ଭାରତ ପାଇଁ ଅଶୁଭ ନଭେମ୍ବର...ଥରେ ନୁହେଁ ୬ ଥର ହେଲାଣି ଭୟାନକ ଅଘଟଣ

ପୁଣି ଥରେ ଭାରତ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି ନଭେମ୍ବର । କାରଣ ପ୍ରଥମ ଥର ପାଇଁ ନଭେମ୍ବର ମାସ ଏଭଳି ଘଟିନି । ଏହାପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟାଇ ସାରିଛନ୍ତି ଆତଙ୍କୀମାନେ । ବାରମ୍ବାର ନୀରିହ ଲୋକଙ୍କ ପ୍ରାଣ ଯାଇଛି । 

November-Bomb-Blast

November-Bomb-Blast Photograph: (Kanak news)

କନକ ବ୍ୟୁରୋ : ନଭେମ୍ବର ୧୦ ତାରିଖ... ସୋମବାର... ଦିଲ୍ଲୀର ଲାଲ୍‌କିଲ୍ଲା ମେଟ୍ରୋ ଷ୍ଟେସନ ଅଞ୍ଚଳରେ ସବୁଦିନ ଭଳି ଲୋକଙ୍କ ଗହଳି ଲାଗି ରହିଥିଲା । ଠିକ୍‌ ସନ୍ଧ୍ୟା ୭ଟା ବେଳେ ରାଜଧାନୀର ଛାତି ଉପରେ ଘଟିଗଲା ଏକ ବଡ଼ ଧରଣର ବିସ୍ଫୋରଣ । ଖାଲି ଦିଲ୍ଲୀର ନୁହେଁ ଏ ଅଘଟଣରେ ପୂରା ଦେଶର ଛାତି ଥରି ଉଠିଥିଲା । ଚଳଚଞ୍ଚଳ ଦିଲ୍ଲୀରେ ଏବେ ଖାଲି ବଞ୍ଚିବା ପାଇଁ ଚିତ୍କାରର ସ୍ୱର ଶୁଣା ଯାଉଥିଲା । ନଭେମ୍ବର ୧୦ ତାରିଖରେ ଆତଙ୍କୀମାନେ  ନିଜ ଉଦ୍ଦେଶ୍ୟରେ ସଫଳ ହୋଇଥିଲେ । ଆଉ ପୁଣି ଥରେ ଭାରତ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି ନଭେମ୍ବର । କାରଣ ପ୍ରଥମ ଥର ପାଇଁ ନଭେମ୍ବର ମାସ ଏଭଳି ଘଟିନି । ଏହାପୂର୍ବରୁ ବାରମ୍ବାର ଏଭଳି ଘଟଣା ଘଟାଇ ସାରିଛନ୍ତି ଆତଙ୍କୀମାନେ । ବାରମ୍ବାର ନୀରିହ ଲୋକଙ୍କ ପ୍ରାଣ ଯାଇଛି । 

୧୯୯୧, ନଭେମ୍ବର ୮ ମୁମ୍ବାଇରେ ଟ୍ରେନ୍‌ ବିସ୍ଫୋରଣ 

୧୯୯୧ ମସିହା ନଭେମ୍ବର ୮ ତାରିଖରେ ମୁମ୍ବାଇର ଏକ ଲୋକାଲ ଟ୍ରେନ୍‌ରେ ବଡ଼ ଧରଣ ବିସ୍ଫୋରଣ କରିଥିଲେ ଆତଙ୍କୀମାନେ । ଏହି ଆତଙ୍କୀ ହମ୍‌ଲାରେ ୧୨ ଜଣ ନୀରିହ ଲୋକଙ୍କ ଜୀବନ ହାନୀ ହୋଇଥିଲା । ଖାଲି ସେତିକି ନୁହେଁ, ଏଥିରେ ୬୫ ଜଣ ଗୁରୁତର ଭାବରେ ଆହତ ବି ହୋଇଥିଲେ । ଏହାପରେ ୧୯୯୨ ମସିହାରେ ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ଗିରଫ କରିଥିଲା ପୁଲିସ । ୧୯୯୭ ମସିହାରେ ଏହି ଆତଙ୍କୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ ।

୨୦୦୨, ନଭେମ୍ବର ୨୪, ରଘୁନାଥ ମନ୍ଦିର ଗୁଳିକାଣ୍ଡ 

ଦିନ ଥିଲା ୨୦୦୨ ମସିହା, ନଭେମ୍ବର ୨୪ ତାରିଖ, ଜମ୍ମୁ କାଶ୍ମୀରରେ ଥିବା ରଘୁନାଥ ମନ୍ଦିରରେ ପଶିଥିଲେ ଆତଙ୍କୀମାନେ । ଏଠାରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରୁଥିବା ବେଳେ ମନ୍ଦିର ଭିତରେ ଆତଙ୍କୀମାନେ ଆରମ୍ଭ କରିଦେଇଥିଲେ ଆଖିବୁଜା ଗୁଳିଚାଳନା । ଏହି ଗୁଳିକାଣ୍ଡରେ ୧୪ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା । ୪୫ ଜଣଙ୍କ ଗୁରୁତର ଭାବରେ ଆହତ ହୋଇଥିଲେ । ଲସ୍କର-ଏ-ତୋଏବା ଏହି ଆତଙ୍କୀ ଘଟଣା ଘଟାଇଥିଲା । 

