କନକ ବ୍ୟୁରୋ :  ବ୍ରହ୍ମପୁର ଲାଞ୍ଜିପଲୀ ପାଖରେ ଥିବା ମ୍ୟୁନିସିପାଲିଟି କଲୋନିରୁ ଆରମ୍ଭ ହେଲା ଜବରଦଖଲ ଉଛେଦ । ଦୁଇ ଦୁଇଥର ନୋଟିସ ଓ ଅଭିଯୋଗ ଶୁଣାଣି ପରେ କଠୋର ହୋଇଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ପାଖେ ଥିବା ମ୍ୟୁନିସିପାଲିଟି କଲୋନି, ଯେଉଁଠି ରହିଛି ୭୬ଟି କ୍ୱାର୍ଟର୍ସ। ହେଲେ ଏଥିରୁ ଅଧିକାଂଶ ଜବରଦଖଲ ହୋଇଥିବା ତଦନ୍ତରେ ଜଣାପଡ଼ିଥିଲା। ଫଳରେ ୨ ଥର ନୋଟିସ ସହ କ୍ୱାର୍ଟର ମାଡ଼ିବସିଥିବା ଲୋକଙ୍କୁ ପ୍ରମାଣ ମାଗିଥିଲେ ମହାନଗର ନିଗମ କର୍ତ୍ତୃପକ୍ଷ। ହେଲେ ଅଭିଯୋଗ ଶୁଣାଣିରେ ପ୍ରମାଣ ଦେଇପାରିନଥିବାରୁ ଶେଷରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳୁ ସକାଳୁ ମହାନଗର ନିଗମ କମିଶନର, ଉପଜିଲ୍ଲାପାଳଙ୍କ ସହ ପୂରା ଟିମ ଘଟଣାସ୍ଥଳରେ ପହଞ୍ଚି ଉଛେଦ ଆରମ୍ଭ କରିଛନ୍ତି। ଆଗକୁ ଏଠାରେ ନିଗମ କର୍ମଚାରୀଙ୍କ ପାଇଁ ବହୁତଳ କୋଠା ନିର୍ମାଣ ହେବ ବୋଲି ଜଣାପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ : ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ : ପେଟରେ ଟ୍ୟୁମର୍‌ ଯୋଗୁଁ ବିଗଡ଼ିଗଲା ସ୍ବାସ୍ଥ୍ୟବସ୍ଥା

ଗତକାଲିଠାରୁ ଡାକବାଜି ଯନ୍ତ୍ର ଜରିଆରେ ଉଛେଦ ଲାଗି ଘୋଷଣା ହୋଇଥିଲା। ତଥାପି ଲୋକେ ପୁଣି ମହଲତ ମାଗିଛନ୍ତି । କିଛି ବେସାହାରା ହେଇଯିବା ନେଇ ଗୁହାରି କରିଛନ୍ତି। ଆଉ କିଛି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବାରୁ ଆଇନଗତ ଦିଗ ନେଇ ଚାଲିଛି ତର୍ଜମା। ମହାନଗର ନିଗମ କର୍ମଚାରୀ ରହିବାକୁ ନିର୍ମାଣ ହୋଇଥିଲା ଏହି କଲୋନି। ୧୯୯୯ ମହାବାତ୍ୟା ବେଳେ ପ୍ରଶାସନ କିଛି ଲୋକଙ୍କୁ ଏଠାରେ ଥଇଥାନ କରିଥିଲା। ସେବେଠାରୁ ଆଉ ଏ କଲୋନି ପ୍ରତି କାହାର ନଜର ପଡିନି।