କନକ ବ୍ୟୁରୋ : ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ସଶସ୍ତ୍ର ଉଗ୍ରବାଦୀମାନେ ଆକ୍ରମଣ କରି ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରି ରକ୍ତର ନଦୀ ବୁହାଇଛନ୍ତି ।ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୁରକ୍ଷା ସଙ୍କଟ ଆହୁରି ଘନିଭୂତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ କ୍ୱାରା ରାଜ୍ୟର ୱାରୋ ଓ ନୁକୁ ଗ୍ରାମକୁ ଟାର୍ଗେଟ କରାଯାଇଥିଲା।ଅଞ୍ଚଳର ପ୍ରତିନିଧିତ୍ୱ କରୁଥିବା ସାଂସଦ ମହମ୍ମଦ ଓମାର ବାୟୋ କହିଛନ୍ତି,ଆକ୍ରମଣ ଇସଲାମିକ୍ ଷ୍ଟେଟ୍ ସହ ଜଡିତ ସଶସ୍ତ୍ର ଗୋଷ୍ଠୀ ଲାକୁରାୱା ଦ୍ୱାରା କରାଯାଇଥିଲା। ସାମ୍ପ୍ରତିକ ମାସ ମଧ୍ୟରେ ନାଇଜେରିଆର ଗ୍ରାମଗୁଡ଼ିକ ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଏହା ଗୋଟିଏ ବୋଲି ସେ କହିଛନ୍ତି
ଚାରିଆଡ଼େ ପଡ଼ିଛି ମୃତଦେହ
ଭୟଙ୍କର ହତ୍ୟାକାଣ୍ଡ ପରେ, ଗାଁ ସାରା ମୃତଦେହ ପଡ଼ି ରହିଥିଲା। କ୍ୱାରା ରାଜ୍ୟ ରେଡକ୍ରସ ସଚିବ ଆୟୋଡେଜି ଇମାନୁଏଲ ବାବାଓମୋ କହିଛନ୍ତି ଯେ ସଂଗଠନ ଏପର୍ୟ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପହଞ୍ଚିପାରିନାହିଁ କାରଣ ସେଗୁଡ଼ିକ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ଏହି ଅଞ୍ଚଳ ରାଜ୍ୟ ରାଜଧାନୀରୁ ପ୍ରାୟ ଆଠ ଘଣ୍ଟା ଦୂରରେ ଓ ନାଇଜେରିଆ-ବେନିନ୍ ସୀମା ନିକଟରେ ଅବସ୍ଥିତ। ସ୍ଥାନୀୟ ଟିଭି ଚ୍ୟାନେଲରେ ପ୍ରଦର୍ଶିତ ଫୁଟେଜରେ ରକ୍ତାକ୍ତ ମୃତଦେହ ହାତ ବନ୍ଧା ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ଘରଗୁଡ଼ିକ ଜଳୁଥିବା ମଧ୍ୟ ଦେଖାଯାଇଛି।
ଅଧିକ ପଢ଼ନ୍ତୁ : ଇସଲାମିକ୍ ଷ୍ଟେଟ୍ ବିରୋଧରେ ଆମେରିକାର ରଣହୁଙ୍କାର, ନାଇଜେରିଆର ଆତଙ୍କୀ ଠିକଣାରେ ରକେଟ୍ ଓ ବୋମାବର୍ଷା
ପ୍ରତିଶୋଧ ନେବା ପାଇଁ ଆକ୍ରମଣ
କ୍ୱାରା ରାଜ୍ୟର ରାଜ୍ୟପାଳ ଅବଦୁଲରହମାନ ଅବଦୁଲରାଜାକ ଏହି ଆକ୍ରମଣକୁ ଆତଙ୍କବାଦୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକର ହତାଶାର ପରିଣାମ ଓ ସଶସ୍ତ୍ର ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ସାମରିକ ଅଭିଯାନର ଜବାବରେ ହୋଇଥିବା ଏକ କାପୁରୁଷ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରତିଶୋଧ ନେବା ପାଇଁ ଆକ୍ରମଣ ହୋଇଥିବା ସେ କହିଛନ୍ତି।
ସୁରକ୍ଷା ସଙ୍କଟରେ ଦେଶ
ସୂଚନାଯୋଗ୍ୟ,ନାଇଜେରିଆ ବର୍ତ୍ତମାନ ଏକ ଗମ୍ଭୀର ସୁରକ୍ଷା ସଙ୍କଟ ସହିତ ସଂଘର୍ଷ କରୁଛି। ଉତ୍ତର-ପୂର୍ବରେ ଇସଲାମିକ ଆତଙ୍କବାଦୀଙ୍କ ଦ୍ୱାରା ବିଦ୍ରୋହ ଜାରି ରହିଥିବା ବେଳେ, ଉତ୍ତର-ପଶ୍ଚିମ ଓ ଉତ୍ତର-କେନ୍ଦ୍ରୀୟ ଅଞ୍ଚଳରେ ଅପହରଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ, ଉତ୍ତର-ପଶ୍ଚିମ ରାଜ୍ୟ କାଟସିନାର ଡୋମା ଗାଁରେ ଏକ ପୃଥକ ଘଟଣାରେ, ଅଜ୍ଞାତ ବନ୍ଧୁକଧାରୀମାନେ ୧୩ ଜଣଙ୍କୁ ହତ୍ୟା କରିଛନ୍ତି ବୋଲି ପୁଲିସ ମୁଖପାତ୍ର ଆବୁବାକର ସାଦିକ ଆଲିୟୁ କହିଛନ୍ତି।
ଅଧିକ ପଢ଼ନ୍ତୁ : ନାଇଜେରିଆରେ ବଡ଼ ନରସଂହାର: ପୂରା ଗାଁକୁ ମାଟିରେ ମିଶାଇଲା ଆତଙ୍କୀ ସଂଗଠନ ବୋକୋ ହାରାମ
ଆମେରିକା କରିଥିଲା ଏୟାର୍ ଷ୍ଟ୍ରାଇକ୍
ଆମେରିକୀୟ ସେନାର ଆଫ୍ରିକା କମାଣ୍ଡର ମୁଖ୍ୟ କହିଛନ୍ତି, ଆମେରିକା ନାଇଜେରିଆର ସୁରକ୍ଷା ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ସାମରିକ ଅଧିକାରୀଙ୍କ ଏକ ଛୋଟ ଦଳ ପଠାଇଛି। ଡିସେମ୍ବରରେ ଆମେରିକୀୟ ସେନା ନାଇଜେରିଆରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ୍ କରିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/05/05bbs_28_05022026_111-2026-02-05-16-28-44.jpg)