କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକାଦଶ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏକତରଫା ଭାବେ ୟୁଏଇକୁ ୧୦ ୱିକେଟ୍‌ରେ ପରାସ୍ତ କରିଛି । ତା’ ସହିତ ଦୁଇଟି ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ଗ୍ରୁପ୍‌-ଡି’ ପଏଣ୍ଟ୍‌ ତାଲିକାରେ ପ୍ରଥମ ସ୍ଥାନରେ ଦୃଢ଼ ରହିଛି । ଏହା ପୂର୍ବରୁ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ କିୱି ଦଳ ୫ ୱିକେଟ୍‌ରେ ହରାଇଥିଲା । ମଙ୍ଗଳବାର ନିଜ କ୍ରିକେଟ୍‌ ଇତିହାସର ଅନ୍ୟତମ ବଡ଼ ବିଜୟ ଅର୍ଜନ କରିଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର୍‌ ଟିମ୍‌ ସେଫର୍ଟ ଓ ଫିନ୍‌ ଆଲେନ୍‌ ମଧ୍ୟ ନୂଆ ଇତିହାସ ରଚିଛନ୍ତି । ଉଭୟ ପ୍ରଥମ ୱିକେଟ୍‌ରେ ୧୭୫ ରନ୍‌ର ଭାଗୀଦାର କରିଛନ୍ତି । ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଯେକୌଣସି ୱିକେଟ୍‌ ପାଇଁ ହେଉଛି ସର୍ବୋଚ୍ଚ ଭାଗୀଦାର ।

Advertisment

ଏହା ବି ପଢ଼ନ୍ତୁ; ଭାରତୀୟ ଦଳ ସହ ଯାତ୍ରା କରିପାରିବେନି ପରିବାର

ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ର ବ୍ୟାଟିଂ ଉପଯୋଗୀ ପିଚ୍‌ରେ ୟୁଏଇ ଟସ୍‌ ଜିତି ବ୍ୟାଟିଂ କରିଥିଲା । ମାତ୍ର ୧୨ ରନ୍‌ରେ ଓପନର୍‌ ଆର୍ଯ୍ୟଂଶ ଶର୍ମା ନିଜ ୱିକେଟ୍‌ ଫିଙ୍ଗି ଦେଇଥିଲେ । ଅଧିନାୟକ ମହମ୍ମଦ ୱାସିମ ଓ ଶୀର୍ଷକ୍ରମ ବ୍ୟାଟର୍‌ ଆଲିସାନ ସରାଫୁ କିନ୍ତୁ ସାହସ ହରାଇ ନଥିଲେ । ଉଭୟ ଦ୍ବିତୀୟ ୱିକେଟ୍‌ରେ ୧୦୭ ରନ୍‌ ଯୋଡ଼ି ୟୁଏଇ ସ୍ଥିତି ସୁଦୃଢ଼ କରି ନେଇଥିଲେ । ପଞ୍ଚଦଶ ଓଭରର ଦ୍ବିତୀୟ ବଲ୍‌ରେ ସରାଫୁଙ୍କୁ ଚତୁରତାର ସହ ଆଉଟ୍‌ କରି ନ୍ୟୁଜିଲାଣ୍ଡର ଅଭିଜ୍ଞ ସ୍ପିନର ମିଚେଲ ସାଣ୍ଟନର୍‌ ଏମାନଙ୍କୁ ଅଲଗା କରିଥିଲେ । ଗୋଟିଏ ପଟେ ୱାସିମ ଭଲ ବ୍ୟାଟିଂ କରୁଥିଲା ବେଳେ ଅନ୍ୟପଟୁ ସାଥୀ ଖେଳାଳିମାନେ ଶସ୍ତାରେ ଆଉଟ୍‌ ହୋଇଚାଲିଥିଲେ । ଫଳରେ ଏକଦା ୨୦୦ ରନ୍‌ ଛୁଇଁବା ଲକ୍ଷ୍ୟରେ ଥିବା ୟୁଏଇ ୧୭୩/୬ରେ ଅଟକି ଯାଇଥିଲା । ଜବାବରେ ସେଫର୍ଟ ଓ ଆଲେନଙ୍କ ଧମାକାଦାର ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ ୩୪ ବଲ୍‌ ପୂର୍ବରୁ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସେଫର୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ୟୁଏଇ ୨୦ ଓଭରରେ-୧୭୩/୬ (ମହମ୍ମଦ ୱାସିମ ୬୬*, ଆଲିସାନ ସରାଫୁ ୫୫, ମୟଙ୍କ କୁମାର ୨୧, ମ୍ୟାଟ୍ ହେନରି ୨/୩୭, ଜ୍ୟାକବ ଡଫି ୧/୧୬) । ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ୧୭୫/୦ (ଟିମ୍‌ ସେଫର୍ଟ ୮୯*, ଫିନ୍‌ ଆଲେନ୍‌ ୮୪*) ।