suresh pujari Photograph: (kanak news)
କନକ ବ୍ୟୁରୋ : ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଉ ନେଉ କହିଥିଲେ, ଭିଜିଲାନ୍ସର ଖଣ୍ଡା ବୁଲୁଛି। ସଜାଗ ହୋଇ ଯାଆନ୍ତୁ ଅଫିସର। ହେଲେ କିଛି ଟଙ୍କାଖିଆ ବାବୁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ବାଏଁ ବାଏଁ ଉଡାଇ ଦୁର୍ନୀତିରେ ବୁଡି ରହିଥିଲେ। ଏବେ ସାଧାରଣ ଲୋକଙ୍କୁ ଖୋଲା ଆହ୍ବାନ ଦେଇ ମନ୍ତ୍ରୀ କହିଛନ୍ତି, ମୋତେ ଫୋନ୍ କରି ନାଁ କୁହ। କାର୍ଯ୍ୟାନୁଷ୍ଠାନ ଦାୟିତ୍ବ ମୋର । ବାସ୍ ଏହାପରେ ଆରମ୍ଭ ହେବ ସୁରେଶଙ୍କ ଦୁର୍ନୀତିମୁକ୍ତ ଅପରେସନ। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବେନି ଦୁର୍ନୀତିଖୋର ଅଫିସର। ଲାଞ୍ଚୁଆ ବାବୁଙ୍କୁ ପାନେ ଦବା ପାଇଁ ଏଣିକି ଖୋଲା ରହିବ ମନ୍ତ୍ରୀଙ୍କ ଫୋନ। ଯେଉଁଠି ବି ଲାଞ୍ଚ ନେଣଦେଣର ଖବର ପାଇବେ ତୁରନ୍ତ ଜଣାଇବାକୁ କହିଛନ୍ତି ରାଜସ୍ବମନ୍ତ୍ରୀ । ପ୍ରତିଶ୍ରୁତି ଦେଇଛନ୍ତି ବିନା ଲାଞ୍ଚରେ ମିଳିବ ରାଜସ୍ବ ସେବା ।
ତୃଣମୂଳସ୍ତରରୁ ଦୁର୍ନୀତିଖୋରଙ୍କୁ ସାବାଡ କରି ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଦାୟିତ୍ବ ମିଳିଛି। ଏହାସତ୍ତ୍ବେ ମଧ୍ୟ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି ଅନେକ ସରକାରୀ ବାବୁ। ୧୮ ମାସ ଭିତରେ ୨୦୦ରୁ ଅଧିକ ଲାଞ୍ଚୁଆ ବାବୁ ବନ୍ଧା ହେଲେଣି। କାହାର ଆଲିସାନ ବଙ୍ଗଳା ତ ପୁଣି କାହା ଘରୁ ପୁଳା ପୁଳା ଟଙ୍କା। ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ବହୁ ରାଜସ୍ବ ବିଭାଗର ଅଧିକାରୀ। ଏଭଳି ଦୁର୍ନୀତିଖୋରଙ୍କୁ ସାବାଡ କରିବାକୁ ମନ୍ତ୍ରୀଙ୍କର ଏଭଳି ପ୍ରୟାସ ପ୍ରଂଶସାଯୋଗ୍ୟ । ହେଲେ ପ୍ରଶ୍ନ ଉଠୁଛି, ମନ୍ତ୍ରୀ ସବୁ ଫୋନ୍ କଲ୍ ଉଠାଇ ପାରିବେ ତ? ସମସ୍ତଙ୍କ ସହ କଥା ହେବା ପାଇଁ ସମୟ ଦେଇପାରିବେ ତ? ନା ଏଥିପାଇଁ ବ୍ୟବସ୍ଥାକୁ ସୁଦୃଢ଼ କରିବେ? ଦୁର୍ନୀତିଖୋରଙ୍କୁ ଦଣ୍ଡ, ଭଲ ଅଫିସରଙ୍କୁ ଭଲ ପୋଷ୍ଟିଂ। କିଛି ଏଭଳି ଆଭିମୁଖ୍ୟ ନେଇ ଆଗକୁ ବଢିବ ରାଜସ୍ବ ବିଭାଗ ।
ଅଧିକ ପଢ଼ନ୍ତୁ---ବ୍ରହ୍ମପୁର ଲାଞ୍ଜିପଲୀ କଲୋନୀରୁ ଜବରଦଖଲ ଉଚ୍ଛେଦ, କବଜାରେ ରହିଛି ୪୬ କ୍ୱାର୍ଟର୍ସ
Follow Us