କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ପରେ ଅନେକ ପ୍ରଶ୍ନ ଉଠିଛି । ସୂର୍ଯ୍ୟକୁମାର ଯାଦବ ବିଶ୍ୱକପରେ ଭାରତର ଅଧିନାୟକତ୍ୱ କରିବେ, ଏବଂ ଅକ୍ଷର ପଟେଲ ଉପ-ଅଧିନାୟକ ରହିବେ । କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଶୁବମନ ଗିଲଙ୍କୁ ଭବିଷ୍ୟତର ଟି-୨୦ ଅଧିନାୟକ ଭାବେ ଗ୍ରହଣ କରି ଚାଲିବା ଆରମ୍ଭ କରିଥିଲା । ୨୦୨୪ ଟି-୨୦ ବିଶ୍ୱକପ ପରେ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ସମ୍ଭାଳିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ଜାଣିଥିଲେ ଯେ ଏସିଆ କପ୍ ୨୦୨୫ ପୂର୍ବରୁ ଗିଲଙ୍କୁ ଉପ-ଅଧିନାୟକ କରି ଧୀରେ ଧୀରେ ଆଗକୁ ଅଣାଯିବ ।
ପୂର୍ବରୁ ହିଁ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ଥିବା ଶୁବମନ ଗିଲଙ୍କୁ BCCI ତିନୋଟି ଯାକ ଫର୍ମାଟର ଚେହେରା ବନାଇବାକୁ ଚାହୁଥିଲା, ଯେମିତି କେବେ ବିରାଟ କୋହଲି ଥିଲେ । କିନ୍ତୁ ଏବେ ସେହି ସବୁ ଯୋଜନା ଅଧାରେ ରହିଯାଇଛି । ଶନିବାର ମୁମ୍ବାଇରେ ଅନୁଷ୍ଠିତ ପ୍ରେସ କନଫରେନ୍ସରେ ଯେତେବେଳେ ୨୦୨୬ ଟି-୨୦ ବିଶ୍ୱକପ ଦଳ ଘୋଷଣା ହେଲା, ସେତେବେଳେ ମ୍ୟାନେଜମେଣ୍ଟ ଯେମିତି 'ରିସେଟ୍' ବଟନ୍ ଦବାଇ ଦେଲା । ସୂର୍ଯ୍ୟକୁମାର ଯାଦବଙ୍କୁ ଫେଜ୍ ଆଉଟ୍ କରିବା ଏବଂ ଗିଲଙ୍କୁ ସ୍ଥାପିତ କରିବାର ସମସ୍ତ ପ୍ରୟାସ ଏବେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି ।
ଏସିଆ କପ୍ ୨୦୨୫ ପୂର୍ବରୁ ଭାରତ ନିଜର ସନ୍ତୁଳିତ ଓପନିଂ ଯୋଡ଼ି ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କୁ ଭାଙ୍ଗି ଦେଇଥିଲା । ସାମସନଙ୍କ ସ୍ଥାନରେ ଶୁବମନ ଗିଲଙ୍କୁ ଦଳକୁ ଅଣାଗଲା ଏବଂ ତାଙ୍କୁ ଉପ-ଅଧିନାୟକ ମଧ୍ୟ କରାଗଲା । ପ୍ରାୟ ପ୍ରତ୍ୟେକ ପୂର୍ବତନ ଖେଳାଳି ଏବଂ ପ୍ରଶଂସକ ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ, କାରଣ ୱିକେଟକିପର-ଓପନର ଭାବରେ ସାମସନ ଅନେକ ସମସ୍ୟାର ସମାଧାନ ଥିଲେ ।
କିନ୍ତୁ ଏହା ସତ୍ତ୍ୱେ ଗିଲଙ୍କୁ ସୁଯୋଗ ଦିଆଗଲା । ଭାରତୀୟ ଦଳର ଅତି-ଆକ୍ରମଣାତ୍ମକ ଟି-୨୦ ଶୈଳୀରେ ନିଜକୁ ଖାପଖୁଆଇବାକୁ ଚେଷ୍ଟା କରି ଶୁବମନ ଗିଲ ନିଜର ସ୍ୱାଭାବିକ ବ୍ୟାଟିଂ ହରାଇ ବସିଲେ । ମ୍ୟାଚ୍ ପରେ ମ୍ୟାଚ୍ ସେ ବିଫଳ ହେଲେ । ଲଗାତାର ୧୫ଟି ଇନିଂସ ପର୍ଯ୍ୟନ୍ତ ସେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିପାରିଲେ ନାହିଁ । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଅବସର ପରେ ଗିଲଙ୍କ ପ୍ରତ୍ୟାବର୍ତ୍ତନ ଦଳକୁ ସ୍ଥିରତା ଦେବା ପାଇଁ ଥିଲା, କିନ୍ତୁ ଫଳାଫଳ ଓଲଟା ବାହାରିଲା ।
