କନକ ବ୍ୟୁରୋ:  ପ୍ରକାଶିତ ରାଜ୍ୟ ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌ର ପଞ୍ଚମ ସଂସ୍କରଣରେ ଓଡ଼ିଶା ଇନସ୍ପାରିଙ୍ଗ୍ ଲିଡର୍‌ ବର୍ଗକୁ ଖସି ଆସିଛି । ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ଦ୍ୱାରା ଏହି ରାଙ୍କିଙ୍ଗ୍‌ ପ୍ରସ୍ତୁତ ହୋଇଛି । ୨୦୨୨ରେ ପ୍ରସ୍ତୁତ କରାଯାଇଥିବା ରାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶାକୁ ଟପ୍ ପର୍‌ଫର୍ମର ବର୍ଗରେ ସ୍ଥାନିତ କରାଯାଇଥିଲା । ସାମ୍ପ୍ରତିକ ରାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶାକୁ ଆସାମ, ବିହାର, ଜମ୍ମୁ-କାଶ୍ମୀର, ସିକିମ, ତ୍ରିପୁରା ଓ ମିଜୋରାମ ସହିତ ରଖାଯାଇଛି । ଗୁଜରାଟ ତାଲିକାର ଶୀର୍ଷରେ ରହିଛି । ବେଷ୍ଟ୍ ପର୍‌ଫର୍ମର ରାଜ୍ୟ ମଧ୍ୟରେ ତିନୋଟି ରାଜ୍ୟ ଥିବାବେଳେ ଟପ୍ ପର୍‌ଫର୍ମର ରାଜ୍ୟ ମଧ୍ୟରେ ୫ ରାଜ୍ୟ ରହିଛନ୍ତି। ସେହିପରି ଇନସ୍ପାରିଙ୍ଗ୍ ଲିଡର୍‌ ବର୍ଗରେ ୧୧ ରାଜ୍ୟ ଅଛନ୍ତି । ଏହି ବର୍ଗରେ ସମସ୍ତ ରାଜ୍ୟ ଓଡ଼ିଶାର ଠାରୁ ଉପରେ ରହିଛନ୍ତି ।

Advertisment

ଆବଶ୍ୟକୀୟ ତଥ୍ୟ ଦାଖଲ କରିବାରେ ବିଳମ୍ବ
ଚତୁର୍ଥ ସଂସ୍କରଣରେ କେବଳ ଗୁଜରାଟ, କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ହିମାଚଳ ପ୍ରଦେଶ ଓଡ଼ିଶା ଉପରେ ଥିଲେ। ୨୦୨୧ ସଂସ୍କରଣ ଓଡ଼ିଶାର ଟପ୍ ପର୍‌ଫର୍ମର ବର୍ଗରେ ଥିଲା। ୨୦୧୯ରେ ଓଡ଼ିଶା ପାଞ୍ଚ ଅଗ୍ରଣୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିଲା। ୨୦୧୮ରେ ପ୍ରଥମ ରାଙ୍କିଙ୍ଗ୍‌ରେ, ଓଡ଼ିଶା ଚାରି ଟପ୍ ପର୍‌ଫର୍ମର ରାଜ୍ୟ ମଧ୍ୟରେ ଥିଲା। ରାଜ୍ୟ ଅଧିକାରୀମାନେ ସାମ୍ପ୍ରତିକ ରାଙ୍କିଙ୍ଗ୍ ପାଇଁ ଡିପିଆଇଆଇଟିରେ ଆବଶ୍ୟକୀୟ ତଥ୍ୟ ଦାଖଲ କରିବାରେ ବିଳମ୍ବକୁ ଦାୟୀ କରିଛନ୍ତି। ଅଧିକାରୀ କହିଛନ୍ତି ରାଜ୍ୟର ଏଭଳି ରାଙ୍କିଙ୍ଗ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମର କୌଣସି ଗୁରୁତ୍ୱପୂର୍ଣ୍ଣ ଦୁର୍ବଳତାକୁ ପ୍ରତିଫଳିତ କରୁ ନାହିଁ। ଷ୍ଟାର୍ଟଅପ୍ ଓଡ଼ିଶାର ଅଧ୍ୟକ୍ଷ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଚିବ ପ୍ରଶାନ୍ତ କୁମାର ରେଡ୍ଡୀ କହିଛନ୍ତି, ରାକିଙ୍ଗ୍ କାହିଁକି କମିଛି ପାଇଛି ତାହାର କାରଣ ଆମେ ବିଶ୍ଳେଷଣ କରିବୁ। ଯଦି କୌଣସି ପ୍ରତିବନ୍ଧକ ଥାଏ ତାହା ଦୂର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନେବୁ। ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା କହିଛନ୍ତି, ଏହି ତଥ୍ୟ ଜାନୁଆରି ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିଛି। ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ସଂହିତା ଯୋଗୁ ଏହି ସମୟ ମଧ୍ୟରେ କିଛି ମାସ ପାଇଁ କାମ ପ୍ରଭାବିତ ହୋଇଥିଲା । ଏହା ପରେ ଆମେ ଅନେକ ପଦକ୍ଷେପ ନେଇଛୁ ଓ ଇକୋସିଷ୍ଟମରେ ବ୍ୟାପକ ଉନ୍ନତି ଆଣିବା ପାଇଁ କଠିନ ପ୍ରୟାସ କରୁଛୁ। ଫଳାଫଳ ପରବର୍ତ୍ତୀ ରାଙ୍କିଙ୍ଗ୍‌ରେ ପ୍ରତିଫଳିତ ହେବାର ଆଶା ରହିଛି ।

