Photograph: (kanaknews)
କନକ ବ୍ୟୁରୋ : ଯାଜପୁର ଜିଲ୍ଲାର ମଣ୍ଡୁକା ମୋରମ୍ ଖଣିରେ ବେଆଇନ ଖଣି ଖନନ ଏବଂ ପରିବେଶଗତ ମଞ୍ଜୁରୀ (ଇସି) ମାନଦଣ୍ଡ ଉଲ୍ଲଂଘନ ଅଭିଯୋଗର ତଦନ୍ତ ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍ଜିଟି) ପକ୍ଷରୁ ଏକ ମିଳିତ ତଦନ୍ତ କମିଟି ଗଠନ କରାଯାଇଛି । ଯାଜପୁରର ବାସିନ୍ଦା ସଞ୍ଜିବ ସାମଲ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କ ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି କରି ଏନ୍ଜିଟିର କୋଲକାତାର ପୂର୍ବ ଜୋନ୍ ବେଞ୍ଚ୍ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଜାରି କରାଯାଇଛି। ଆବେଦନରେ ଅଭିଯୋଗ କରାଯାଇଛି, ଜଣେ ଘରୋଇ ଲିଜଧାରୀ ଦର୍ପଣ ତହସିଲ ଅନ୍ତର୍ଗତ ମଣ୍ଡୁକାରେ ୧୨ ଏକର (୪.୮୫୬ ହେକ୍ଟର) ଜମିରେ ବେଆଇନ ଭାବରେ ୬ ମିଟର ଗଭୀରରୁ ଅଧିକ ଖଣି ଖନନ କରି ସବୁଜ ମାନଦଣ୍ଡ ଉଲ୍ଲଂଘନ କରୁଛନ୍ତି । ଏହା ସହିତ ଗାଁ ରାସ୍ତା ଦେଇ ଖଣିଜ ପଦାର୍ଥର ଅନଧିକୃତ ପରିବହନ କରାଯାଉଛି । ମଣ୍ଡୁକା ଗ୍ରାମ, ଚାରିନଙ୍ଗଲ ଓ ମଣ୍ଡୁକା ପ୍ରାଥମିକ ବିଦ୍ୟାଳୟ ନିକଟରେ ଓଭରଲୋଡ୍ ଯାନବାହାନ ଚଳାଚଳ କରିବା ଦ୍ବାରା ସ୍ଥାନୀୟ ବାସିନ୍ଦା ତଥା ସ୍କୁଲ ପିଲାଙ୍କ ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ କରାଯାଇଛି । ଭିଡିଓ ଲିଙ୍କ୍ ମାଧ୍ୟମରେ ହାଜର ହୋଇ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ଅଭିଯୋଗ ଅନୁଯାୟୀ ଆଇନର ଅନୁପାଳନ ନହେଇଥିବା ନେଇ ଘରୋଇ ପକ୍ଷକୁ ଦିଆଯାଇଥିବା ପରିବେଶଗତ ମଞ୍ଜୁରୀକୁ ବାତିଲ କରିବାକୁ ଦାବି କରିଥିଲେ ।
ନବସୃଜନକାରୀଙ୍କୁ ଆକର୍ଷିତ କରିବା ପାଲଟିଛି ବଡ଼ ଆହ୍ବାନ: ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍ରେ ତଳକୁ ଖସିଲା ଓଡ଼ିଶା
ଆବେଦନରରେ ପରିବେଶଗତ ମାନଦଣ୍ଡର ଅନୁପାଳନ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯାଇଥିବା ଦର୍ଶାଇ ଅଧ୍ୟକ୍ଷ ପ୍ରକାଶ ଶ୍ରୀବାସ୍ତବଓ କାର୍ଯ୍ୟନିର୍ବାହୀ ସଦସ୍ୟ ଈଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି।ଅଭିଯୋଗ ଆଧାରରେ ଟ୍ରିବ୍ୟୁନାଲ୍ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଖଣି ଉପନିର୍ଦ୍ଦେଶକ, ଭୁବନେଶ୍ୱର ସ୍ଥିତ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ ତଥା ଯାଜପୁରର ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ପ୍ରତିନିଧିଙ୍କୁ ନେଇ ଏକ ମିଳିତ କମିଟି ଗଠନ କରିଛନ୍ତି । କମିଟିକୁ ସ୍ଥାନ ପରିଦର୍ଶନ କରି ଅଭିଯୋଗ ଯାଞ୍ଚ୍ କରିବା ସହିତ ଆଠ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Follow Us