟଟନସ୍ଥଳୀର ମାନ୍ୟତା

ଦିଲ୍ଲୀ ବିସ୍ଫୋରଣ ପଛରେ ଆତଙ୍କୀ ଡାକ୍ତରଙ୍କ ନେଟୱର୍କର ପର୍ଦ୍ଦାଫାଶ କରିଥିଲା ନୌଗାମ ପୁଲିସ୍ । ଜମ୍ମୁ-କାଶ୍ମୀର, ହରିୟାଣା, ଦିଲ୍ଲୀ ପର୍ଯ୍ୟନ୍ତ ନେଟୱର୍କର ଖୁଲାସା କରିଥିଲା । ଆତଙ୍କୀ ଡାକ୍ତର ମୁଜାମିଲ୍‌ର ଫରିଦାବାଦ ଘରୁ ମିଳିଥିଲା ୩୬୦ କିଲୋ ଆମୋନିୟମ୍ ନାଇଟ୍ରେଟ୍ । ୧୦ ନଭେମ୍ବରରେ ଦିଲ୍ଲୀ ଲାଲ୍‌କିଲ୍ଲା ନିକଟରେ ହୋଇଥିବା ବଡ଼ ବିସ୍ଫୋରଣ ଆମୋନିୟମ୍ ନାଇଟ୍ରେଟ୍ ଦ୍ବାରା ବିସ୍ଫୋରଣ କରାଯାଇଥିବା ସ୍ପଷ୍ଟ ହୋଇଛି । ଥାନା ଭିତରେ ହୋଇଥିବା ବିସ୍ଫୋରଣରେ ଜଣେ ଏସ୍‌ଆଇଏ ଅଧିକାରୀ, ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ତିନି ଜଣ କର୍ମଚାରୀ, ଦୁଇଜଣ ଫଟୋଗ୍ରାଫର, ଦୁଇ ଜଣ ରାଜସ୍ୱ ଅଧିକାରୀ ଏବଂ ଜଣେ ଦର୍ଜୀ ଅଛନ୍ତି ।