କନକ ବ୍ୟୁରୋ: ଦେଶରେ ଫାଇଭ-ଜି ଯୁଗ ଚାଲିଛି, ସିକ୍ସ-ଜି ପାଇଁ ପ୍ରୟାସ ଆରମ୍ଭ ହେଲାଣି । ସରକାର ଜିଡିଟାଲ ଇଣ୍ଡିଆର ଡିଣ୍ଡିମ ପିଟୁଛନ୍ତି । ଦୁର୍ଭାଗ୍ୟ ହେଉଛି, ଆମ ରାଜ୍ୟରେ ଏବେ ବି ଏମିତି ଗାଁ ଅଛି, ଯେଉଁଠି ଫାଇଭ-ଜି ଛାଡନ୍ତୁ, ନେଟୱର୍କ ହିଁ ନାହିଁ। ଏଣେ ସରକାରଙ୍କ ଇ-କେୱାଇସି ନୀତି ଗାଁଲୋକଙ୍କୁ ହଇରାଣରେ ପକାଉଛି । 

Advertisment

ଆଗରେ ଅଙ୍ଗନବାଡ଼ି ଦିଦି, ପଛରେ ଗର୍ଭବତୀ ଆଉ ଛୁଆ କାଖେଇ ପାହାଡ଼ ଚଢୁଛନ୍ତି ମହିଳା । ଧାଡ଼ି ଧାଡ଼ି ହୋଇ ଗାଁ ମହିଳା ନେଟୱର୍କ ସନ୍ଧାନରେ ବାହାରିଛନ୍ତି । ଫାଇଭ-ଜି ଯୁଗରେ ନେଟୱାର୍କ ଖୋଜୁଛନ୍ତି କେନ୍ଦୁଝର ଜିଲ୍ଲା ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ବାସିନ୍ଦା । ପାହାଡ ଶିଖରରେ ଯେଉଁଠି ନେଟୱର୍କ ମିଳିଲା ସେଠି ଇ-କେୱାଇସି କରାଯାଉଛି । ସରକାରୀ ନିୟମ ଇ-କେୱାଇସି ନହେଲେ କିମ୍ବା ଅନଲାଇନରେ ଫେସ କ୍ୟାପଚର ନହେଲେ ଗର୍ଭବତୀ, ପ୍ରସୂତି କି ଛୁଆଙ୍କୁ ଅଣ୍ଡା ଓ ଛତୁଆ ମିଳୁନାହିଁ । ତେଣୁ ପ୍ରତିଦିନ କାମଧନ୍ଦା ଛାଡି ଛୋଟ ଛୁଆଙ୍କୁ ଧରି ଗାଁଠୁ ୨ କିମି ଦୂର ପାହାଡ଼ ଉପରେ ନେଟୱାର୍କ ଆସୁଥିବା ଜାଗା ଖୋଜାପଡୁଛି । ପାହାଡ଼ ଉପରେ କେବେ ନେଟୱର୍କ ନଆସିଲେ ସେଦିନ ଅଣ୍ଡା ଛତୁଆ ମିଳୁନାହିଁ । 

ଅଧିକ ପଢ଼ନ୍ତୁ... ପୁରୀରେ ପ୍ରବଳ ଗହଳି, ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼

ଚିକିତ୍ସା ପାଇଁ ହେଉ କି ସରକାରୀ ଯୋଜନା ସୁବିଧା ନେଟୱାର୍କ ସୁଡ଼ଙ୍ଗ ଗାଁବାସିନ୍ଦାଙ୍କ ବଡ଼ ସମସ୍ୟା ସୃଷ୍ଟି କରୁଛି । ଦେହ ଖରାପ ହେଲେ ୧୦୮ ଆମ୍ୱୁଲାନ୍ସ ଡାକିବାକୁ ଗଛ ଚଢ଼ିବାକୁ ପଡେ । ନେଟୱର୍କ ସମସ୍ୟା ଯୋଗୁଁ ଫୋନ ନଲାଗିଲେ ଗୁରୁତର ରୋଗୀଙ୍କ ଜୀବନ ଯିବା ନଜରି ବି ରହିଛି । ଡିଜିଟାଲ ଯୁଗରେ ସବୁ କାମ ଅନଲାଇନରେ ହେଉଛି । ନେଟୱର୍କ ନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ସୁଡ଼ଙ୍ଗ ଗାଁର ବାସିନ୍ଦା । ଏନେଇ ପ୍ରଶାସନିକ ଅଧିକାରୀ ଓ ନେତାଙ୍କୁ ଯେତେ ଗୁହାରି କଲେ ବି କିଛି ଫଳ ମିଳୁନି ।  

ସୁଡ଼ଙ୍ଗ ଗାଁର ନେଟୱର୍କ ସମସ୍ୟା ନେଇ ଆମେ ବାଂଶପାଳ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଆଉ କହିଥିଲେ, ଉଚ୍ଚ ଅଧିକାରୀଙ୍କୁ ଜଣାଇ ଶୀଘ୍ର ସମସ୍ୟାର ସମାଧାନ କରିବେ ।