୨୦୦୭, ନଭେମ୍ବର ୨୩, ଲକ୍ଷ୍ନୌ, ବାରାଣସୀ ବିସ୍ଫୋରଣ

ଗତ ୨୦୦୭ ମସିହା ନଭେମ୍ବର ୨୩ ତାରିଖରେ ଉତ୍ତର ପ୍ରଦେଶରେ ସିରିଏଲ ବୋମା ବିସ୍ଫୋରଣ କରିଥିଲେ ଆତଙ୍କୀମାନେ । ଏଥର କୋର୍ଟକୁ ଟାର୍ଗେଟ୍‌ କରିଥିଲେ ଆତଙ୍କବାଦୀମାନେ । ପ୍ରଥମେ ଲକ୍ଷ୍ନୌ, ପରେ ଫୈଜାବାଦ୍‌, ବାରଣାସୀକୁ ଟାର୍ଗେଟ୍‌ କରାଯାଇଥିଲା । ଏହି ଘଟଣାରେ ୧୮ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୮୦ରୁ ଅଧିକ ଆହତ ହୋଇଥିଲେ । ସାଇକେଲ୍‌ରେ ଆର୍‌ଡିଏକ୍ସ ବାନ୍ଧି ଏହି ବିସ୍ଫୋରଣ କରାଯାଇଥିଲା । 

ଅଧିକ ପଢ଼ନ୍ତୁ--ବାପାଙ୍କୁ ମୁଖାଗ୍ନି ଦେଲା ଝିଅ, ପାଉଁଶ ହୋଇଗଲା ପୁରୁଣା ପ୍ରଥା

୨୦୦୮, ନଭେମ୍ବର ୨୬, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ 

ସମୁଦ୍ରପଥ ଦେଇ ସ୍ୱପ୍ନ ନଗରୀ ମୁମ୍ବାଇରେ ପଶିଥିଲେ ପାକ୍‌ ଆତଙ୍କବାଦୀମାନେ । ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ନାରକୀୟ କାଣ୍ଡ ଘଟାଇଥିଲେ ଆତଙ୍କୀ । ଗୋଟିଏ କି ଦୁଇଟି ନୁହେଁ ୯ଟି ସ୍ଥାନରେ ଘଟାଇଥିଲେ ବର୍ବର କାଣ୍ଡ । ଏହି  ଆତଙ୍କବାଦୀ ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ହୋଟେଲ୍‌ ତାଜ୍‌ରେ ମୃତାହତ ସଂଖ୍ୟା ସର୍ବାଧିକ ଥିଲା । 

୨୦୧୬ ନଭେମ୍ବର ୨୯, ସେନା ଶିବିର ଗ୍ରେନେଡ୍‌ ଆକ୍ରମଣ

୨୦୧୬ ମସିହା ନଭେମ୍ବର ୨୯ ତାରିଖରେ ଜମ୍ମୁ ଓ କାଶ୍ମୀରରେ ଥିବା ନାଗ୍ରୋଟା ସେନା ଶିବିର ଭିତରକୁ ଯବାନ ପୋଷାକ ପିନ୍ଧି ପଶି ଆସିଥିଲେ ତିନି ଜଣ ଆତଙ୍କୀ । ଏହାପରେ ଘନ ଘନ ଗ୍ରେନେଡ ଫିଙ୍ଗିବା ଆରମ୍ଭ କରିଦେଇଥିଲେ । ଏହି ଆତଙ୍କୀ ହମ୍‌ଲାରେ ୭ ଯବାନ ସହିଦ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏଥିରେ ଦୁଇଜଣ ଅଧିକାରୀ ବି ସାମିଲ ଅଛନ୍ତି । ଏହାପରେ ତିନି ଜଣ ଆତଙ୍କୀ ମଧ୍ୟ ନିପାତ ହୋଇଥିଲେ ।  

୨୦୨୫ ନଭେମ୍ବର ୧୦, ଦିଲ୍ଲୀ ବୋମା ବସ୍ଫୋରଣ  

ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ବର୍ବରକାଣ୍ଡରେ ୧୩ ଜଣଙ୍କ ଜୀବନ ହାନୀ ହେଲାଣି । ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ଏଭଳି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହାପରେ ସବୁ ଦିଗରୁ ତଦନ୍ତ ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି । କିନ୍ତୁ ଇତିହାସ କହୁଛି ନଭେମ୍ବର ମାସରେ ଥରେ କି ଦୁଇ ଥର ନୁହେଁ ୬ ଥର ବର୍ବର କାଣ୍ଡ ଘଟାଇଛନ୍ତି ଆତଙ୍କବାଦୀମାନେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe