କନକ ବ୍ୟୁରୋ: ରେକର୍ଡ ୨୫ତମ ଗ୍ରାଣ୍ଡ୍ ସ୍ଲାମ୍ ବିଜୟ ଲକ୍ଷ୍ୟରେ ଥିବା ସର୍ବିୟାର ମହାନ ଟେନିସ୍ ଖେଳାଳି ନୋଭାକ ଜୋକୋଭିକ ଚଳିତ ଅଷ୍ଟ୍ରେଲିଆନ୍ ପୁରୁଷ ଏକକର ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି । ଏଠାରେ ଚତୁର୍ଥ ସିଡ୍ର ମାନ୍ୟତା ଲାଭ କରିଥିବା ଜୋକୋଭିକ୍ ଗୁରୁବାର ଇଟାଲିର ଯୋଗ୍ୟତା ଅର୍ଜନକାରୀ ଫ୍ରାନ୍ସେସ୍କୋ ମିସ୍ତ୍ରେଲିଙ୍କୁ ୬-୩, ୬-୨, ୬-୨ ସେଟ୍ରେ ପରାସ୍ତ କରିଛନ୍ତି । ତା’ସହିତ ମେଲବର୍ଣ୍ଣ ପାର୍କରେ ଏକାଦଶ ଟ୍ରଫି ଜିତିବା ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛନ୍ତି । ଜୋକୋଭିକ ସଂପ୍ରତି ୨୪ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତି ଅଷ୍ଟ୍ରେଲିଆର ମହାନ ମହିଳା ଟେନିସ୍ ଖେଳାଳି ମାର୍ଗାରେଟ୍ କୋର୍ଟଙ୍କ ସହ ସମକକ୍ଷ ଅଛନ୍ତି ।
ଏହା ବି ପଢ଼ନ୍ତୁ: ସିଏମ୍ ଟ୍ରଫିକୁ ଘାତକ ସମ୍ଭାବ୍ୟ ବୟସ ଜାଲିଆତି
ଚଳିତବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ଜିତିଲେ ୨୫ ଗ୍ରାଣ୍ଡ୍ ସ୍ଲାମ୍ ଜିତିବାରେ ବିଶ୍ବର ପ୍ରଥମ ଖେଳାଳି ହେବେ ସେ । ୩୮ବର୍ଷୀୟ ଜୋକୋଭିକ ମଧ୍ୟ ବ୍ୟକ୍ତିଗତ ଭାବେ ୩୯୯ ଗ୍ରାଣ୍ଡ୍ ସ୍ଲାମ୍ ମ୍ୟାଚ୍ ବିଜୟ ହାସଲ କରିଛନ୍ତି । ମେଲବର୍ଣ୍ଣରେ ଏହା ହେଉଛି ତାଙ୍କର ୧୦୧ତମ ବିଜୟ । ଯାହା ସ୍ବିଜରଲାଣ୍ଡ୍ର ମହାନ ଖେଳାଳି ରୋଜର ଫେଡେରର୍ଙ୍କଠାରୁ ମାତ୍ର ଗୋଟିଏ କମ୍ । ଅନ୍ୟମାନଙ୍କ ମଧ୍ୟରୁ ନେଦରଲାଣ୍ଡ୍ସ ବୋଟିକ ଭାନ୍ ଡି ଜାଣ୍ଡେସ୍କଲ୍ପ ନିଜ ମ୍ୟାଚ୍ ଜିତି ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି ।
ଏହା ବି ପଢ଼ନ୍ତୁ: ତଥାପି କମୁନି ବାଂଲାଦେଶ ଫୁଟାଣି: କୋଟି କୋଟି ଟଙ୍କା ହରାଇବ, ବିଶ୍ୱ କ୍ରିକେଟ୍ରୁ ଏକଘରିକିଆ ହେବ
ମହିଳା ଏକକରେ ଗତଥର ବିଜୟିନ ତଥା ଆମେରିକୀୟ ତାରକା ମାଡିସନ୍ କିଜ୍ ଅଳ୍ପକେ ଦ୍ବିତୀୟ ରାଉଣ୍ଡ୍ ପରାଜୟରୁ ବର୍ତ୍ତି ଯାଇଛନ୍ତି । ଏହି ରାଉଣ୍ଡ୍ରେ ତାଙ୍କୁ ନିଜ ଦେଶର ଆସଲିନ କ୍ରୁଗର୍ କଡ଼ା ପରୀକ୍ଷାରେ ପକାଇଥିଲେ । ତଥାପି ନିଜ ଅଭିଜ୍ଞତାରୁ ଉପଯୋଗ କରି କିଜ୍ ଏହି ମ୍ୟାଚ୍କୁ ୬-୧, ୭-୫ରେ ଜିତି ନେଇ ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ୩୦ବର୍ଷୀୟ କିଜ୍ ନିଜ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ ଜିତିବାକୁ ମଧ୍ୟ କଡ଼ା ସଂଘର୍ଷ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଲଜିୟମ୍ର ଏଲିସ୍ ମର୍ଟେନ୍ସ, ଆମେରିକାର ଅମଣ୍ଡା ଆନିସିମୋଭା, ଚେକ୍ ରିପବ୍ଲିକ୍ର ଲିଣ୍ଡା ନସ୍କୋଭା ପ୍ରମୁଖ ମଧ୍ୟ ନିଜନିଜ ଦ୍ବିତୀୟ ରାଉଣ୍ଡ୍ ମ୍ୟାଚ୍ ଜିତି ତୃତୀୟ ରାଉଣ୍ଡ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/tennis-2026-01-22-14-58-18.jpg)