କନକ ବ୍ୟୁରୋ : ନୂଆବର୍ଷ ମାଓବାଦୀଙ୍କ ପାଇଁ ପାଲଟିବ ଶେଷ ବର୍ଷ । ୨୦୨୬ ମାର୍ଚ୍ଚ ଶେଷ ସୁଧା ନକ୍ସଲ ନିପାତ ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ । ଛତିଶଗଡ଼ ସହ ଏବେ ଓଡ଼ିଶାରେ ବି ଅପରେସନକୁ ଜୋରଦାର କରିଛି ପୁଲିସ । ତେବେ ମାଓ ଦମନ କ୍ଷେତ୍ରରେ ସବୁଠାରୁ ସଫଳତମ ବର୍ଷ ପ୍ରମାଣିତ ହୋଇଛି ୨୦୨୫ । ୧୧ କେନ୍ଦ୍ରୀୟ କମିଟି ସଦସ୍ୟ ନିପାତ ହୋଇଥିବା ବେଳେ, ସାରା ଦେଶରେ ଟଳିଛନ୍ତି ୩ଶହରୁ ଅଧିକ ମାଓବାଦୀ ।
ଅଧିକ ପଢ଼ନ୍ତୁ : ଗଞ୍ଜାମ-କନ୍ଧମାଳ ଜଙ୍ଗଲରେ ଲୁଚିଥିଲେ ମାଓବାଦୀ : ଗୁଳିବିନିମୟରେ ଟଳିଲେ ଟପ୍ ମାଓନେତାଙ୍କ ସମେତ ୪ ମାଓବାଦୀ
ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲ ମୂଳପୋଛ ଲକ୍ଷ୍ୟ ନେଇ, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଦଶନ୍ଧି ଦଶନ୍ଧିର ଅଭିଯାନ । ଗତବର୍ଷ ଏହାକୁ ମିଳିଛି ବ୍ୟାପକ ସଫଳତା । ବର୍ଷକରେ ୧୧ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ଏନକାଉଣ୍ଟର । ଓଡ଼ିଶାରେ ଟଳିଛନ୍ତି ୨୭ ମାଓବାଦୀ । ବର୍ଷଶେଷରେ ଓଡ଼ିଶା ଷ୍ଟେଟ୍ କମିଟି ମୁଖ୍ୟ ଗଣେଶ ଉଇକେ ଓରଫ ପକ୍କା ହନୁମନ୍ତ ରାଓ ଭଳି କେନ୍ଦ୍ରୀୟ କମିଟି ସଦସ୍ୟକୁ ନିପାତ କରିବାରେ ସଫଳ ହୋଇଛି ଓଡ଼ିଶା ପୁଲିସ । ୧୪ ମାଓବାଦୀ ଗିରଫ ହୋଇଥିବା ବେଳେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଅତି ମାଓ ପ୍ରବଣ ଛତିଶଗଡ଼ରେ ୨ବର୍ଷରେ ପ୍ରାୟ ୪୯୦ ମାଓବାଦୀଙ୍କ ଏନକାଉଣ୍ଟର ହୋଇଥିବା ବେଳେ, ୨୦୨୫ରେ ୨୫୬ ମାଓବାଦୀଙ୍କୁ ନିପାତ କରିଛି ପୁଲିସ । ୬୫୬ ବନ୍ଧୁକ ଜବତ ହୋଇଛି । ଆତ୍ମସମର୍ପଣ କରିଥିବା ୧୫ଶହ ମାଓବାଦୀଙ୍କୁ ଥଇଥାନ କରିଛି ଛତିଶଗଡ଼ ପୁଲିସ । ବିଶେଷ କରି ମାଓ ମୁଖିଆ ବାସବରାଜୁ ସମେତ କେନ୍ଦ୍ରୀୟ କମିଟି ସଦସ୍ୟ ଚେଲାପତି, ବିବେକ ଚନ୍ଦ୍ରି, ସୁଧାକର, ଉଦୟ, ସହଦେବ ସୋରେନ, ମୋଡେମ ବାଲକ୍ରିଷ୍ଣା, କାଦ୍ରି ସତ୍ୟନାରାୟଣ, କଟ୍ଟା ରାମ ଚନ୍ଦ୍ର ରେଡ୍ଡୀ, ହିଡମା, ଗଣେଶ ଉଇକେ ପରି ୧୧ ଜଣ କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ଏନକାଉଣ୍ଟର କରି ଦଳ ର ମେରୁଦଣ୍ଡ କୁ ଦୋହଲାଇ ଦେଇଛନ୍ତି ଛତିଶଗଡ଼, ଆନ୍ଧ୍ର ଓ ଓଡ଼ିଶା ପୁଲିସର ଯବାନ । ଏଥିସହ ୫ କେନ୍ଦ୍ରୀୟ କମିଟି ସଦସ୍ୟ ଓ ପୋଲିତ ବ୍ୟୁରୋ ସଦସ୍ୟଙ୍କ ଆତ୍ମସମର୍ପଣ ଦଳକୁ ଧରାଶାୟୀ କରି ଦେଇଛି ।
ଅଧିକ ପଢ଼ନ୍ତୁ : ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣା ; ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
ଛତିଶଗଡ଼ ପରେ ଏବେ ଓଡ଼ିଶା ଉପରେ ନଜର । ଗଂଜାମ ଓ କନ୍ଧମାଳ ସୀମାରେ ଏବେ ବି ଅପରେସନ୍ ଜୋରଦାର । ମାର୍ଚ୍ଚ ୨୦୨୬ ଯେତେ ପାଖେଇ ଆସୁଛି, ସେତେ ଜୋରଦାର ହେଉଛି ନକ୍ସଲ ଦମନ ଅଭିଯାନ । ଓଡ଼ିଶାରେ ୬ ଓଡ଼ିଆ ମାଓବାଦୀଙ୍କ ସମେତ ୫୦ରୁ ଅଧିକ ନକ୍ସଲଙ୍କୁ ଧରିବା ଲାଗି ଅହରହ ଅପରେସନ ଜାରି ରଖିଛନ୍ତି ଏସ୍ଓଜି, ଡିଭିଏଫ୍, ବିଏସଏଫ୍ ଓ ସିଆରପିଏଫ୍ ଯବାନ । ବିଶେଷ କରି ଗଂଜାମ ଜିଲ୍ଲା ରମ୍ଭା ଓ କନ୍ଧମାଳ ଗସମା, ବେଲଘର ସୀମାବର୍ତ୍ତୀ ଜଂଗଲରେ କମ୍ୱିଂ ଜୋରଦାର ହୋଇଛି । ସୁଦର୍ଶନ ଓରଫ ବିକାଶ ଏବଂ ଓଡ଼ିଆ ମାଓଦଂପତି ନିରଂଜନ ରାଉତ ଓରଫ ନିଖିଲ ଓ ରଶ୍ମିତା ଓରଫ ଇନ୍ଦୁ ଏବଂ କୋସା ସୋଢ଼ି ଓରଫ ସୁକ୍ରୁଙ୍କ ଦଳକୁ ଧରିବା ଲାଗି ଅପରେସନ ଚଳାଇବା ସହ ଆତ୍ମସମର୍ପଣ ଲାଗି ଚାପ ବଢ଼ାଉଛି ଓଡ଼ିଶା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/01/mao-2026-01-01-23-00-34.jpg)