MODI NITISH POLITICS Photograph: (KANAK NEWS)
କନକ ବ୍ୟୁରୋ : ଦିନେ ଏମିତି ଗୋଟିଏ ଫଟୋ ମୋଦୀ ନୀତୀଶଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଥିଲା । ଆଉ ଏବେ ସେହି ସମାନ ଢଙ୍ଗ, ଆଉ ସମାନ ପୋଜରେ ଫଟୋ ମୋଦୀ-ନୀତୀଶ ମଝବୁତ ସମ୍ପର୍କର ପ୍ରମାଣ ଦେଉଛି । ଗୋଟିଏ ଫଟୋ ୨୦୧୦ ମସିହାର, ଆଉ ଗୋଟିଏ ୨୦୨୫ର । ତେବେ ଏହି ୧୫ ବର୍ଷ ଭିତରେ ଭାରତର ରାଜନୀତି କେତେ ବଦଳିଛି, ଆଉ ମୋଦୀ-ନୀତୀଶ ସମ୍ପର୍କ କେତେ ବଦଳିଛି, ତାର ପ୍ରମାଣ ଦେଉଛି ବାସ୍ ଏ ଦୁଇଟି ଫଟୋ । ଆପଣ ଭାବୁଥିବେ ମୋଦୀ-ନୀତୀଶଙ୍କ ଏ ପୁରୁଣା ଫଟୋ କେମିତି ତାଙ୍କ ସମ୍ପର୍କକୁ ଭାଙ୍ଗିଦେଇଥିଲା । ଆଉ ଏହା ପଛର କାହାଣୀ କଣ?
୨୦୧୦ ମସିହାରେ ବିହାର ନ୍ୟୁଜପେପରର ଫ୍ରଣ୍ଟ ପେଜରେ ଗୋଟିଏ ବିଜ୍ଞାପନ ଆସିଥିଲା । ଏହି ବିଜ୍ଞାପନରେ ମୋଦୀ ଆଉ ନୀତୀଶ ହାତ ଧରି ଛିଡ଼ା ହୋଇଥାନ୍ତି । ବିଜ୍ଞାପନରେ ଲେଖାଥିଲା, କେମିତି ଗୁଜରାଟ ସରକାର ବନ୍ୟା ସମୟରେ ବିହାରକୁ ସାହାଯ୍ୟ ଯୋଗେଇ ଦେଇଥିଲେ । ହେଲେ ଏହି ଗୋଟିଏ ବିଜ୍ଞାପନ କିନ୍ତୁ ସେତେବେଳେ ନୀତୀଶଙ୍କୁ ଅସହଜ କରି ପକାଇଥିଲା । ସ୍ଥିତି ଏମିତି ହେଇଥିଲା ଯେ, ଏନଡିଏ ନେତାଙ୍କ ପାଇଁ ନୀତୀଶ ଡାକିଥିବା ଡିନରକୁ କ୍ୟାନ୍ସଲ କରିଦେଇଥିଲା । ଆଉ କଥା ଏତେ ଗମ୍ଭୀର ହେଲା ଯେ, ୨୦୧୩ରେ ନୀତୀଶ ଏନଡିଏ ସହିତ ଦୀର୍ଘ ଦିନର ସମ୍ପର୍କ କାଟିଦେଇଥିଲେ ।
୨୦୦୨ ମସିହାର ଘଟଣା ପାଇଁ ମୋଦୀଙ୍କୁ ସେତେବେଳେ ଗୋଟିଏ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ସହ ଯୋଡ଼ି ଦେଖାଯାଉଥିଲା । ଆଉ ସେତେବେଳେ ସେକ୍ୟୁଲାର ରାଜନୀତି କରୁଥିବା ନେତାମାନେ ନିଜ ଭୋଟ୍ ବ୍ୟାଙ୍କ ବଞ୍ଚାଇବା ପାଇଁ ମୋଦୀଙ୍କଠୁ ଦୂରକୁ ଦୌଡ଼ୁଥିଲେ । ହେଲେ ୨୦୦୯ରେ ପଞ୍ଜାବର ଏକ ରାଲିରେ ମୋଦୀ ଆଉ ନୀତୀଶ ସାମ୍ନା ସାମ୍ନା ହେଲେ, ଆଉ ମୋଦୀ ସିଧା ନୀତୀଶଙ୍କ ପାଖକୁ ଯାଇ ଏହି ପୋଜରେ ଫଟୋ ଉଠାଇଥିଲା । ହେଲେ ୨୦୧୦ରେ କିନ୍ତୁ ଏହି ଫଟୋ ବେଶ ଭାଇରାଲ୍ ହେଇଥିଲା ।
