କନକ ବ୍ୟୁରୋ : ଏସଏଚ୍‌ଜି ମହିଳାଙ୍କ ପରିଚାଳନା ଦକ୍ଷତା ନଥିବାରୁ ମଣ୍ଡିରେ ବଢୁଥିଲା ଦଲାଲ ରାଜ । ଆବଶ୍ୟକୀୟ ସରଞ୍ଜାମର ଅଭାବ ପାଇଁ କଲବଲ ହୋଇଥିଲେ ଚାଷୀ । ଏହି ବ୍ୟବସ୍ଥା ନବରଙ୍ଗପୁର ସାଂସଦ ବିରୋଧ କରିବା ପରେ ଏବେ ମାଲକାନଗିରିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଏସଏଚ୍‌ଜିକୁ ମଣ୍ଡି ଦାୟିତ୍ୱରୁ ବାଦ ଦେବାକୁ ଦାବି କରିଛନ୍ତି ।

Advertisment

ରାଜ୍ୟରେ ଧାନ କିଣିବାକୁ ପ୍ରସ୍ତୁତି ସରିଛି । ମଣ୍ଡିକୁ ଧାନ ନେଇ ପହଞ୍ଚୁଛନ୍ତି ଚାଷୀ । ଏସବୁ ଭିତରେ ମାଲକାନଗିରିର ଚାଷୀ ଧାନ ବିକିବା ପୂର୍ବରୁ ବଡ଼ ଅଭିଯୋଗ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ସିଧାସଳଖ କହିଛନ୍ତି, ମଣ୍ଡିରୁ ଧାନ ଉଠାଇବା ଦାୟିତ୍ୱ ଏସ୍‌ଏଚ୍‌ଜି ମହିଳାଙ୍କୁ ଦିଆନଯାଉ । ଏସ୍‌ଏଚ୍‌ଜି ମହିଳାଙ୍କ ପାଖରେ ଆବଶ୍ୟକୀୟ ସରଞ୍ଜାମ ନଥିବାରୁ ମଣ୍ଡିରେ ଚାଷୀ ହଇରାଣ ହେଉଛନ୍ତି । ଦଲାଲରାଜ୍‌ ବଢ଼ୁଛି । ଏସଏଚ୍‌ଜି ମହିଳାଙ୍କ ବଦଳରେ ମଣ୍ଡି ପରିଚାଳନା ଦାୟିତ୍ୱ ଅନ୍ୟମାନେ କରୁଛନ୍ତି । ଯାହା ମଣ୍ଡିରେ ଦଲାଲଙ୍କୁ ସୁହାଉଛି ।

ଅଧିକ ପଢ଼ନ୍ତୁ : ଖୋଲିଲାନି ମଣ୍ଡି ; ପୁଣି ଗଡ଼ିଲା ସମୟ

ଚାଷୀଙ୍କ ଏଭଳି ଦାବି ଭିତରେ ନବରଙ୍ଗପୁର ସାଂସଦ କହିଛନ୍ତି, ମଣ୍ଡିରୁ ଧାନ ଉଠାଇବାକୁ ମାଲକାନଗିରିର କୌଣସି ଏସଏଚ୍‌ଜି ଆବେଦନ କରିନାହାନ୍ତି । ନବରଙ୍ଗପୁରରେ ଏସ୍‌ଏଚ୍‌ଜି ମହିଳାଙ୍କୁ ମଣ୍ଡି ଦାୟିତ୍ୱ ଦିଆଯିବ କି ନାହିଁ ତାହାର ସମୀକ୍ଷା ଚାଲିଛି । କୌଣସି ଅଧିକାରୀଙ୍କ ସୁପାରିସରେ ଅଯୋଗ୍ୟ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ମଣ୍ଡି ଦାୟିତ୍ୱ ମିଳିଥିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ସାଂସଦ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ମଣ୍ଡିକୁ ଦଲାଲ ମୁକ୍ତ କରିବାକୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପୁରୁଣା ଲ୍ୟାମ୍ପ ଓ ଆର୍‌ଏମ୍‌ସି କର୍ମଚାରୀଙ୍କୁ ବଦଳି କରାଯାଇଛି । ମଣ୍ଡିରେ କର୍ମଚାରୀ ଦଲାଲଙ୍କ ସହ ମିଳାଇବାର ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପୂର୍ବ ସରକାର ସମୟରେ ଏସଏଚ୍‌ଜି ମହିଳାଙ୍କୁ ମଣ୍ଡି ଦାୟିତ୍ୱ ମିଳିଥିଲା । ହେଲେ ପରିଚାଳନାରେ ବ୍ୟାପକ ତ୍ରୁଟି, ଅନିୟମିତତା ଓ ଦଲାଲରାଜ ବୃଦ୍ଧି ପାଇବାରୁ ବିରୋଧ କରୁଛନ୍ତି ଚାଷୀ ।