nitish kumar Photograph: (KANAK NEWS)
କନକ ବ୍ୟୁରୋ : ଆସନ୍ତାକାଲି ବିହାର ଦେଖିବ ନୂଆ ସରକାର । ଆଉ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ଆଉ ଏହା ପୂର୍ବରୁ ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ନେତା ବାଛିଛନ୍ତି ଏନଡିଏର ସମସ୍ତ ବିଧାୟକ । ଆଜି ଏନଡିଏ ବିଧାୟକ ଦଳ ନେତା ବାଛିବାକୁ ନେଇ ବୈଠକ ବସିଥିଲା । ଏହି ବୈଠକରେ ବିଜେପି ବିଧାୟକ ସମ୍ରାଟ ଚୌଧୁରୀ ନୀତୀଶଙ୍କ ନାଁକୁ ପ୍ରସ୍ତାବ ରଖିଥିଲେ । ଯାହାପରେ ସମସ୍ତ ଏନଡିଏ ବିଧାୟକ ନୀତୀଶଙ୍କ ନାଁରେ ହିଁ ହଁ ଭରିଥିଲେ । ଆଉ ନୀତୀଶ କୁମାର ବିଧିବଦ୍ଧ ଭାବେ ଏନଡିଏରେ ନେତା ନିର୍ବାଚିତ ହୋଇଥିଲେ ।
କିଛି ସମୟରେ ପରେ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାର ଦାବି ଜଣାଇବେ । ଆଉ ତା ପରେ ଆସନ୍ତାକାଲି ବିହାରର ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ । ତେବେ ଆଜିର ଏହି ବୈଠକରେ ଏଲଜେପି ନେତା ଚିରାଗ ପାସଓ୍ୱାନ୍ ମଧ୍ୟ ଉପସ୍ଥିତ ଥିଲେ ଆଉ ସେ ଏହି ବୈଠକରେ କହିଛନ୍ତି ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ସରକାର ଗଠନ ହେବ ।
ଜାଣିରଖିବା ଉଚିତ ଯେ, ଗୋଟିଏ ପଟେ ଏନଡିଏ ବୈଠକ ବସି ନୀତୀଶ କୁମାରଙ୍କ ନେତା ବଛାଯାଇଥିଲେ ସୁଦ୍ଧା ଏବେ ବି ମନ୍ତ୍ରିମଣ୍ଡଳକୁ ନେଇ କଥା ଛିଣ୍ଡିନଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ବିଜେପି ନିଜ ପାଖରେ ଗୃହ ବିଭାଗ ରଖିବାକୁ ଚାହୁଁଥିବାବେଳେ, ନୀତୀଶ କୌଣସି ବି ପରିସ୍ଥିତିରେ ଗୃହ ବିଭାଗକୁ ନିଜ ପାଖରୁ ଛାଡ଼ିବାକୁ ଚାହୁଁନାହାଁନ୍ତି ।
ଆହୁରି ପଢ଼ନ୍ତୁ : ସାବଧାନ ! ମାତିଛନ୍ତି ମିନି ଜାମତାରା ଗ୍ୟାଙ୍ଗ୍ ; ଗେମିଂ ନାଁରେ ଟଙ୍କା ଲୁଟୁଛନ୍ତି
୨୦୦୫ ମସିହାରେ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗୃହ ବିଭାଗ ସବୁବେଳେ ଜେଡିୟୁ ପାଖରେ ରହିଆସିଛି । ତେବେ ଶପଥ ଗ୍ରହଣ ପୂର୍ବରୁ ବାଚସ୍ପତି ପଦକୁ ନେଇ ବିଜେପି ଏବଂ ଜେଡିୟୁ ଭିତରେ ବିବାଦ ଦେଖିବାକୁ ମିଳିଥିଲା । ହେଲେ ଏବେ ଏହି କଥାକୁ ନେଇ ଗୋଟିଏ ସହମତି ପ୍ରକାଶ ପାଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବିଧାନସଭାର ବାଚସ୍ପତି ଏବଂ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ବିଜେପି କୋଟାରୁ ହେବେ । ତେବେ ବାଚସ୍ପତି ପଦ ପାଇଁ ବରିଷ୍ଠ ବିଜେପି ନେତା ପ୍ରେମ କୁମାରଙ୍କ ନାମ ବିଚାର କରାଯାଉଛି, ସେହିପରି ବିଜେପି କୋଟାରୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କ ନାଁ ସ୍ଥିର କରାଯାଇଛି ।
ଜାଣିରଖିବା ଉଚିତ ଯେ, ନଭେମ୍ବର ୨୦ ତାରିଖରେ ଗାନ୍ଧୀ ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବ । ଏଥିରେ ନୀତୀଶ କୁମାର ୨୩ ଜଣ ମନ୍ତ୍ରୀଙ୍କ ସହିତ ଶପଥ ଗ୍ରହଣ କରିବେ । ଏଥିରେ ବିଜେପି ଏବଂ ଜେଡିୟୁରୁ ୧୦ ଜଣ ଏବଂ ଏଲଜେପି (ରାମ ବିଳାସ), ଏଚ୍ଏଏମ୍ ଏବଂ ଆରଏଲଏସପିରୁ ଜଣେ ଲେଖାଏଁ ମନ୍ତ୍ରୀ ସାମିଲ ହୋଇପାରନ୍ତି ।
Follow Us