କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦେଲେ ଅନାସ୍ଥା ପ୍ରସ୍ତାବ ନୋଟିସ୍ । ଶହେରୁ ଅଧିକ ବରୋଧୀ ସାଂସଦ ଏଥିରେ ଦସ୍ତଖତ କରିଥିବା ସୂଚନା ମିଳିଛି ।  କଂଗ୍ରେସ ନେତୃତ୍ବରେ ଓମ୍  ବିର୍ଲାଙ୍କ ବିରୋଧରେ ବିରୋଧୀ ସାଂସଦମାନେ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି । ଓମ୍ ବିର୍ଲା ପକ୍ଷପାତ କରୁଥିବା ସଂସଦର ବଜେଟ୍  ଅଧିବେଶନ ଆରମ୍ଭରୁ ବିରୋଧୀ ଅଭିଯୋଗ କରିଆସୁଥିଲେ ।

Advertisment

ସ୍ଥଳସେନାର ପୂର୍ବତନ ମୁଖ୍ୟ ଜେନେରାଲ ଏମ. ଏମ୍. ନରବଣେଙ୍କ ଅପ୍ରକାଶିତ ପୁସ୍ତକକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ପୁସ୍ତକରେ ଚୀନ ସହ ସୀମା ବିବାଦ ଉଲ୍ଲେଖ ଥିବା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉଠାଇବା ପରେ ଏହାକୁ ଅମିତ ଶାହ ଓ ରାଜନାଥ ସିଂହ ବିରୋଧ କରିଥିଲେ । ଏହା ସହ ଅନ୍ୟ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ କହିବାର ସୁଯୋଗ ଦିଆଯାଉ ନଥିବା ଅଭିଯୋଗ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :  ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କ ନିଷ୍ପତ୍ତି । କହିଲେ, ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ନହେବା ପର୍ଯ୍ୟନ୍ତ ଗୃହରେ ରହିବେ ଅନୁପସ୍ଥିତ

 କହିବାର ସୁଯୋଗ ଦିଆନଯିବା, ୮ଜଣ ବିରୋଧୀ ସାଂସଦଙ୍କୁ ସଂସଦର ବଜେଟ୍ ଅଧିବେଶନରୁ  ନିଲମ୍ବନ କରାଯିବା,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିରୋଧୀ ଦଳର ମହିଳା ସାଂସଦଙ୍କୁ ଓମ୍ ବିର୍ଲା ବିପଦ ବୋଲି କହିବା, ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ କିଛି ମନ୍ତବ୍ୟ ଉପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନକରିବା ଆଦି ଅଭିଯୋଗ ଓମ୍ ବିର୍ଲାଙ୍କ ବିରୋଧରେ ଅଣାଯାଇଛି। ଅନାସ୍ଥା ପ୍ରସ୍ତାବ ନୋଟିସ୍ ପ୍ରସଙ୍ଗରେ ବିଜେପି ପ୍ରତିକ୍ରିୟା ରଖି ଏହା ବିରୋଧୀଙ୍କ ହାତାଶାର ପରିଚୟ ବୋଲି କହିଛି।

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଲୋକସଭା ଆଜି ବି ପ୍ରଶ୍ନକାଳ ଆରମ୍ଭରୁ ବାରମ୍ବାର ମୁଲତବି ରହିଥିଲା। ଶେଷରେ ଆଜି ଦିନକ ପାଇଁ ଗୃହକୁ ମୁଲତବି ରଖାଯାଇଛି। ପୂର୍ବରୁ ଧାର୍ଯ୍ୟ କାର୍ଯ୍ୟକ୍ରମ  ଅନୁସାରେ ବଜେଟ୍ ଉପରେ ଆଲୋଚନା ହୋଇପାରିନାହିଁ ।