ଗର୍ଭାବସ୍ଥାରେ ପାରାସିଟାମଲ୍ ନିରାପଦ, ଅଟିଜିମ୍‌ର କୌଣସି ବିପଦ ନାହିଁ" ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କଲା ନୂତନ ଅଧ୍ୟୟନ

ପର୍ଯ୍ୟାପ୍ତ ବିବରଣୀ ପ୍ରଦାନ କରିନଥିବା ରାଜ୍ୟ ମଧ୍ୟରେ ଓଡ଼ିଶା
ଡିପିଆଇଆଇଟି ରିପୋର୍ଟରେ ଉଲ୍ଲେଖ କରାଯାଇଛି, ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ କରୁଥିବା ସକ୍ରିୟ ନୀତି କିମ୍ବା କାର୍ଯ୍ୟକ୍ରମ ବିଷୟରେ ପର୍ଯ୍ୟାପ୍ତ ବିବରଣୀ ପ୍ରଦାନ କରିନଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଅନ୍ୟତମ। ତେବେ ରିପୋର୍ଟରେ କୁହାଯାଇଛି ଓଡ଼ିଶା ଅନେକ ପଦକ୍ଷେପ ଗ୍ରହଣ କରିଛି। ଯେଉଁଥିରେ ପ୍ରବେଶଯୋଗ୍ୟତାକୁ ଉନ୍ନତ କରିବା ପାଇଁ ଏକ ଦ୍ୱିଭାଷୀ ରାଜ୍ୟ ଷ୍ଟାର୍ଟଅପ୍ ପୋର୍ଟାଲ୍ ପ୍ରତିଷ୍ଠା କରାଯିବା ସହିତ ଅନୁସୂଚିତ ଜାତି/ଜନଜାତି ସମ୍ପ୍ରଦାୟ, ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ଅନ୍ତର୍ଭୁକ୍ତିକରଣ ଉଦ୍ୟୋଗ ନୀତି ପ୍ରଚଳନ ସହିତ ନୂତନ ଭୌତିକ ଓ ଭର୍ଚୁଆଲ୍ ଇନକ୍ୟୁବେଟର ସ୍ଥାପନ ପାଇଁ ଆର୍ଥିକ ଏବଂ ନୀତିଗତ ସହାୟତାକୁ ସାମିଲ କରାଯାଇଛି । ଡିପିଆଇଆଇଟି ପରାମର୍ଶ ଦେଇଛି, ରାଜ୍ୟ ସମର୍ପିତ ଯୋଜନା ମାଧ୍ୟମରେ ଜନ କଲ୍ୟାଣ ଓ ସାମାଜିକ ପ୍ରଭାବ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ପାଇଁ ସମର୍ଥନକୁ ସୁଦୃଢ଼ କରିପାରିବ । ଶିକ୍ଷାନୁଷ୍ଠାନ ମଧ୍ୟରେ କାର୍ଯ୍ୟକ୍ରମ ଏବଂ ଇନକ୍ୟୁବେସନ୍ ସୁବିଧା ବୃଦ୍ଧି କରି ଛାତ୍ର ଉଦ୍ୟୋଗୀମାନଙ୍କ ପାଇଁ ସଂରଚିତ ସମର୍ଥନକୁ ବିସ୍ତାର କରିବାକୁ ମଧ୍ୟ ଡିପିଆଇଆଇଟି ସୁପାରିସ କରିଛି ।

ନବସୃଜନକାରୀଙ୍କୁ ଆକର୍ଷିତ କରିବା ବଡ଼ ଆହ୍ବାନ
ଓଡ଼ିଶା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମହାସଚିବ ସାତ୍ୱିକ ସ୍ୱାଇଁ କହିଛନ୍ତି, ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଉନ୍ନତ କରିବା ପାଇଁ ଅଧିକ ସମନ୍ୱିତ ପ୍ରୟାସ ଆବଶ୍ୟକ। ଏକ ଭଲ ଆରମ୍ଭ ପରେ, ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପରି କୌଣସି ପ୍ରକାରେ ସଫଳ ହୋଇପାରିଲା ନାହିଁ। ଏକ୍ଷେତ୍ରରେ ସବୁଠାରୁ ବଡ଼ ଆହ୍ବାନ ହେଉଛି ନବସୃଜନକାରୀଙ୍କୁ ଆକର୍ଷିତ କରିବା ।