କନକ ବ୍ୟୁରୋ: ବିନା କାରଣରେ ବିବାଦ ସୃଷ୍ଟି କରି ଭରତ ଆସିବାକୁ ମନା କରୁଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ଆଇସିସି ତା’ର ଅସଲ ସ୍ତର ଦେଖାଇଛି । ଭାରତ ଆସି ଲିଗ୍ ପର୍ଯ୍ୟାୟର ଚାରିଟି ମ୍ୟାଚ୍ ନଖେଳିଲେ ବିଶ୍ବକପ୍ରୁ ବିଦା ହେବାର ଚୂଡ଼ାନ୍ତ ଚେତାବନୀ ଆଇସିସି ତାକୁ ବୁଧବାର ଦେଇସାରିଛି । ତଥାପି ବିସିବିର ଫୁଣାଣି କମୁନି । ଆଇସିସି ବୋର୍ଡ ବୈଠକରେ ବାଂଲାଦେଶକୁ ବିଶ୍ୱକପ୍ରୁ ବାଦ୍ ଦେବା ସପକ୍ଷରେ ୧୪ ଏବଂ ବିପକ୍ଷରେ ମାତ୍ର ୨ ଭୋଟ ପଡ଼ିବା ସତ୍ତ୍ବେ ଆଇସିସି ଆମ ଦାବି ରଖିବ ବୋଲି ବିସିବି ସଭାପତି ଅମିନୁଲ ଇସଲାମ୍ ମୁହଁ ଫୁଟାଣି ମାରିଛନ୍ତି ।
ଏହା ବି ପଢ଼ନ୍ତୁ: ସୂର୍ଯ୍ୟକୁମାରଙ୍କ ନିଆରା ଶତକ, ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ରେକର୍ଡ
ବିଶ୍ବକପ୍ ମ୍ୟାଚ୍କୁ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିସିବି କରିଥିବା ଅନୁରୋଧକୁ ଆଇସିସି ବହୁମତରେ ଅଗ୍ରାହ୍ୟ କରିବା ପରେ ଅମିନୁଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମ ସରକାରଙ୍କ କଥା ହେବାକୁ ମୁଁ ଅଧିକ ସମୟ ମାଗିଥିଲି । ଆଇସିସି ଏଥିଲାଗି ଆମକୁ ୨୪ରୁ ୪୮ ଘଣ୍ଟା ସମୟ ଦେଇଛି । ଆଇସିସି ଶେଷ ମୁହୂର୍ତ୍ତରେ କିଛି ଗୋଟାଏ ଯାଦୁ କରିବ ଏବଂ ଆମ କଥା ରଖିବ ବୋଲି ଆଶା ରଖିଛି। ବିଶ୍ବକପ୍ ଖେଳିବାକୁ ଆମେ ବ୍ୟଗ୍ର ଅଛୁ । କିଏ ବା ନ ରହିବ ? ଆମ ଖେଳାଳିମାନେ ବି ଏଥିଲାଗି ବହୁ ଦିନ ହେବ ପ୍ରସ୍ତୁତି କରୁଛନ୍ତି । ବାଂଲାଦେଶ ସରକାର ମଧ୍ୟ ବାଂଲାଦେଶ କ୍ରିକେଟ୍ ଦଳ ବିଶ୍ୱକପ୍ ଖେଳୁ ବୋଲି ଚାହୁଛି ବୋଲି ଆହୁରି କହିଛନ୍ତି ସେ । ସୂଚନାଯୋଗ୍ୟ ଯେ ଏହି ମାମଲାରେ ନିଜ ଅଭିମୁଖ୍ୟକୁ ଆଇସିିସି ଆହୁରି କଠୋର କରିଛି । ୨୪ ଘଣ୍ଟା ଭିତରେ ବିଶ୍ୱକପ୍ ଖେଳିବ କି ନଖେଳିବ ନଜଣାଇଲେ ବାଂଲାଦେଶ ପରିବର୍ତ୍ତେ ସ୍କଟଲଣ୍ଡ୍କୁ ଖେଳିବାର ସୁଯୋଗ ଦିଆଯିବ ବୋଲି ସ୍ପଷ୍ଟ ଭାବେ କହିଛି ।
ବିଶ୍ୱକପ୍ ନଖେଳିଲେ ବାଂଲାଦେଶ କ୍ରିକେଟ୍ ବୋର୍ଡ ତଳିତଳାନ୍ତ ହୋଇଯିବ । ତା’ର ଆର୍ଥିକ ସ୍ଥିତି ବି ପୂରା ଦୋହଲିଯିବ । ଏପରିକି ଏହି ଦଳ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଏକଘରିକିଆ ହେବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି । ଏସବୁ ସତ୍ତ୍ବେ ଭାରତ ଆମ ପାଇଁ ସୁରକ୍ଷିତ ନୁହେଁ ବୋଲି ବୋର୍ଡ ପୁଣି ଥରେ ଦୋହରାଇଛି। ସଭାପତି ଅମିନୁଲ ଇସଲାମ କହିଛନ୍ତି, ଆମେ ଭାବୁନୁ ଯେ ଭାରତ ଆମ ଖେଳାଳିଙ୍କ ପାଇଁ ସୁରକ୍ଷିତ । ଯେତେବେଳେ ଏକ ସରକାର କୌଣସି ନିଷ୍ପତ୍ତି ନିଏ, ସେତେବେଳେ କେବଳ ଖେଳାଳିଙ୍କ କଥାକୁ ବିଚାରକୁ ନିଏନି, ସବୁକଥାକୁ ନଜରରେ ରଖେ। ପ୍ରକାଶ ଥାଉ କି ବିଶ୍ବକପ୍ ଲାଗି ଭାରତ ଅତ୍ୟନ୍ତ ସୁରକ୍ଷିତ ସ୍ଥାନ । ବାଂଲାଦେଶ ଖେଳାଳିଙ୍କୁ ସେଠାରେ କୌଣସି ବିପଦ ନାହିଁ । ଆବଶ୍ୟକ ହେଲେ ଆମେ ବାଂଲାଦେଶ ଖେଳାଳିଙ୍କ ସୁରକ୍ଷାକୁ ଦୁଇଗୁଣ ବଢ଼ାଇ ଦେବାକୁ ବୋଲି ଆଇସିସି ପୂର୍ବରୁ ଆଶ୍ବାସନା ଦେଇ ସାରିଛି । ଆସନ୍ତାମାସରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଗ୍ରୁପ୍-ସିରେ ଥିବା ବାଂଲାଦେଶ ନିଜ ପ୍ରଥମ ୩ ମ୍ୟାଚ୍ କୋଲକାତାରେ ଫେବ୍ରୁଆରି ୭,୯ ଓ ୧୪ରେ ଏବଂ ଶେଷ ମ୍ୟାଚ୍ ଫେବ୍ରୁଆରି ୧୭ରେ ମୁମ୍ବାଇରେ ଖେଳିବାର ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/bangladesh-2026-01-22-10-05-21.jpg)