କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲାରେ କ୍ୟାନସର୍ ଡାକ୍ତର ପଦ ଖାଲି । କୁଆଡ଼େ ଯିବେ କେମୋ ନେଉଥିବା ରୋଗୀ, ଏବେ ସେ ନେଇ ଚିନ୍ତାରେ । ପ୍ରଦୂଷଣ ପ୍ରଭାବିତ ଝାରସୁଗୁଡ଼ା ଜିଲ୍ଲାରେ କ୍ୟାନସର ଏକ ମହାମାରୀ ରୂପ ନେବାକୁ ବସିଲାଣି । ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଦୈନିକ ଅନ୍ୟୁନ ୪ ଜଣ ରୋଗୀ ଏଠାରେ କେମୋ ଥେରାପି ନେଉଛନ୍ତି ।
ଦୁଇଦିନ ତଳେ ଝାରସୁଗୁଡ଼ା ଜିଲ୍ଲାରୁ ରାତି ଅଧିଆ ୩ ଜଣ ଡାକ୍ତରଙ୍କୁ ବଦଳି କରିନିଆଗଲା । ବଦଳି ହୋଇଥିବା ଡାକ୍ତରଙ୍କ ମଧ୍ୟରେ ଜିଲ୍ଲାର ଏକମାତ୍ର ମେଡିକାଲ୍ ଅଙ୍କୋଲୋଜିଷ୍ଟ ଡା. ପି.ସି.ଦଳାଇ ମଧ୍ୟ ଥିଲେ । ଡା. ଦଳାଇ ରିଲିଭ୍ ହେବାକୁ ୩ ଦିନ ବିତିଥିବା ବେଳେ କିଏ ନୂଆ କ୍ୟାନସର ବିଶେଷଜ୍ଞ ଯୋଗ ଦେଇନାହାନ୍ତି କି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ବିକଳ୍ପ ବ୍ୟବସ୍ଥା ବି କରିନି । ଏବେ ଜିଲ୍ଲାରେ କ୍ୟାନସର ବିଶେଷଜ୍ଞ ପଦ ଫାଙ୍କା ପଡ଼ିଥିବା ବେଳେ ଏହି ରୋଗୀ କେମୋ ଥେରାପି ନେବାକୁ ପୁଣି ବାହାର ଜିଲ୍ଲା ଉପରେ ନିର୍ଭର କରିବେ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ବି ଅସନ୍ତୋଷ ସୃଷ୍ଟି ହେଲାଣି । ଝାରସୁଗୁଡ଼ା ଜିଲ୍ଲାରେ କ୍ୟାନସର ଚିକିତ୍ସାର ସେତେଟା ସୁବିଧା ନଥିବାରୁ ପ୍ରାୟତଃ ରୋଗୀ କଟକ, ଭୁବନେଶ୍ୱର କିମ୍ବା ଅନ୍ୟ ରାଜ୍ୟମୁହାଁ ହେଉଛନ୍ତି ।
ନୂଆକୁ ପ୍ରୋତ୍ସାହନ, ପୁରୁଣାକୁ ଅଣଦେଖା ! ଅବ୍ୟବସ୍ଥାରେ ଆଦର୍ଶ ବିଦ୍ୟାଳୟ
ଯେତିକି ବି ରୋଗୀ ଝାରସୁଗୁଡ଼ାରେ ଚିକିତ୍ସିତ ହେଉଛନ୍ତି, ତାହାର ଚିତ୍ର ଚିନ୍ତାଜନକ । ଯଦି ଝାରସୁଗୁଡ଼ା କଥା କହିବା, ତେବେ ଏଠାରେ ଦୈନିକ ହାରାହାରି ୪ ଜଣ ରୋଗୀ କେମୋ ଥେରାପି ନେଉଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପଯୁକ୍ତ ତାଲିମପ୍ରାପ୍ତ ପାଥୋଲୋଜିଷ୍ଟଙ୍କର ଅଭାବ ରହିଥିବାରୁ କ୍ୟାନସର ଚିହ୍ନଟୀକରଣ ପାଇଁ ବାୟୋପ୍ସି ହୋଇପାରୁନି କି ଅଙ୍କୋଲୋଜିସର୍ଜନ ନଥିବାରୁ କ୍ୟାନସର ସର୍ଜରି ସମ୍ଭବ ହେଉନାହିଁ । କେବଳ ଜଣେ ମେଡିକାଲ ଅଙ୍କୋଲୋଜିଷ୍ଟଙ୍କ ଭରସାରେ ହିଁ ବିଭାଗ ଚାଲିଥିଲା । ମାତ୍ର ସୋମବାର ଠାରୁ ତାହା ବନ୍ଦ ହୋଇ ପଡ଼ି ରହିବାରୁ ଜିଲ୍ଲାରେ କ୍ୟାନସର ରୋଗୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ।
କନକ ନ୍ୟୁଜର ମହାପ୍ରଭାବ: ଉପାନ୍ତ ଅନ୍ଧାରୀ ଗାଁର ଖବର ପ୍ରସାରଣ ପରେ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
୨ ବର୍ଷ ତଳେ ରାଜ୍ୟ ସରକାର ବିଶାଖାପାଟଣାର ହସ୍ପିଟାଲ ଓ କ୍ୟାନସର ରିସର୍ଚ୍ଚ ସେଣ୍ଟର ସହିତ ଏମଓୟୁ ସ୍ୱାକ୍ଷରିତ କରିଥିଲେ । କିନ୍ତୁ ଏବେ ବି କ୍ୟାନସର ହସ୍ପିଟାଲର ସ୍ଥିତି ଏମଓୟୁ ଫାଇଲ୍ ଭିତରେ ସୀମିତ ରହିଯାଇଛି । କେବେ ନିର୍ମାଣ କାମ ଆରମ୍ଭ ହେବ, କେତେ ମାସରେ ନିର୍ମାଣ ଶେଷ ହେବ ସେନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ତଥ୍ୟ ନାହିଁ । ତେବେ ଝାରସୁଗୁଡ଼ା ଜିଲ୍ଲାରେ ଶୀଘ୍ର କ୍ୟାନସର୍ ବିଶେଷଜ୍ଞ ପଦରେ ନିଯୁକ୍ତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
- ଝାରସୁଗୁଡ଼ାରେ ୨୦୧୯ ମସିହାରେ ୬୧୧ ଜଣ କ୍ୟାନସର ରୋଗୀ ଚିହ୍ନଟ, ୩୦୯ ଜଣ ନେଇଥିଲେ କେମୋ
- ୨୦୨୦ ମସିହାରେ ୭୮୮ ଜଣ କ୍ୟାନସର ରୋଗୀ ଚିହ୍ନଟ, ୩୧୧ ଜଣ ନେଇଥିଲେ କେମୋ
- ୨୦୨୧ରେ ୧୩୦୮ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭୯୧ ଜଣ ନେଇଛନ୍ତି କେମୋଥେରାପି
- ୨୦୨୨ ମସିହାରେ ୧୨୦୩ ଜଣ କ୍ୟାନସର ରୋଗୀ ଚିହ୍ନଟ, ୫୫୫ ଜଣ ନେଇଥିଲେ କେମୋ
- ୨୦୨୩ ବର୍ଷରେ ୧୪୯୩ ଜଣ କ୍ୟାନସର ରୋଗୀ ଚିହ୍ନଟ, ୭୭୭ ଜଣ କେମୋ ନେଇଛନ୍ତି
- ୨୦୨୪ରେ ୧୧୬୮ ଜଣ କ୍ୟାନସର ରୋଗୀ ଚିହ୍ନଟ, ୭୨୪ ଜଣ ରୋଗୀ ନେଇଛନ୍ତି କେମୋ ଥେରାପି
- ଚଳିତ ବର୍ଷ ଅକ୍ଟୋବର ଯାଏଁ ୧ ହଜାରରୁ ଅଧିକ ରୋଗୀ ଚିହ୍ନଟ, ୬ଶହରୁ ଅଧିକ ରୋଗୀ ନେଇଛନ୍ତି କେମୋ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/19/jharsuguda-2025-11-19-16-35-50.jpg)