କନକ ବ୍ୟୁରୋ: ନୀଳଗିରି ଉପଖଣ୍ଡରେ ଆମ୍ବୁଲାନ୍ସ ସେବା ସାତସପନ । ୧୦୮ ଆମ୍ବୁଲାନ୍ସ ସେବା ଠପ। ପ୍ରାଇଭେଟ ଗାଡିରେ ରୋଗୀଙ୍କୁ ନେବା ଆଣିବା କରୁଛନ୍ତି ଲୋକେ । ମାଗଣା ସେବା ଲୋକଙ୍କ ପାଇଁ ମହଙ୍ଗା ।

Advertisment

ଅଧିକ ପଢ଼ନ୍ତୁ--- ସମ୍ଭାବ୍ୟ ବାତ୍ୟାକୁ ନେଇ ଛାନିଆ ଚାଷୀ

ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ପଡ଼ୋଶୀ ବାହାନଗା, ଔପଦା ବ୍ଲକ୍ ସହ ନୀଳଗିରିର ୨ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି  ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ଉପରେ । ଗରିବଗୁରୁବାଙ୍କୁ ସହଜ ଓ ସୁବିଧାରେ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ୨୦୧୩ରେ ଆରମ୍ଭ ହୋଇଥିଲା ୨୪ ଘଣ୍ଟିଆ ଆମ୍ୱୁଲାନ୍ସ ସେବା । ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ୫ଟି ୧୦୮ ଆମ୍ବୁଲାନ୍ସ ଦିଆଯାଇଥିଲା । ତାହା ଏବେ ଅଚଳ । ୬ ଦିନ ହେବ ସର୍ଭିସ ସେଣ୍ଟରରେ ପଡ଼ିରହିଛି ଗାଡ଼ି । ଫଳରେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା କଷ୍ଟକର ହୋଇପଡ଼ିଛି । ମାଗଣା ସେବା ଏବେ ମହଙ୍ଗା ହୋଇଛି । ଗାଡ଼ି ଭଡ଼ା କରିବାକୁ ପଡ଼ୁଛି ।

ପୂର୍ବରୁ ଗାଡ଼ି ଭିତରେ ପାଣି ଗଳିବା, ଅଧାରାସ୍ତାରେ ଅଚଳ ହେବା, ଗାଡ଼ିକୁ ଠେଲି ଠେଲି ଷ୍ଟାର୍ଟ କରିବା ଭଳି ଦୟନୀୟ ଖବର ସାମ୍ନାକୁ ଆସିଛି।  ଅଧିକାଂଶ ସ୍ଥାନରେ କଳଙ୍କି ଖାଇ ନଷ୍ଟ ହୋଇଯାଇଛି । ତଥାପି ଦଦରା ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ କଟକ ଯାଇଥାଏ । ଗାଡ଼ିରେ ବସିଲେ, ଡାକ୍ତରଖାନାର ରହଞ୍ଚିବା ଯାଏଁ ପ୍ରମାଦ ଗଣୁଥାନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ । କେବଳ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ନୁହେଁ, ବରହମପୁର ଗୋଷ୍ଠୀ ଚିକିତ୍ସାଳୟ ଆମ୍ବୁଲାନ୍ସର ଅବସ୍ଥା ମଧ୍ୟ ସମାନ ।