ଆହୁରି ପଢ଼ନ୍ତୁ... ଗୋଟିଏ ଫୋନ୍ କଲ୍, ବିଶ୍ୱକପ ଟିମରୁ ଗିଲ୍ ବାହାରିଲେ
ଏହା ଅଜିତ ଅଗରକରଙ୍କ ମୁଖ୍ୟ ଚୟନକର୍ତ୍ତା କାର୍ଯ୍ୟକାଳର ସବୁଠାରୁ ବଡ଼ ଭୁଲ ମଧ୍ୟରୁ ଗୋଟିଏ ବୋଲି ପ୍ରମାଣିତ ହେଲା । BCCI ଚାହୁଥିଲା ଯେ ସୂର୍ଯ୍ୟକୁମାର ଯାଦବଙ୍କ ପରେ ଗିଲ୍ ଦଳର ମଙ୍ଗ ଧରନ୍ତୁ । ଟେଷ୍ଟ ଏବଂ ଦିନିକିଆରେ ତାଙ୍କର ଅଧିନାୟକତ୍ୱ ଚମତ୍କାର ରହିଛି ଏବଂ ତାଙ୍କ ପ୍ରତିଭା ଉପରେ କୌଣସି ସନ୍ଦେହ ନାହିଁ । କିନ୍ତୁ ଭାଗ୍ୟକୁ ବୋଧହୁଏ ଅନ୍ୟ କିଛି ମଞ୍ଜୁର ଥିଲା । ଏହି ଟି-୨୦ ଦଳ ତାଙ୍କ ବିନା ଅଧିକ ସନ୍ତୁଳିତ ଦେଖାଗଲା ଏବଂ ବିଶ୍ୱକପ୍ ପୂର୍ବରୁ ତାଙ୍କୁ ଦଳରୁ ବାଦ୍ ଦିଆଗଲା। ଏହା ଗିଲଙ୍କ ଭୁଲ୍ ନୁହେଁ, କିନ୍ତୁ ବର୍ତ୍ତମାନ ସମୟରେ ଜଣେ ଭଲ ଓପନର ଉପଲବ୍ଧ ଅଛନ୍ତି ଯିଏ ଭାରତର ଖେଳ ଶୈଳୀ ପାଇଁ ଅଧିକ ଉପଯୁକ୍ତ, ଏବଂ ସେ ହେଉଛନ୍ତି ସଞ୍ଜୁ ସାମସନ ।
ପ୍ରଥମେ ଏହା ସ୍ପଷ୍ଟ କରିଦେବା ଉଚିତ ଯେ, ୨୦୨୬ ଟି-୨୦ ବିଶ୍ୱକପର ଫଳାଫଳ ଯାହା ବି ହେଉ, ସୂର୍ଯ୍ୟକୁମାର ଯାଦବଙ୍କର ଏହି ଫର୍ମାଟରେ ଅଧିନାୟକ ଭାବେ ରହିବା କଷ୍ଟକର ମନେହେଉଛି । ଅଧିନାୟକ ଭାବରେ ତାଙ୍କର ରେକର୍ଡ ଚମତ୍କାର—ପ୍ରାୟ ୮୦ ପ୍ରତିଶତ ବିଜୟ । ହେଲେ ସବୁଠାରୁ ବଡ଼ ଚିନ୍ତା ହେଉଛି ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଫର୍ମ । ଏକଥା ସ୍ପଷ୍ଟ ଯେ ସେ ଜଣେ ସ୍ପେଶାଲିଷ୍ଟ ବ୍ୟାଟର ଭାବରେ ଅଧିକ ପ୍ରଭାବଶାଳୀ, ଅଧିନାୟକ ଭାବେ ନୁହେଁ ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, BCCI ବିଶ୍ୱକପ ପରେ ନୂଆ ଅଧିନାୟକଙ୍କ ସନ୍ଧାନ କରିବ । ସୂର୍ଯ୍ୟକୁମାର ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କଲେ ମଧ୍ୟ ବୋର୍ଡ ଭବିଷ୍ୟତକୁ ଦୃଷ୍ଟିରେ ରଖି କଠୋର ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ଅଛି । ଅକ୍ଷର ପଟେଲ ଉପ-ଅଧିନାୟକ ଅଛନ୍ତି, କିନ୍ତୁ ତାଙ୍କର ଅଧିନାୟକ ହେବାର ସମ୍ଭାବନା କମ୍ । ଅଭିଷେକ ଶର୍ମା, ତିଲକ ବର୍ମା ଏବଂ କୁଲଦୀପ ଯାଦବଙ୍କ ପାଖରେ ଏବେ ନେତୃତ୍ୱ ନେବାର ଅଭିଜ୍ଞତା ନାହିଁ । ଏଭଳି ପରିସ୍ଥିତିରେ ଗୋଟିଏ ନାମ ଯିଏ ଏହି ଭୂମିକା ପାଇଁ ଫିଟ୍ ବୋଲି ମନେହୁଏ, ସେ ହେଉଛନ୍ତି ଶ୍ରେୟସ ଆୟର । ଯାହାଙ୍କୁ ରବିନ୍ ଉଥପ୍ପା ମଧ୍ୟ ସମର୍ଥନ କରିଛନ୍ତି । ତେବେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବାକୁ ଏବେ ବି ସମୟ ବାକି ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/22/t-20-captain-2025-12-22-17-17-21.jpg)