କନକ ବ୍ୟୁରୋ : ଲୋକସଭାର ବାଚସ୍ପତି ଓମ୍ ବିର୍ଲା ନିଜ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ନହେବା ପର୍ଯ୍ୟନ୍ତ ସେ ଗୃହରେ ଅନୁପସ୍ଥିତ ରହିବେ ବୋଲି କହିଛନ୍ତି । ସୂତ୍ର ସୂଚନା ମୁତାବକ ତାଙ୍କ ଉପରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ସଂସଦରେ ଚର୍ଚ୍ଚା ହୋଇ ନିର୍ଣ୍ଣୟ ନହେବା ପର୍ଯ୍ୟନ୍ତ ସେ ଗୃହକୁ ଆସିବେନି । ହେଲେ ସଂସଦୀୟ ବ୍ୟବସ୍ଥା ଭିତରେ ଏଭଳି କିଛି ନିୟମ ନାହିଁ । ଏହା ପରେ ବି ଓମ୍ ବିର୍ଲା ସଂସଦ ନଆସିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏଭଳି ନିଷ୍ପତ୍ତି ପରେ ସରକାର କିମ୍ବା ବିରୋଧୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିପାରନ୍ତି । ହେଲେ ସେ ସ୍ପଷ୍ଟ କରିଛନ୍ତି କି, ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ନହେବା ପର୍ଯ୍ୟନ୍ତ ସେ ଗୃହକୁ ଆସିବେ ନାହିଁ । 

Advertisment

ସୂଚନା ମୁତାବକ ବିଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ମାର୍ଚ୍ଚ ୯ ତାରିଖରେ ଲୋକସଭାର ଅଧ୍ୟକ୍ଷ ଓମ୍ ବିର୍ଲାଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇପାରେ । ଏହି ପ୍ରକ୍ରିୟା କ୍ରମରେ ସଦନରେ ସର୍ବନିମ୍ନ ୫୦ ଜଣ ସାଂସଦ ଠିଆ ହୋଇ ଅବିଶ୍ୱାସ ପ୍ରସ୍ତାବକୁ ସମର୍ଥନ କରିବା ଦରକାର । ଏହାପରେ ବାଚସ୍ପତି ଏହି ପ୍ରସ୍ତାବ ଉପରେ ଔପଚାରିକ ଚର୍ଚ୍ଚା ପାଇଁ ଅନୁମତି ଦେଇପାରନ୍ତି । ଯଦି ସେହିଦିନ ପ୍ରସ୍ତାବ ସପକ୍ଷରେ ଆବଶ୍ୟକ ସମର୍ଥନ ମିଳିଯାଏ ତେବେ ମାର୍ଚ୍ଚ ୯ ତାରିଖରେ ଏହା ଉପରେ ଗୃହରେ ଆଲୋଚନା ହେବ । 

 ଅଧିକ ପଢନ୍ତୁ:ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଲୋକସଭାରେ ଝଡ଼,  ଉଠାଇଲେ ଚୀନ୍ ସୀମା ପ୍ରସଙ୍ଗରେ ପୂର୍ବତନ ସ୍ଥଳସେନା ମୁଖ୍ୟ ନରବଣେଙ୍କ ଅପ୍ରକାଶିତ ପୁସ୍ତକର ତଥ୍ୟ

ସୂଚନା ଥାଉ କି, ଚଳିତ ଅଧିବେଶନରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ଚର୍ଚ୍ଚିତ ଏପଷ୍ଟିନ ଫାଇଲ ସହ ପୂର୍ବତନ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ବାବଦରେ ଗୃହରେ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହି ଆଲୋଚନା ଉପରେ ବାଚସ୍ପତି ଓମ୍ ବିର୍ଲା ବାରମ୍ବାର ପ୍ରତିବନ୍ଧକ ଲଗାଉଥିଲେ । ଏହାକୁ ନେଇ ବିରୋଧୀଦଳ ବିଶେଷ କରି କଂଗ୍ରେସ ଅସନ୍ତୋଷ ଜାହିର କରିବା ସହ ଇଣ୍ଡିଆ ମେଣ୍ଟର ସମର୍ଥନରେ ବାଚସ୍ପତିଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିବା ସହ ୧୧୮ ଜଣ ସାଂସଦଙ୍କ ହସ୍ତାକ୍ଷର ଥାଇ ବାଚସ୍ପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ।