Zero Night Celebrations Photograph: (Kanak News)
କନକ ବ୍ୟୁରୋ : ଆଉ ମାତ୍ର ଦୁଇଦିନ ପରେ ନୂଆବର୍ଷ । ସବୁ ମହଲରେ ନୂଆବର୍ଷକୁ ସ୍ୱତନ୍ତ୍ର କରିବା ଲାଗି ମାତ୍ରାଧିକ ଉତ୍ସୁକତା ଦେଖାଦେଇଛି । ସେପଟେ ଜିରୋନାଇଟ୍ ସେଲିବ୍ରେସନ୍ ଲାଗି ବି ଭୁବନେଶ୍ୱର, କଟକ ଭଳି ସହରମାନଙ୍କରେ ଚାଲିଛି ଜୋରଦାର ପ୍ରସ୍ତୁତି । ହଁ, ଖୁସିର ମୁହୂର୍ତ ଦୁଃଖର କାରଣ ନ ହେଉ, ସେଥିଲାଗି ପୁଲିସ ବି ସଜାଗ ।
ନୂଆବର୍ଷକୁ ଧୁମଧାମରେ ପାଳନ କରିବାକୁ ସବୁଠି ଚାଲିଛି ପ୍ରସ୍ତୁତି । ଦିନକ ପରେ ଜିରୋ ନାଇଟ ସେଲିବ୍ରେସନ । ଏଥିପାଇଁ ଟ୍ୱିନସିଟିରେ କ୍ଳବ, ବାର, ହୋଟେଲଗୁଡିକରେ ସ୍ତ୍ରତନ୍ତ୍ର ଇଭେଣ୍ଟର ଆୟୋଜନ ହୋଇଛି । ଆଉ ସୁରକ୍ଷା ପାଇଁ ବି ପୁଲିସ କରିଛି ବଡ଼ ପ୍ରସ୍ତୁତି । ପୁଲିସ କମିସନର କହିଛନ୍ତି, ଭୁବନେଶ୍ୱରରେ ୧୮ ପ୍ଲାଟୁନ ଏବଂ କଟକରେ ୧୫ ପ୍ଳାଟୁନ ଫୋର୍ସ ନିୟୋଜନ କରାଯିବ । ସହରର ବିଭିନ୍ନ ସ୍ଥାନ ହେବ ନାକାବନ୍ଦୀ, ୨୯ ସ୍ଥାନରେ ମୁତୟନ ହେବେ ୱାଚ୍ ଟିମ୍ । ଏଥିସହିତ ନିୟମ ଭିତରେ ରହି ଜିରୋନାଇଟ୍ ସେଲିବ୍ରେସନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛି ପୁଲିସ । ମଦ ପିଇ ଗାଡ଼ି ଚଳାଇଲେ ଅବା ରାସ୍ତାରେ ହିରୋଗିରି ଦେଖାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାଇ ଦେଇଛି କମିସନରେଟ ପୁଲିସ୍ ।
ଅଧିକ ପଢ଼ନ୍ତୁ : ଜିରୋ ନାଇଟ ସେଲିବ୍ରେସନ ପାଇଁ ଟ୍ବିନ ସିଟିରେ ହେବ କଡ଼ାକଡ଼ି ନିୟମ
ନୂଆବର୍ଷକୁ ସ୍ୱାଗତ ଲାଗି ଶ୍ରୀକ୍ଷେତ୍ରରେ ବଢୁଛି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ । ସୁରକ୍ଷାକୁ ଦୃଷ୍ଟିରେ ଡିସେମ୍ବର ୩୧ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ପୁରୀରେ ଲାଗୁ ହେବ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା । ଦୁଇ ଦିନ ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ଯାଏ ଚାରିଚକିଆ ଯାନ ଯାଇପାରିବ ନାହିଁ । ମାର୍କେଟ୍ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ନୋ ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି ।
ନୂଆବର୍ଷରେ ପୁରୀରେ ୪ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ସମାଗମ ଆଶା କରାଯାଉଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ- ଜେଲ୍ ରୋଡ୍, କୋଣାର୍କ ପଟୁ ଆସୁଥିବା ଚାରିଚକିଆ ଯାନ- ତାଳବଣିଆ ପାର୍କିଂ ଏବଂ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ- ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବ ।
Follow Us