କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟାକୁ ନେଇ ଛାନିଆ ଚାଷୀ । ବର୍ଷା ହେଲେ ମାଟିରେ ମଶିଯିବ ବର୍ଷକର ଆହାର । କାରଣ ଚାଷୀଟିଏ ମାଟି ସହ ମାଟି ହୋଇ, ରକ୍ତକୁ ପାଣି କରି ଫସଲ କରିଥାନ୍ତି। ଅମଳ କଲେ ପରିବାର ଚଳିବାର ଆଶା ରଖିଥାନ୍ତି । ହେଲେ ଆସୁଥିବା ସମ୍ଭାବ୍ୟ ବାତ୍ୟା ତାକୁ ଉଜାଡ଼ିଦେବାର ଆଶଙ୍କା କରି ଚାଷ ଜମିରେ ଲୋଟିଛନ୍ତି ଚାଷୀ ।

Advertisment

ଅଧିକ ଦେଖନ୍ତୁ--- ଦାମୀ ଗାଡ଼ିରେ ଛେଳି ଚୋରି

କେଉଁଠି କେମିତି ରହିବ ସମ୍ଭାବ୍ୟ ବାତ୍ୟା ମୋନ୍ଥାର ପ୍ରଭାବ । ତାକୁ ନେଇ ସରକାର ପ୍ରଚିନ୍ତାରେ ଚାଷୀ । ତରବରିଆ ଭାବେ ଫସଲ ଅମଳରେ ଲାଗିପଡ଼ିଛନ୍ତି । କିଏ ମକା ଅମଳର ଲାଗିଛନ୍ତି ତ ଆଉ କିଏ ଧାନକଟାରେ । ବର୍ଷାରୁ କେମିତି ସୁରକ୍ଷିତ ରହିବ ଫସଲ, ସେଥିପାଇଁ ଲାଗିଛନ୍ତି ନବରଙ୍ଗପୁରର ଚାଷୀ । କିଏ ଗଛରୁ ମକା ତୋଳିବାରେ ବ୍ୟସ୍ତ ତ ଆଉ କିଏ ଶୁଖାଇ ଥିବା ମକାକୁ ବସ୍ତାରେ ଭରୁଛନ୍ତି । କେହି କେହି ତ ମେସିନ ଦ୍ୱାରା ମକା ଛଡ଼ାଇ ସାଇତି ରଖୁଛନ୍ତି । ନବରଙ୍ଗପୁରରେ ଏବର୍ଷ ମକା ଫସଲ ଭଲ ହୋଇଛି । ହେଲେ ଅମଳ ସମୟରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚାଷୀଙ୍କ ଆଶା ଧୋଇନେବାକୁ ଆସୁଛି । ଭୟଭୀତ ଚାଷୀ ନିଜ ଫସଲକୁ ସୁରକ୍ଷିତ ସାଇତି ରଖିବା ପାଇଁ ତତ୍ପର ହୋଇପଡିଛି ।

ଦଶହରା ସମୟରେ ଲଗାଣ ବର୍ଷା ଯୋଗୁଁ ମୋହନା, ଆର.ଉଦୟଗିରି ଓ ନୂଆଗଡ଼ ବ୍ଲକରେ ବହୁ କ୍ଷୟକ୍ଷତି ହୋଇଥିଲା । ମକା ଓ ଧାନଗଛ ନଷ୍ଟ ହୋଇଥିଲା । ସେ କ୍ଷତିପୂରଣ ଏଯାଏଁ ମିଳିନି ।  ଏବେ ପୁଣି ସାମୁଦ୍ରିକ ଝଡ଼ ଆଶଙ୍କା ଭୟଭୀତ କରିଛି । ମୋହନା ବ୍ଲକର ଗୋବିନ୍ଦପୁର, ଅନ୍ତରବା, ଜିରାଙ୍ଗ ସହ ଅଧିକାଂଶ ପଞ୍ଚାୟତର ଚାଷୀ ତରବରିଆ ଭାବେ ମକା ଅମଳରେ ଲାଗିଛନ୍ତି । ମୋହନାରେ ମକା ମଣ୍ଡି ବ୍ୟବସ୍ଥା ନଥିବାକୁ ଅମଳ ମକାକୁ କିଭଳି ସୁରକ୍ଷିତ ରଖିବେ ସେଥିପାଇଁ ଚିନ୍ତାରେ ପଡ଼ିଛନ୍ତି ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଯଦିଓ ପବନର ବେଗ ଅଧିକ ହୋଇନପାରେ କିନ୍ତୁ ଅଧିକ ମାତ୍ରାରେ ବର୍ଷା ଆଶଙ୍କା ରହିଛି । ଧାନ ଅମଳ ସମୟରେ ବର୍ଷା ଆସୁଥିବାରୁ ତରତର ହୋଇ ବିଲରୁ ଧାନ କାଟି ନେଉଛନ୍ତି ଚାଷୀ । ବର୍ଷା ପାଇଁ ମାଲକାନଗିରି ଜିଲ୍ଲାରେ ଆଗାମୀ ୩ ଦିନ ପାଇଁ ରେଡ ଆଲର୍ଟ ଜାରି ହୋଇଛି । ଏକଥା ଶୁଣିବା ପରେ ଆତଙ୍କିତ ହୋଇପଡ଼ିଥିବା ଏମ୍‌ଭି-୪୩ର ଚାଷୀ ମେସିନ୍‌ ଲଗାଇ ପାଚିଲା-କଂଚା ଧାନ ସବୁ କାଟି ନେଉଛନ୍ତି ।