୨୦୧୦ରେ ବିହାରର ପାଟନାରେ ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀର ବୈଠକ ବସିଥିଲା । ସାରା ଦେଶରୁ ବିଜେପିର ନେତା ସେତେବେଳେ ବିହାରକୁ ଆସିଥାନ୍ତି । ସେତେବେଳେ ନୀତୀଶ କୁମାର ଏନଡିଏରେ ଥିଲେ, ଆଉ ପୂରା ଜୋସରେ ବିଜେପିର ନେତାଙ୍କୁ ବିହାରକୁ ସ୍ୱାଗତ କରୁଥିଲେ । ହେଲେ ସକାଳୁ ସକାଳୁ ଗୋଟିଏ ନ୍ୟୁଜପେପର ଆଡ୍ କିନ୍ତୁ ତାଙ୍କୁ ଏତେ ଅସହଜ କରିଦେଇଥିଲା ଯେ, ବିଜେପି ନେତାଙ୍କ ପାଇଁ ସେ ଡାକିଥିବା ଡିନର ମଧ୍ୟ କ୍ୟାନ୍ସଲ କରିଦେଇଥିଲେ ।
ଆହୁରି ପଢ଼ନ୍ତୁ : କେଶବଙ୍କୁ କେବେ ମିଳିବ ପ୍ରମୋସନ୍ ? ୟୁପି ପରେ ବିହାରରେ ଦେଲେ ବିଜୟ
ସମୟ ସହିତ ମୋଦୀ ବିଜେପିରେ ପାଓ୍ୱାରଫୁଲ୍ ବନିଥିଲେ । ଆଉ ୨୦୧୩ରେ ମୋଦୀଙ୍କୁ ଯେତେବେଳେ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଚାର ସମିତିର ଅଧ୍ୟକ୍ଷ କରାଯାଇଥିଲା, ସେତେବେଳେ ନୀତୀଶ ଦୀର୍ଘ ବର୍ଷର ସମ୍ପର୍କକୁ ଆଡ଼େଇ ଦେଇ, ଏନଡିଏଠୁ ଅଲଗା ହେଇଯାଇଥିଲେ । ପରେ ପରେ ମୋଦୀ ବନିଥିଲେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ଆଉ ମୋଦୀ ବି ଫୁଲ୍ ଜୋସରେ ପ୍ରଚାର କରିବା ସହିତ ଦୀର୍ଘ ବର୍ଷ ପରେ ବିଜେପିକୁ କ୍ଷମତାକୁ ଆଣିଥିଲେ । ସମୟ ବଦଳିଛି, ଆଉ ଏବେ ମୋଦୀ ଦେଶର ତିନି ତିନି ଥର ପ୍ରଧାନମନ୍ତ୍ରୀ । ଆଉ ନୀତୀଶ ବି ବିହାରରେ, ଲଗାତାର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ଗୁରୁବାର ଗାନ୍ଧୀ ମୈଦାନରେ ୧୦ମ ଥର ପାଇଁ ସେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ।
ପାଠକ ବନ୍ଧୁ ଏ କଥା କହିବାର କାରଣ ଏ ଦୁଇ ଫଟୋ । ସେହି ସମାନ ନେତା, ସେହି ସମାନ ପୋଜ୍, ହେଲେ ରାଜନୀତିର ଦୃଷ୍ଟିକୋଣ କିନ୍ତୁ ଏ ଦୁଇ ଫଟୋ ଅନେକ କିଛି କଥା କହୁଛି । ଦିନେ ଯେଉଁ ନେତାଙ୍କ ସହ ଫଟୋ ଉଠାଇ ନୀତୀଶ ନିଜକୁ ଅସହଜ ମନେ କରୁଥିଲେ, ଏବେ ସେହି ନେତାଙ୍କ ହାତ ଧରି, ସେ ନିଜ ମଝବୁତ ସମ୍ପର୍କର ପ୍ରମାଣ ଦେଉଛନ୍ତି । ତେଣୁ ରାଜନୀତିରେ କିଛି ବି ସମ୍ଭବ ବୋଲି ଏ ଦୁଇ ଫଟୋ ହିଁ ପ୍ରମାଣ ଦେଉଛି...
Follow Us