କନକ ବ୍ୟୁରୋ: ଆଇପିଏଲରେ ଅଲୋଡ଼ା ହୋଇଥିଲେ । ଏବେ ବିଜୟ ହଜାରେ ଟ୍ରଫିରେ କରୁଛନ୍ତି ଦମଦାର ପ୍ରଦର୍ଶନ । ଆମେ କହୁଛୁ ଓଡ଼ିଶାର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ୱସ୍ତିକ ସାମଲ ଓ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ କଥା । ଯେଉଁମାନେ ଆଇପିଏଲ ମିନି ଅକ୍ସନରେ 30 ଲକ୍ଷ ବେସ ପ୍ରାଇସରେ ସାମିଲ ହୋଇଥିଲେ ସତ ହେଲେ ତାଙ୍କୁ କେହି କିଣିନଥିଲେ । ଆଉ ଏବେ ସେମାନେ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ଦେଖାଇ ଦେଇଛନ୍ତି ଯେ ସେମାନେ ବି କାହାଠାରୁ କମ୍ ନୁହନ୍ତି । 

Advertisment

 ଓଡ଼ିଶାର ଓପନିଂ ବ୍ୟାଟର ସ୍ୱସ୍ତିକ ସାମଲ ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ଆଲୁରଠାରେ ଏକ ସ୍ମରଣୀୟ ପାଳି ଖେଳି ନିଜ ନାମକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିଥିଲେ । ଏହି ଡାହାଣହାତୀ ବ୍ୟାଟର ୧୬୯ ବଲରେ ୨୧୨ ରନ୍ ସଂଗ୍ରହ କରି କେବଳ ନିଜ ଦଳକୁ ଏକ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚାଇଥିଲେ । ଆଉ ଲିଷ୍ଟ-ଏ କ୍ରିକେଟରେ ଓଡ଼ିଶା ପକ୍ଷରୁ ଦ୍ୱିଶତକ ହାସଲ କରିଥିବା ପ୍ରଥମ ଖେଳାଳି ଭାବେ ଇତିହାସ ରଚିଛନ୍ତି । ସାମଲଙ୍କ ଏହି ପାଳି ବିଜୟ ହଜାରେ ଟ୍ରଫି ଇତିହାସରେ ପଞ୍ଚମ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ମଧ୍ୟ ହୋଇଛି । ଏହି ସମୟରେ ସେ ୨୦୧୯ ମସିହାରେ ଯଶସ୍ୱୀ ଜୟସ୍ୱାଲଙ୍କ ଦ୍ୱାରା କରାଯାଇଥିବା ୨୦୩ ରନର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ଏହି ମ୍ୟାଚରେ ସ୍ୱସ୍ତିକ ଡବଲ ସେଞ୍ଚୁରି କରିଥିଲେ ବି ଓଡ଼ିଶା ସୌରାଷ୍ଟ୍ରଠାରୁ ପରାଜିତ ହୋଇଥିଲା ।

ଅଧିକ ପଢନ୍ତୁ:  ବଡ଼ ଇଭେଣ୍ଟ ହେବ ବିଜୟ ହଜାରେ; ଟୁର୍ଣ୍ଣାମେଣ୍ଟ ଖେଳୁଛି ଅଧା ଟିମ୍ ଇଣ୍ଡିଆ

 ସେହିପରି ଦ୍ବିତୀୟ ମ୍ୟାଚରେ ଓଡ଼ିଶାର ପେସ୍ ବୋଲର ରାଜେଶ ମହାନ୍ତି ଲିଷ୍ଟ-ଏ କ୍ରିକେଟରେ ହ୍ୟାଟ୍ରିକ ନେବାରେ ରାଜ୍ୟର ପ୍ରଥମ କ୍ରିକେଟର ହୋଇଛନ୍ତି । ୨୫ ବର୍ଷୀୟ ରାଜେଶ ଶୁକ୍ରବାର ଦିନ ବେଙ୍ଗାଲୁରୁର ଆଲୁର କ୍ରିକେଟ୍ ଷ୍ଟାଡିୟମ୍-୩ଠାରେ ସର୍ଭିସେସ ବିପକ୍ଷ ବିଜୟ ହଜାରେ ଟ୍ରଫି ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି । ଓଡ଼ିଶା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେବା ପରେ ସେ ଆରମ୍ଭରୁ ହିଁ ଦଳକୁ ସୁବିଧାଜନକ ସ୍ଥିତିକୁ ଆଣିଥିଲେ । ସେ ପ୍ରଥମେ ଓପନର ସାଗର ଦାହିଆଙ୍କୁ ବୋଲ୍ଡ କରିଥିଲେ ଏବଂ ପରେ ଅମିତ ଶୁକ୍ଲା, ରବି ଚୌହାନ ଓ ରାଜ ବାହାଦୁରଙ୍କୁ କ୍ରମାଗତ ଭାବେ ଏଲବିଡବ୍ଲୁ କରି ଜିରୋ ରନରେ ପ୍ୟାଭିଲିୟନ ପଠାଇଥିଲେ ।

ଅଧିକ ପଢନ୍ତୁ: ଫେଲ୍ ହେଲା ପ୍ରୋଜେକ୍ଟ ଶୁବମନ ଗିଲ୍! ବିଶ୍ୱକପ ପରେ କିଏ ନେବ ସୂର୍ଯ୍ୟକୁମାରଙ୍କ ସ୍ଥାନ?

ତାଙ୍କର ଏଭଳି ପ୍ରଦର୍ଶନ ପାଇଁ ଦଳ 4 ଓ୍ୱିକେଟରେ ସର୍ଭିସେସକୁ ପରାସ୍ତ କରିଥିଲା ।  ଉଭୟ ରାଜେଶ ଆଉ ସ୍ୱସ୍ତିକ ଆଇପିଏଲ ଅକ୍ସନରେ ସାମିଲ ହୋଇ ବି ଅଲୋଡ଼ା ହୋଇଥିଲେ । ତାଙ୍କ ବେସ୍ ପ୍ରାଇସ 30 ଲକ୍ଷ ଟଙ୍କା ରହିଥିଲା । ଆଉ ଏବେ ଏହି ଅଲୋଡ଼ା ଖେଳାଳି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଆଉ ପ୍ରମାଣ କରିଦେଇଛନ୍ତି ସେମାନେ ବି କାହାଠାରୁ କମ ନୁହନ୍ତି । ଯଦି ଏହି ଦୁଇ ଖେଳାଳି ଆଗକୁ ଏହିଭଳି ଖେଳ ଜାରି ରଖନ୍ତି ତେବେ ଆଗାମୀ ଦିନରେ ବଡ଼ ମଞ୍ଚ ତାଙ୍କ ପାଇଁ କମ୍ ବାଟ ରହିବ ।