କନକ ବ୍ୟୁରୋ: କ୍ୟାଲେଣ୍ଡର କଡ଼ ନେଉଟାଇଛି । ନୂଆବର୍ଷର ନାଁ ନେଇ ଗାଁରୁ ସହର ସବୁଠି ଉତ୍ସବ । ଆଲୋକ, ଆତସବାଜି ଆଉ କେକ୍ କାଟି ଶୁଭେଚ୍ଛାରେ ଆରମ୍ଭ ହୋଇଛି ନୂଆ ସମ୍ପର୍କ । କିନ୍ତୁ ପ୍ରଶ୍ନ ଉଠୁଛି ନୂଆବର୍ଷ କ’ଣ ? ଦେଖିବାକୁ କେମିତି? କ’ଣ ସବୁ ନୂଆ ହୁଏ? ଏସବୁ ମନରେ ଉଙ୍କି ମାରୁଥିବାବେଳେ ମୋବାଇଲ କ୍ୟାମେରାରେ କଏଦ ହୋଇଛି ନୂଆବର୍ଷର କିଛି ନିରବ ଚିତ୍ର ।
ଶୂନଶାନ ରାସ୍ତା, ସକାଳୁଆ କୁହୁଡ଼ି ଢ଼ାଙ୍କିଥିବା ଏ ଚଲାପଥରେ କର୍ତ୍ତବ୍ୟର କଷ୍ଟକୁ ଆପଣାଇଛନ୍ତି ଜଣେ ଜଣେ ମହିଳା ଯୋଦ୍ଧା । କାରଣ ସହର ସଫା ରହିଲେ ସବୁକିଛି ନୂଆ ନୂଆ ଦିଶିବ । ଆଉ ଛାତି ଫୁଲାଇ ଆମେ କହିବା ଆସିଛି ନୂଆ ବରଷ ।
ଆଉ ଜଣେ ମାଟି ଉପରେ ବସି ଅଳିଆକୁ ଅଖାରେ ପୂରାଉଛନ୍ତି । ବର୍ଷ ବଦଳିଛି କିନ୍ତୁ ବଦଳିନି ଏମାନଙ୍କ ଭାଗ୍ୟ । ଆମ ପାଇଁ ନୂଆବର୍ଷ ମାନେ--- ନୂଆ ସପନ, ନୂଆ ଆଶା, ସବୁ କିଛି ନୂଆ ନୂଆ । କିନ୍ତୁ ଏମାନଙ୍କ ପାଇଁ ? ନୂଆ ମାନେ ଆଉ ଗୋଟିଏ ଦିନର ଭୋକ, ଖୋଲା ଆକାଶ ତଳେ ଆଉ ଗୋଟିଏ ରାତି, ପୁଣି ଆଉ ଗୋଟେ ବର୍ଷ ଅଣଦେଖା ହେବାର କାହାଣୀ ।
ସବୁଠି ଜିରୋ ନାଇଟ୍ ସେଲିବ୍ରେସନ୍ ହୁଏ କିନ୍ତୁ ଏମାନେ ପୁଣି ଗୋଟେ ବର୍ଷ କେମିତି ଜୀବନ ଜିଇଁବେ ଚିନ୍ତା କରନ୍ତି । ସେଥିପାଇଁ ତ ଏମାନଙ୍କ ଆଖିରେ ନଥାଏ ଆତସବାଜିର ଆଲୋକ, କାନକୁ ପହଞ୍ଚି ପାରେନି ଶୁଭେଚ୍ଛାର ଶବ୍ଦ । କାରଣ ଗରିବ/ ଦିନ ମଜୁରିଆ ଆଉ ଅସହାୟଙ୍କ ପାଇଁ ନୂଆବର୍ଷ ଉତ୍ସବ ନୁହେଁ କେବଳ ଗୋଟେ ତାରିଖ ।
ଅଧିକ ପଢ଼ନ୍ତୁ :ପ୍ରେମାନନ୍ଦଜୀ ମହାରାଜଙ୍କ ଚେତାବନୀ : ନୂଆବର୍ଷରୁ ଜମା କରନ୍ତୁନି ଏପରି କାମ...
ଆମେ ବେଳେ ବେଳେ ନିଜକୁ ପ୍ରଶ୍ନ କରିବା କଥା--- ଆମେ ଖୁସିର ଆଲୋକରେ ଏତେ ମଜି ଯାଉଛୁ ଯେ ଏମାନଙ୍କ ଅନ୍ଧକାର କାହାକୁ ଦେଖାଯାଉନି । ଯଦି ନୂଆବର୍ଷରେ ସତରେ କିଛି “ନୂଆ” କରିବାକୁ ଚାହୁଛେ ତେବେ ଏମାନଙ୍କ ଜୀବନରେ ମିଳିମିଶି ଆଶାର ଗୋଟିଏ ଦୀପ ଜଳାଇବା ଆଉ ତାହା ହିଁ ହେବ ନୂଆ ବର୍ଷର ସବୁଠୁ ବଡ଼ ଉତ୍ସବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/01/new-year-2026-01-01-17-27-40.jpg)